ଉତ୍କଳ ବିଶ୍ବବିଦ୍ୟାଳୟ@୭୫, ଲୋଗୋ ଉନ୍ମୋଚନରେ ଅଟକିଗଲା ପ୍ଲାଟିନମ୍‌ ଜୁବଲି

ଅର୍ଥ ବ୍ୟବସ୍ଥା କି କାର୍ଯ୍ୟକ୍ରମର ଆଭାସ ନାହିଁ, କମିଟି ଗଠନ ହେଲା, ବୈଠକ ବସିଲାନି

ଭୁବନେଶ୍ବର: ପ୍ଲାଟିନମ୍‌ ଜୁବଲି ପାଳନ କରୁଛି ଉତ୍କଳ ବିଶ୍ବବିଦ୍ୟାଳୟ। ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନ ଗତ ବର୍ଷେ ହେଲା ୭୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଆସନ୍ତା ନଭେମ୍ବର ୨୭ରେ ପ୍ରତିଷ୍ଠା ଦିବସ ପାଳନ ହେବ। ହେଲେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନର କୌଣସି କାର୍ଯ୍ୟକ୍ରମ ଏ ପର୍ଯ୍ୟନ୍ତ ହୋଇନି। ଗତ ଅଗଷ୍ଟ ୭ ତାରିଖରେ ପ୍ଲାଟିନମ୍‌ ଜୟନ୍ତୀ ଲୋଗୋ ଉନ୍ମୋଚନ ହେବା ସହ ପୁରାତନ ଓ ବର୍ତମାନ ଛାତ୍ରଛାତ୍ରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଉତ୍ସବକୁ ନିଆରା ଓ ବିଶ୍ବସ୍ତରୀୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଉତ୍ସବରେ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆକଳନ କରିଥିଲେ। ମାସାଧିକକାଳ ଉତ୍ସବ ପାଳନ କରିବା ପାଇଁ ବିଭିନ୍ନ କମିଟି ବି ଗଠନ ହୋଇଥିଲା। ପ୍ଲାଟିନମ୍‌ ଉତ୍ସବ କମିଟି ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ବି ନିଯୁକ୍ତି ଦିଆଯାଇଥିଲା। ଇତି ମଧ୍ୟରେ ଲୋଗୋ ଉନ୍ମୋଚନକୁ ୩ ମାସ ବିତିଯାଇଛି। କିନ୍ତୁ ପ୍ଲାଟିନମ୍‌ ଜୁବଲିର ସ୍ବର ଶବ୍ଦ ହିଁ ନାହିଁ। ଅର୍ଥ ବ୍ୟବସ୍ଥା ହୋଇନି କି କାର୍ଯ୍ୟକ୍ରମ ହେଉନି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଏଭଳି ନିରବତାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପୂର୍ବତନ ଛାତ୍ରଛାତ୍ରୀ।

