ଉତ୍କଳ ବିଶ୍ବବିଦ୍ୟାଳୟରେ ବିରଳ ଦୃଶ୍ୟ, ଗୋଟିଏ ମଞ୍ଚରେ ୧୪ କୁଳପତି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ କୁଳପତି ହେଉଥିବା ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିଥିଲା ଗୋଟିଏ ମଞ୍ଚରେ। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୩୨ ଜଣ ପ୍ରଫେସର ବିଭିନ୍ନ ବିଶ୍ବବିଦ୍ୟାଳୟରେ କୁଳପତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ବିୟୋଗ ହୋଇଥିବା ବେଳେ ୪ଜଣ ଅସୁସ୍ଥତା ପାଇଁ ଯୋଗ ଦେଇପାରିବେନି ବୋଲି ପୂର୍ବରୁ ସୂଚନା ଦେଇଥିଲେ। ବାକି ୨୦ ଜଣ ସହମତି ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ସାମିଲ ହୋଇପାରି ନ ଥିଲେ। ବାକି ୧୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ବବିଦ୍ୟାଳୟର ପିଏମ୍‌ଆଇଆର ବିଭାଗ ପକ୍ଷରୁ ଆୟୋଜିତ ପ୍ରଫେସର ଅଭୟ କୁମାର ସ୍ମାରକୀ ବକ୍ତୃତାରେ ଆଜି ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ଅନୁଷ୍ଠିତ ଉତ୍ସବରେ ବର୍ତମାନ ଓ ଅବସର ଗ୍ରହଣ କରିଥିବା ୧୪ ଜଣ କୁଳପତିଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୟନ୍ତୀ ଅବସରରେ ପୂର୍ବତନ କୁଳପତିମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯୋଜନା ହୋଇଥିଲେ ମଧ୍ୟ କର୍ତୃପକ୍ଷଙ୍କ ହେୟଜ୍ଞାନ ଯୋଗୁଁ ତାହା ସମ୍ଭବପର ହୋଇନ ଥିଲା। ଏଥିପାଇଁ ବିଶ୍ବବିଦ୍ୟାଳୟ ୭୬ ବର୍ଷରେ ପଦାର୍ପଣ କରିବା ପରେ ବି ପିଏମ୍‌ଆଇଆର ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା ବିଭାଗ ପକ୍ଷରୁ ଆୟୋଜିତ ‘ବ୍ୟାବସାୟିକ କୂଟନୀତି ଏବଂ ସ୍ଥାନୀୟ ଓ ବିଶ୍ବସ୍ତରୀୟ ସମ୍ପର୍କରେ ପରିବର୍ତନ: ବର୍ତମାନରୁ ଶିକ୍ଷା ଓ ଭବିଷ୍ୟତର ଉନ୍ନତି ସମ୍ଭାବନା’ ଶୀର୍ଷକ ବିଷୟବସ୍ତୁ ଉପରେ ମେକ୍ସିକୋର ଏଗ୍‌ଡେ ବ୍ୟବସାୟ ପରିଚାଳନା ପ୍ରତିଷ୍ଠାନର ପ୍ରଫେସର ରାଜାଗୋପାଳ ବକ୍ତୃତା ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ଓ ଅବସରପ୍ରାପ୍ତ କୁଳପତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ୨୦୧୭ ପାଇଁ ପ୍ରୀତିସୁଧା ମିଶ୍ର ଓ ୨୦୧୮ ପାଇଁ ଆଲୋକ ରଞ୍ଜନ ପ୍ରଧାନଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଗବେଷଣା ପାଇଁ ପ୍ରଫେସର କଲ୍ୟାଣୀ ମହାନ୍ତି ଓ ସୁଜାତା ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ ହୋଇଥିଲେ। ବିଭାଗୀୟ ମୁଖ୍ୟ ବିଜୟ ସୁନ୍ଦରାୟ ଧନ୍ୟବାଦ ଦେଇଥିଲେ। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର