ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ର କେଉଁଠି ‘୧୮୧’ ଲେଖା ନ ଥିଲା। ହଷ୍ଟେଲ୍‌ରେ ପୋଷ୍ଟର ଲାଗି ନଥିଲା କି କ୍ୟାଣ୍ଟିନ୍‌ରେ ଦୃଶ୍ୟମାନ ହେଉ ନଥିଲା। ମାତ୍ର ବିଶ୍ବବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ବରିଷ୍ଠ ମହିଳା ଅଧିକାରୀ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆସିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସଜାଗ ହୋଇଉଠିଛନ୍ତି। କ୍ୟାମ୍ପସ୍‌ର କେତେକ ସ୍ଥାନରେ ‘୧୮୧’ ନମ୍ବର ଲଗାଯାଇଛି। ଯେଉଁଥିରେ ଦର୍ଶାଇଛନ୍ତି ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ହେଲ୍ପଲାଇନ୍‌ ନମ୍ବର ‘୧୮୧’। ଅର୍ଥାତ୍‌ କ୍ୟାମ୍ପସ୍‌ରେ ଯଦି କୌଣସି ଛାତ୍ରୀ କିମ୍ବା ମହିଳା କୌଣସି ପ୍ରକାର ନିର୍ଯାତନାର ଶିକାର ହୁଅନ୍ତି ତାହା ହେଲେ ତୁରନ୍ତ ‘୧୮୧’ ନମ୍ବରକୁ ଯୋଗାଯୋଗ କରିପାରିବେ।

Advertisment

କେବଳ ସେତିକି ନୁହେଁ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ସମ୍ପର୍କରେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛିଟା ପଦକ୍ଷେପ ନେଇଛନ୍ତି। ପରିଜା ପାଠାଗାର ପ୍ରବେଶପଥ କାନ୍ଥରେ ହେଲ୍ପଲାଇନ୍‌ ନମ୍ବର ଲେଖିବା ସହ ଆଇସିସି ସଦସ୍ୟମାନଙ୍କ ନାମ, ପଦବି, ଫୋନ୍‌ ନମ୍ବର ଓ ମେଲ୍‌ ଆଇଡି ଉଲ୍ଲେଖ ହୋଇଛି। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ପ୍ରଫେସର କିମ୍ବା କର୍ମଚାରୀ ଯିଏ କେହି ନିର୍ଯାତନାର ଶିକାର ହେଲେ, ଆଇସିସି ସଦସ୍ୟଙ୍କ ସହାୟତା ଲୋଡ଼ିପାରିବେ। ମନୋବିଜ୍ଞାନ ବିଭାଗ ପ୍ରଫେସର ଭାସ୍ବତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ମୋଟ୍‌ ୭ଜଣ ସଦସ୍ୟ ରହିଛନ୍ତି। ଜଣେ ଛାତ୍ର/ଛାତ୍ରୀଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ଦିଆଯିବ ବୋଲି ଲଗାଯାଇଥିବା ନୋଟିସ୍‌ରେ ଦର୍ଶାଯାଇଛି। ତେବେ ଏକ ନମ୍ବର ଛାତ୍ରାବାସ ଆଗରେ ‘୧୮୧’ ସମ୍ପର୍କରେ ଉଲ୍ଲେଖ ହୋଇଥିଲେ ମଧ୍ୟ ଦୁଇନମ୍ବର ହଷ୍ଟେଲ କାନ୍ଥରେ ଆଜି ଦେଖିବାକୁ ମିଳି ନଥିଲା। ପ୍ରବେଶପଥ, ଅଳକା ମାର୍କେଟ୍‌, ଗୋବିନ୍ଦ ସାହୁ ମାର୍କେଟ୍‌, ଗ୍ଲାସ୍‌ କ୍ୟାଣ୍ଟିନ୍‌, ସେଣ୍ଟ୍ରାଲ କ୍ୟାଣ୍ଟିନ‌ରେ ବହୁ ଛାତ୍ରଛାତ୍ରୀ ଏକାଠି ହେଉଥିଲେ ମଧ୍ୟ ସେଠାରେ ‘୧୮୧’ ପୋଷ୍ଟର ଦେଖିବାକୁ ମିଳି ନାହିଁ।

ଅଧା ଛାତ୍ରାବାସ, କ୍ୟାଣ୍ଟିନ୍‌, ମାର୍କେଟ୍‌ରେ ଦେଖିବାକୁ ମିଳୁନି
ପାଠାଗାର ଆଗରେ ଲାଗିଲା ଆଇସିସି ସଦସ୍ୟଙ୍କ ତାଲିକା

ଅନ୍ୟପକ୍ଷରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ(ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ(ପୋସ ଆକ୍ଟ), ୨୦୧୩ ଓ ଏସମ୍ପର୍କରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ ସହ ସଚେତନତା କର୍ମଶାଳା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ଯେଉଁଥିରେ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ସାମିଲ ସହ ଶପଥ ଗ୍ରହଣ କରିଥାନ୍ତେ। ସେହି ଅନୁଯାୟୀ ଜୁଲାଇ ୨୫ରେ ବିଶ୍ବବିଦ୍ୟାଳୟରେ କର୍ମଶାଳା ଆୟୋଜିତ ହୋଇଥିଲେ ମଧ୍ୟ କ୍ୟାମ୍ପସ୍‌ର ସମସ୍ତ ଛାତ୍ରଛାତ୍ରୀ କିମ୍ୱା ମହିଳା କର୍ମଚାରୀ ସାମିଲ ହୋଇ ନଥିଲେ। ବରଂ ଅଳ୍ପ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଅଗଷ୍ଟ ୧ରେ ଯେଉଁ ବରିଷ୍ଠ ମହିଳା ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିଥିଲା ସେ ମଧ୍ୟ କର୍ମଶାଳାରେ ଯୋଗଦେଇଥିଲେ। ମହିଳାଙ୍କ ସୁରକ୍ଷା କଥା କହୁଥିବା ମହିଳା ଅଧିକାରୀ କିଭଳି ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଲେ ତାହାକୁ ନେଇ ଦୁଇଦିନ ହେଲା କ୍ୟାମ୍ପସ୍‌ରେ ଚର୍ଚ୍ଚା ଚାଲିଛି। ଦୁଇଦିନ ତଳେ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା କର୍ମଚାରୀ ଜଣକ କହିଥିଲେ ଯେ ମହିଳାଙ୍କ ସୁରକ୍ଷା କଥା କୁହାଯାଉଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ତାହା ପାଳନ ହେଉନି। ୩ ହଜାରରୁ ଅଧିକ ଛାତ୍ରୀ, ମହିଳା କର୍ମଚାରୀ, ପ୍ରଫେସର୍ ରହିଥିବା ବେଳେ କ୍ୟାମ୍ପସ୍‌ର ପ୍ରମୁଖ ସ୍ଥାନରେ ‘୧୮୧’ ଲେଖାଯାଇ ନାହିଁ କିମ୍ୱା ଏସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଉ ନଥିବା ଅଭିଯୋଗ କରିଥିଲେ।
ଏସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦଣ୍ଡପାଟ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ନିୟମ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି। ‘୧୮୧’ ନମ୍ବର କ୍ୟାମ୍ପସ୍‌ର ବିଭିନ୍ନ ସ୍ଥାନ, ପ୍ରଶାସନିକ କୋଠା, ହଷ୍ଟେଲରେ ଲଗାଯାଇଛି। ନିୟମକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।