ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ୱେବ୍‌ସାଇଟ୍‌ ଲୋକାର୍ପିତ: ‘ସଦିଚ୍ଛା ଓ ସମ୍ପୃକ୍ତି ଦ୍ବାରା ବୃହତ୍ତର କଲ୍ୟାଣ ସମ୍ଭବ’

ଭୁବନେଶ୍ବର: ପ୍ରତ୍ୟେକ ମଣିଷ ହେଉଛି ଈଶ୍ୱରଙ୍କ ଅଂଶବିଶେଷ, ଦିବ୍ୟତାର ସ୍ୱରୂପ। ତେଣୁ ସମସ୍ତଙ୍କ ସହଯୋଗ, ସଦିଚ୍ଛା ଓ ସଂପୃକ୍ତି ମାଧ୍ୟମରେ ବୃହତ୍ତର କଲ୍ୟାଣ ସମ୍ଭବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତ ପ୍ରକାଶ କରିଛନ୍ତି। ଆଜି ରାଜଭବନଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ୱେବ୍‌ସାଇଟ୍‌କୁ ଲୋକାର୍ପଣ କରି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର୍‌ ଲାଲ୍‌ କହିଲେ, ଅନ୍ୟର ସେବାରେ ଯେଉଁ ନିର୍ମଳ ଆନନ୍ଦ ରହିଛି, ତା’ର କୌଣସି ବିକଳ୍ପ ନାହିଁ। ଆତ୍ମୀୟତା ହିଁ ଉତ୍ତରଣର ମାର୍ଗଦର୍ଶକ। ଛାତ୍ରସଂଘର ମହତ୍‌ ପ୍ରୟାସ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଛି। ଏବେ ୱେବସାଇଟ୍‌ ଜରିଆରେ ଯୋଡ଼ିବାର ପ୍ରକ୍ରିୟା ଓ ଏହାର ସମନ୍ୱିତ କ୍ରିୟା ନିଶ୍ଚିତ ରୂପେ ଫଳପ୍ରଦ ହେବ। ଛାତ୍ର ସଂଘର କାର୍ଯ୍ୟ ଓ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି।

ପୁରାତନ ଛାତ୍ରସଂଘ ସଭାପତି ବିଜୟ କୁମାର ପଟ୍ଟନାୟକ ସଂଘର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଲେ, ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ କର୍ମନିଯୁକ୍ତି ଲାଗି ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର। ବିଶ୍ୱବିଦ୍ୟାଳୟକୁ ପ୍ଲାଷ୍ଟିକମୁକ୍ତ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି। ବହୁ ପରିମାଣରେ ସଫଳତା ବି ମିଳିଛି। ପୁରାତନ ଛାତ୍ରଛାତ୍ରୀ ସାଧ୍ୟମତେ ବିଶ୍ୱବିଦ୍ୟାଳୟର ବିକାଶରେ ସହାୟକ ହେବେ ବୋଲି ସେ କହିଥିଲେ। ପୁରାତନ ଛାତ୍ରସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ଯୋଗଦେଇ ବିଶ୍ୱବିଦ୍ୟାଳୟର ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ, ସମର୍ଥନ ଓ ସମ୍ପୃକ୍ତି କାମନା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ବିଶେଷ ଫଳପ୍ରଦ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୁରାତନ ଛାତ୍ରସଂଘର କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ବିଷୋୟୀ, ଯୁଗ୍ମ ସଂପାଦକ ରଘୁନାଥ ପୃଷ୍ଟି, ଉପସଭାପତି ଦେବେନ୍ଦ୍ର କୁମାର ଦାସ, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସମେତ ସଂଘର ବହୁ ପ୍ରମୁଖ ସଭ୍ୟସଭ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର