କୁଆଡ଼େ ଗଲା କୁଳପତିଙ୍କ ଗାନ୍ଧୀଗିରି?

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ବିବାଦ ଚରମ ସୀମାରେ ପହଞ୍ଚିଛି। ଦୁଇ ଶିକ୍ଷକ ଗୋଷ୍ଠୀ ପରସ୍ପର ବିରୋଧରେ ବିଷୋଦଗାର କରିଛନ୍ତି। ଗୁରୁବାର ଛାତ୍ରମାନେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ‌ ଭେଟି ଶିକ୍ଷକ ସ˚ଘ ନିର୍ବାଚନକୁ ବନ୍ଦ କରିବାକୁ ଦାବି କରିଥିବା ବେଳେ ଆଜି କେତେଜଣ ଶିକ୍ଷକ କୁଳପତିଙ୍କୁ ଭେଟିଛନ୍ତି। ବାକ୍ସ ଚୋରି କରି ନେଇଥିବା ଯୁବକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଯଦି ନ୍ୟାୟ ନ ମିଳେ ତେବେ କୁଳାଧିପତି ତଥା ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଗୋଟିଏ ଶିକ୍ଷକ ଗୋଷ୍ଠୀ କହିଛି। ଏପରିକି ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ(ଫାଉଟା)ର କର୍ମକର୍ତ୍ତାଙ୍କୁ ଏବାବଦରେ ସୂଚିତ କରାଯାଇଥିବା ଜଣାପଡ଼ିଛି। ଶିକ୍ଷକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ କ୍ୟାମ୍ପସ୍‌ରେ ପାଠପଢ଼ା ବ୍ୟାହତ ହେଉଛି। ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଠିକ୍‌ ଭାବେ ହେଉ ନଥିବା ଗୋଟିଏ ଛାତ୍ରଗୋଷ୍ଠୀ ଅଭିଯୋଗ କରିଛନ୍ତି। କୁଳପତିଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ଜଣେ ପୂର୍ବତନ ସଭାପତି କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସମୟରେ ଗଣ୍ଡଗୋଳ ହୋଇଥିବାରୁ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଗତବର୍ଷ କ୍ୟାମ୍ପସ୍‌ରେ ଗାନ୍ଧୀଗିରି କରିଥିଲେ। ଗୋଟିଏ ଦିନ ମୌନ ରହି ଧାରଣାରେ ବସିଥିଲେ। ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ବେଳେ କୁଳପତି କାହିଁକି ଚୁପ୍‌ ବସିଛନ୍ତି। ଏହାଦ୍ବାରା କ୍ୟାମ୍ପସ୍‌ର ବଦନାମ ହେଉନି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଶିକ୍ଷକ ସଂଘ ନିର୍ବାଚନକୁ ନେଇ ବରିଷ୍ଠ ପ୍ରଫେସରଙ୍କ ମଧ୍ୟରେ ଲଢ଼େଇ ଉଗ୍ର ହୋଇଥିବାରୁ ଦୁଇ ଦିନ ହେଲା ବିଶ୍ବବିଦ୍ୟାଳୟ ବଦନାମ ମୁଣ୍ଡାଉଛି। ଗୋଟିଏ ଛାତ୍ର ଗୋଷ୍ଠୀ ଓ ପ୍ରଫେସର୍‌ଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଏପରିକି କେଉଁମାନେ ନାମାଙ୍କନ ବାକ୍ସ ଛଡ଼ାଇନେଲେ ଓ ରିଟର୍ଣ୍ଣିଂ ଅଫିସରଙ୍କୁ କେଉଁମାନେ ଦୁର୍ବ୍ୟବହାର କଲେ ତାହାର ବି ଖୋଳତାଡ଼ ହେଉନି। ଦିନକୁ ଦିନ ସମସ୍ୟା ଜଟିଳ ହେଉଥିବା ବେଳେ ରାଜନୈତିକ ହସ୍ତକ୍ଷେପ ଆରମ୍ଭ ହୋଇଯାଇଛି। ରାଜନୈତିକ ଦଳର ଯୁବନେତାମାନେ ଶିକ୍ଷକ ଗଣ୍ଡଗୋଳରେ ହସ୍ତକ୍ଷେପ କରିଛନ୍ତି। ବିବାଦକୁ ବଡ଼ ରୂପ ଦେବାକୁ ଉଦ୍ୟମ କରୁଛନ୍ତି। ଛାତ୍ର ସଂସଦ ନିର୍ବାଚନ ହେଉ ନଥିବାରୁ କ୍ୟାମ୍ପସ୍‌ରେ ଶିକ୍ଷକ ସଂଘ ନିର୍ବାଚନ ବି ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଏପରିକି ଗୋଟିଏ ଗୋଷ୍ଠୀର ଛାତ୍ର ଶନିବାର କ୍ୟାମ୍ପସରେ ଧାରଣା ଦେବ ବୋଲି ସୂଚନା ମିଳିଛି। ଏଭଳି ଯଦି ହୁଏ ତେବେ କ୍ୟାମ୍ପସରେ ଶିକ୍ଷକ ରାଜନୀତି ଆହୁରି ସରଗରମ ରହିବ।

ସମ୍ବନ୍ଧିତ ଖବର