ପ୍ଲାଟିନମ୍ ଜୁବୁଲିର ପ୍ରଥମ ବୈଠକ ତଥା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ୭ ସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ୧୫ ଜଣ ପ୍ରଫେସରଙ୍କୁ ନେଇ ବିଭିନ୍ନ କମିଟି ଗଠନ ହୋଇଥିଲା। ଏଥିରେ ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ, ବିଧାୟକ, ଛାତ୍ରନେତାମା‌ନେ ସାମିଲ ହୋଇ ଉତ୍ସବ ପାଳନ ଅର୍ଥ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର, ୟୁଜିସି ସମେତ ବିଭିନ୍ନ କର୍ପୋରେସନଙ୍କ ସହଯୋଗ ଲୋଡ଼ାଯିବ ‌ବୋଲି ସ୍ଥିର ହୋଇଥିଲା। ବିଭିନ୍ନ ସ˚ସ୍ଥାର ସିଏସ୍‌ଆର ଫଣ୍ତ୍‌ରୁ କିଭଳି ଅନୁଦାନ ଆସିପାରିବ, ସେନେଇ ଆଲୋଚନା କରିବାକୁ ଏକ କମିଟି ଗଠିତ ହୋଇଥିଲା। ଗତ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଘୋଷଣା କରିଥିଲେ। ଏଥିସହ ସ୍ମରଣିକା ପ୍ରକାଶ, କଫି ଟେବୁଲ୍‌ ପୁସ୍ତକ, ସା˚ସ୍କୃତିକ ସନ୍ଧ୍ୟା, ମେମୋରିଆଲ୍‌ ଲେକଚର, କ୍ୟାଲେଣ୍ତର/ଡାଏରି ପ୍ରକାଶ, ଆଲୁମିନି ମିଟ୍‌ ଆଦି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଆସନ୍ତା ୨୭ ତାରିଖରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କିଛି ବି ଆଗେଇ ପାରିନି। କେବଳ ବକ୍ତୃତା ପ୍ରଦାନ ଚାଲିଛି। ‌ବିଶ୍ବବିଦ୍ୟାଳୟର ଯେଉଁ ବିଭାଗ ପକ୍ଷରୁ ବକ୍ତୃତା ହେଉଛି, ତାହାକୁ ପ୍ଲାଟିନମ୍‌ ଜୁବୁଲି ଲେକଚର ବୋଲି କୁହାଯାଉଛି। ପ୍ରତିଷ୍ଠା ଦିବସକୁ ୧୫ଦିନ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ସ୍ବତନ୍ତ୍ର ଫାଟକ ନିର୍ମାଣ, ପ୍ଲାଟିନମ୍‌ ଜୟନ୍ତୀ ୱେବ୍‌ସାଇଟ୍‌, ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ବ୍ୟକ୍ତିତ୍ବଙ୍କୁ ନେଇ ଆଲୋଚନାଚକ୍ର ଓ କର୍ମଶାଳା, କ୍ରୀଡ଼ା, ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ବକ୍ତୃତା ଇତ୍ୟାଦି ପ୍ରତିଯୋଗିତା, ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ବାଣୀବିହାର କ୍ୟାମ୍ପସକୁ ପରିସ୍କାର ପରିଚ୍ଛନ୍ନ ରଖିବା, ପୁରାତନ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ପ୍ଲାଟିନମ୍‌ ଜୟନ୍ତୀ ଭବନ, ଏନ୍‌ଏସ୍‌ଏସ୍‌ ଭବନ, କ୍ଷୁଦ୍ର ଫିଲ୍ମ ପ୍ରସ୍ତୁତ, ସୃଜନଶୀଳ ପ୍ରବନ୍ଧ, କବିତା ଓ ଗଳ୍ପ ପ୍ରତିଯୋଗିତା, ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଇତ୍ୟାଦି କରିବାକୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ହୋଇପାରିନି। ପ୍ଲାଟିନମ୍‌ ଜୁବୁଲି କମିଟିର ଓଏସ୍‌ଡି ନିଯୁକ୍ତ ହେବା ସହ ଉତ୍ସବ ଅବସରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରଫେସର, ପ୍ରାଧ୍ୟାପକ, ଅଧ୍ୟାପକଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଥିଲା। କେଉଁ କମିଟିରେ କିଏ ରହିବେ ତାହାର ବି ତାଲିକା ପ୍ରକାଶ ପାଇଥିଲା। ହେଲେ କମିଟିର ଗୋଟିଏ ବି ବୈଠକ ଏ ପର୍ଯ୍ୟନ୍ତ ବସି ନାହିଁ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୭ରେ ହେବାକୁ ଥିବା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ସେଭଳି କୌଣସି ବିଶିଷ୍ଟ ଅତିଥିଙ୍କୁ ଡକା ଯାଇନାହିଁ। ବରଂ ପ୍ରତିବର୍ଷ ପରି ଏଥର ମଧ୍ୟ ‌ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ମୁଖ୍ୟଅତିଥି ଭା‌ବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବ ପାଇଁ ପ୍ରସ୍ତୁତ ହୋଇଥିବା ନିମନ୍ତ୍ରଣ ପତ୍ରରେ ବି ପ୍ଲାଟିନମ୍‌ ଜୁବୁଲି ସମ୍ପର୍କରେ ଉଲ୍ଲେଖ ହୋଇନି। ଆସନ୍ତା ୧୯ ଓ ୨୦ ତାରିଖରେ ଲିଟେରାରି ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଯୋଜନା ରହିଛି। ‌ହେଲେ ସେଥିରେ ପ୍ଲାଟିନମ୍‌ ଜୁବଲି ଶବ୍ଦ ବ୍ୟବହାର ହୋଇ ନଥିବା ଜଣାପଡ଼ିଛି। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନି।

ସମ୍ବନ୍ଧିତ ଖବର