ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ବିବାଦ ଥମିବାର ନାଁ ଧରୁନି। ଦୁଇ ଶିକ୍ଷକ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ଛାତ୍ରମାନଙ୍କୁ ସାମିଲ କରାଯାଇଛି। ଗୋଟିଏ ନିର୍ଦିଷ୍ଟ ରାଜନୈତିକ ଦଳର ଦୁଇ ଛାତ୍ରଗୋଷ୍ଠୀ ଏବେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛାତ୍ରମାନେ ଶିକ୍ଷକ ସଂଘ ନିର୍ବାଚନକୁ ବିରୋଧ କରୁଥିବା ବେଳେ ଆଜି ଅନ୍ୟ ଗୋଷ୍ଠୀ ନିର୍ବାଚନ ସପକ୍ଷରେ ମତ ରଖିଛି। ଏହାକୁ ନେଇ ୪ଦିନ ଧରି କ୍ୟାମ୍ପସ୍ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଅନ୍ୟପଟେ ବିଶ୍ବବିଦ୍ୟାଳୟ କୁଳପତି କିମ୍ବା କୁଳସଚିବ କୌଣସି ଠୋସ୍ ପଦକ୍ଷେପ ନ ନେବାରୁ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗୋଟିଏ ଛାତ୍ର ଗୋଷ୍ଠୀ ଗଣତନ୍ତ୍ର ସୁରକ୍ଷା ଦାବିରେ କୁଳପତିଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। କୁଳପତିଙ୍କୁ ଭେଟି କ୍ୟାମ୍ପସରେ ଶାନ୍ତି ପ୍ରତିଷ୍ଠା ଲାଗି ଅନୁରୋଧ କରିଥିଲେ। ଉଭୟ ଗୋଷ୍ଠୀର ଶିକ୍ଷକଙ୍କୁ ଡାକି ସମାଧାନର ବାଟ ବାହାର କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଅନ୍ୟ ଛାତ୍ରଗୋଷ୍ଠୀ ଶିକ୍ଷକ ନିର୍ବାଚନ ବନ୍ଦ ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ଘେରିଥିଲେ। ସେମାନେ କହିଥିଲେ ଯେ ବର୍ତ୍ତମାନ ବିଶ୍ବବିଦ୍ୟାଳୟ ବିଭିନ୍ନ ବିଭାଗର ପରୀକ୍ଷା ଚାଲିଛି। ପ୍ଲାଟିନମ୍ ଜୁବୁଲି ପାଳନ ପାଇଁ ବିଶ୍ବ ବିଦ୍ୟାଳୟରେ ଯେଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପାଇଁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଗଲା। ତେବେ କେଉଁ ସ୍ବାର୍ଥରେ ଶିକ୍ଷକମାନେ ନିର୍ବାଚନ ପାଇଁ ଆଗଭର ହୋଇଛନ୍ତି ବୋଲି ଛାତ୍ରମାନେ ଯୁକ୍ତି ବାଢ଼ିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ସଂଘ ଆଇନ୍କୁ ଉଲଂଘନ କରିଛି। ସଂଘର ନାମ ପୂର୍ବରୁ ‘ଉତ୍କଳ ବିଶ୍ବବିଦ୍ୟାଳୟ’ ନ ରଖିବା ପାଇଁ ନିୟମ ଥିଲେ ମଧ୍ୟ କେଉଁ ଆଧାରରେ ‘ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ’ ରଖାଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ‘ଲୋଗୋ’ ବ୍ୟବହାର ନେଇ କଟକଣା ଥିଲେ ମଧ୍ୟ ଏହାକୁ ବ୍ୟବହାର କରାଯାଇଛି ବୋଲି ଛାତ୍ରମାନେ କହିଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଛାତ୍ରମାନେ କୁଳାଧିପତିଙ୍କ ଦ୍ବାରସ୍ଥ ହେବେ ଚେତାବନୀ ଦେଇଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ ବିବାଦ, ଆଗକୁ ଆସିଲେ ଛାତ୍ର ସଂଗଠନ
୨ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ, ଆଗକୁ ଆସିଲେ ଛାତ୍ର ସଂଗଠନ
/sambad/media/post_attachments/wp-content/uploads/2018/12/Untitled-17-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)