ଉତ୍କଳ ବିଶ୍ବବିଦ୍ୟାଳୟର କୃଷି ବ୍ୟବସାୟ ପରିଚାଳନା କେନ୍ଦ୍ର, ବିଦ୍ୟାଳୟ କ୍ୟାମ୍ପସରେ କରିବ ବଗିଚା

ଭୁବ‌ନେଶ୍ବର: ୨୦୦୬ ମସିହାରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା କୃଷି ବ୍ୟବସାୟ ପରିଚାଳନା କେନ୍ଦ୍ର (ସେଣ୍ଟର ଫର ଏଗ୍ରି-ମ୍ୟାନେଜମେଣ୍ଟ ବା ସିଏଏମ୍‌) ଓଡ଼ିଶାରେ ବେଶ୍‌ ପ୍ରତିଷ୍ଠିତ ହୋଇପାରିଛି। ବିଶ୍ୱବିଦ୍ୟାଳୟରେ କୃଷି ପରିଚାଳନା (ଏମବିଏ ଏଗ୍ରିବ୍ୟୁଜିନେସ୍)ରେ ଦୁଇବର୍ଷିଆ ପୋଷ୍ଟ ଗ୍ରାଜୁଏଟ୍‌ରେ ଶିକ୍ଷା ପ୍ରଦାନ କରୁଥିବା ଏହି ବିଭାଗ ଛାତ୍ର, ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ, କୃଷକଙ୍କୁ ମାର୍ଗଦର୍ଶନ କରିବା ସହ ନର୍ସରୀ, ଛତୁ ଚାଷ, ଡକ୍-ଫିସ୍ ଇଣ୍ଟିଗ୍ରେଟେଡ୍, କୃଷି ଉଦ୍ୟୋଗଗୁଡିକର ବିକାଶ ଦିଗରେ କାର୍ଯ୍ୟ କରୁଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଜୀବନ୍ତ ଲ୍ୟାବ୍‌ (ଶିକ୍ଷା ଓ ପରୀକ୍ଷାମୂଳକ ପ୍ଲାଟଫର୍ମ) ପ୍ରତିଷ୍ଠା କରିଛି। ଚାଷ, ପ୍ରାକୃତିକ ଚାଷ, ଭର୍ମିନ୍ କମ୍ପୋଷ୍ଟ, ବାୟୋ କମ୍ପୋଷ୍ଟ, ମହୁମାଛି ରଖିବା, ସହରୀ ଚାଷ ଇତ୍ୟାଦି କାର୍ଯ୍ୟ ଜାରି ରଖିଥିବା‌ ସିଏଏମ୍‌ ଆଗାମୀ ଦିନରେ କିଛି ବିଦ୍ୟାଳୟରେ ପୁଷ୍ଟିକରଯୁକ୍ତ ବଗିଚା ବିକାଶ କରିବାକୁ ଯୋଜନା ରଖିଛି ‌ବୋଲି କେନ୍ଦ୍ରର ବିଭାଗୀୟ ମୁଖ୍ୟ ଦୀପକ କୁମାର ରାମ କହିଛନ୍ତି।

କରୋନା ଭୂତାଣୁ ପରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଦ୍ବାରା ଚାଷୀମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ଏହା ଉପରେ ଅଧ୍ୟୟନ ଜାରି ରଖିଛି ଏହି କେନ୍ଦ୍ର। ଶ୍ରୀ ରାମଙ୍କ କହିବାନୁଯାୟୀ, ଏବର୍ଷ ଭଲ ଲାଭ କରିବେ ବୋଲି ଚାଷୀ ଆଶା ବାନ୍ଧିଥିଲେ। ତେବେ କୋଭିଡ୍‌-୧୯ ସେମାନଙ୍କ ଜୀବନ ଓ ଜୀବିକାକୁ କ୍ଷତିଗ୍ରସ୍ତ କରିଛି। ସେମାନେ ଉତ୍ପାଦନ କରିଥିବା ଫଳ ଓ ପନିପରିବା (ଯାହା ଅଳ୍ପ ସମୟ ଅବଧି ମଧ୍ୟରେ ଖରାପ ହୋଇଯାଏ) କ୍ଷତିଗ୍ରସ୍ତ ହୋଇଛି। ସ୍ବଳ୍ପ ଶୀତଳ ଭଣ୍ଡାର ଓ ପ୍ରକୃଷ୍ଟ ଗୋଦାମ ଘର ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। କରୋନା ପରବର୍ତୀ ସମୟରେ କୃଷି ଉତ୍ପାଦରେ ଉଚିତ ମୂଲ୍ୟଯୁକ୍ତୀକରଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ବହୁ ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦର ପ୍ରକ୍ରିୟାକରଣର ବହୁତ ଆବଶ୍ୟକତା ରହିଛି। ଏହି ସମସ୍ୟାର ନିରାକରଣ ପାଇଁ ମୁଖ୍ୟତଃ ଦୁଇଟି ଉପାୟ ରହିଛି। ପ୍ରଥମତଃ ନୂତନ ଶୀତଳୀକରଣ ଭଣ୍ଡାରର ସ୍ଥାପନ ତଥା ବର୍ତମାନ ଉପଲବ୍ଧ ଭଣ୍ଡାରଗୁଡ଼ିକର ଉନ୍ନତିକରଣ କରାଯିବା ଉଚିତ। ଏଥିସହ ଏହି ଭଣ୍ଡାରଗୁଡ଼ିକ ଉତ୍ପାଦନ ହେଉଥିବା ଅଞ୍ଚଳରେ ହିଁ ପ୍ରତିଷ୍ଠା ହେବା ଦରକାର। ଯାହାଦ୍ବାରା ସମୟ ଓ ଖର୍ଚ୍ଚର ଉପଚୟ ରୋକାଯାଇପାରିବ। ଦ୍ବିତୀୟତଃ ଉତ୍ପାଦିତ ହେଉଥିବା ଫଳ ଓ ପନିପରିବାର ସଠିକ୍‌ ପ୍ରକ୍ରିୟାକରଣ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରାଯାଇପାରିବ। ଯାହା ପରବର୍ତୀ ସମୟରେ ବହୁ ଦିନ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ବ୍ୟବହାର ଉପଯୋଗୀ ହୋଇ ରହିପାରିବ। ଫଳରେ ବିଭିନ୍ନ ଦ୍ରବ୍ୟର ଗୁଣବତ୍ତା ବଢ଼ିବା ସହ ମୂଲ୍ୟ ବୃଦ୍ଧି ହୋଇପାରିବ।

ଫଳ ଓ ପନିପରିବାର ଉତ୍ପାଦନ ପରେ ବିଭିନ୍ନ ଭ୍ରାମ୍ୟମାଣ ପ୍ରକ୍ରିୟାକରଣ ବ୍ୟବସ୍ଥା ମାଧ୍ୟମରେ ଏହାର ରସ ଓ ମଣ୍ଡ ବାହାର କରିବା ପରେ ବିଭିନ୍ନ ବୋତଲ, ପ୍ୟାକେଟ୍‌ରେ ଭର୍ତ୍ତି କରି ରଖାଯାଇପାରିବ। ଏହି ସବୁ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ବହୁ ଦିନ ପର୍ଯ୍ୟନ୍ତ ରହିବ। ଓଡ଼ିଶାରେ ଆମ୍ବ, ଲିଚୁ, କାଜୁ, ଟମାଟୋ ଆଦି ଫସଲକୁ ଏହି ପ୍ରକ୍ରିୟା ମାଧ୍ୟମରେ ରଖାଯାଇପାରିବ। ଏହାଦ୍ବାରା କୋଭିଡ୍‌-୧୯ ସମୟରେ ଅଭାବୀ ବିକ୍ରିକୁ ରୋକାଯିବା ସହ ଚାଷୀ ତାହାର ଉଚିତ ମୂଲ୍ୟ ପାଇପାରିବେ। କୋଭିଡ୍‌-୧୯ ସମୟରେ ଦୁଗ୍ଧ ଯୋଗାଣ ସାମାନ୍ୟ ପ୍ରଭାବିତ ହୋଇଥିଲା। ଅନେକ ଦୁଗ୍ଧ ଚାଷୀ ଶହ ଶହ ଲିଟର କ୍ଷୀର ରାସ୍ତାରେ ଢା‌ଳିଥିଲେ। କ୍ଷୀରକୁ ସ୍ଥାନୀୟ ଟେକ୍ନୋଲୋଜି ବ୍ୟବହାର କରି ପ୍ରକ୍ରିୟାକରଣ ମାଧ୍ୟମରେ ଦୁଗ୍ଧଜାତ ଦ୍ରବ୍ୟ (ବଟର, ପନିର, ଘିଅ) ପ୍ରସ୍ତୁତ କରାଯାଇପାରିବ। ସେହିପରି ଆମ୍ବରୁ ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦ ବିକଶିତ ହୋଇପାରିବ, ଯାହାର ଦେଶ ତଥା ବିଦେଶରେ ଏକ ବିଶାଳ ବଜାର ରହିଛି।

ସମ୍ବନ୍ଧିତ ଖବର