ଉତ୍କଳ ବିଶ୍ବବିଦ୍ୟାଳୟ ଅଧ୍ୟାପକ ଗୋଷ୍ଠୀ ବିବାଦ: ରାଜଭବନ ଅଧିକାରୀଙ୍କ ତନାଘନା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଗୋଷ୍ଠୀର ଅଧ୍ୟାପକଙ୍କ ମଧ୍ୟ‌ରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ୭ ଜଣିଆ କମିଟି ଗଠନ ହୋଇଛି। ୨୪ ତାରିଖରେ ଏହି କମିଟି ରିପୋର୍ଟ ଦେବାକୁ ଥିବା ବେଳେ ଗୋଟିଏ ଅଧ୍ୟାପକ ଗୋଷ୍ଠୀ କମିଟିକୁ ବିରୋଧ କରିଛି। କମିଟିରେ ସାମିଲ ହୋଇଥିବା ସମସ୍ତ ପ୍ରଫେସର ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘର ସଦସ୍ୟ ହୋଇଥିବାରୁ ତଦନ୍ତର ନିରପେକ୍ଷତା ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। କ୍ୟାମ୍ପସ ବାହାରର ବ୍ୟକ୍ତିଙ୍କୁ ନେଇ ତଦନ୍ତ କମିଟି ଗଠନ କରିବାକୁ ସେମାନେ ଦାବି କରିଛନ୍ତି। ଅଧ୍ୟାପକ ଗୋଷ୍ଠୀ ବିବାଦ ସହ ଛାତ୍ରମାନେ ବି ସାମିଲ ହୋଇଥିବାରୁ କ୍ୟାମ୍ପସରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏନେଇ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଏକାଧିକ ଅଭିଯୋଗ ପହଞ୍ଚିବା ପରେ ତନାଘନା ଆରମ୍ଭ ହୋଇଛି। କୁଳାଧିପତିଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଗତ ବୁଧବାର କ୍ୟାମ୍ପସକୁ ଗସ୍ତ କରିଥିଲେ। ଅଧ୍ୟାପକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ତୁରନ୍ତ ସମାଧାନ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଏପରିକି ୭ ଦିନ ମଧ୍ୟରେ ଏଦିଗରେ କ’ଣ ପଦକ୍ଷେପ ନିଆଯାଇଛି ସେବିଷୟରେ ଜଣାଇବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ କ୍ୟାମ୍ପସର ଭିତ୍ତିଭୂମି ନେଇ ମଧ୍ୟ ଅଧିକାରୀ ଜଣକ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ବିଶ୍ବବିଦ୍ୟାଳୟ ଚାରିପାଖରେ ପାଚେରି ନିର୍ମାଣ ହୋଇପାରୁ ନାହିଁ। ପଥରବନ୍ଧ ଓ ଲକ୍ଷ୍ମୀବିହାରକୁ ଲାଗିଥିବା ପାଚେରି ଭାଙ୍ଗି ଯାଇଥିଲେ ମଧ୍ୟ ପୁନର୍ନିମାଣ କରାଯାଇ ପାରୁନି। ତେଣୁ ସମ୍ପୃକ୍ତ ଅଧିକାରୀ ଜଣକ ଭାଙ୍ଗିଥିବା ପାଚେରି ଓ ଜବରଦଖଲ ହୋଇଥିବା ଅଞ୍ଚଳ ବୁଲି ଦେଖିଥିଲେ। କ୍ୟାମ୍ପସ ଭିତରେ ଗଢ଼ି ଉଠିଥିବା ବସ୍ତି ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ ବୋଲି ଅଧିକାରୀ ଜଣକ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ୭ ନମ୍ବର ହଷ୍ଟେଲରେ ଅଣଛାତ୍ର ଏବେ ଆଡ଼ା ଜମାଇଥିବା ବି ଅଭିଯୋଗ ହୋଇଥିଲେ। ସେଠାକୁ ଯାଇ ଅଧିକାରୀ ଜଣକ ବୁଲି ଦେଖିଥିଲେ। ଶେଷରେ ବିଶ୍ବବିଦ୍ୟାଳୟ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା ପରେ ସମସ୍ୟାଗୁଡ଼ିକର ସମାଧାନ କରିବାକୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର