ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅପରାଗତା-୫, ଦେଖାଇପାରୁନାହାନ୍ତି ଖର୍ଚ୍ଚ ହିସାବ

ହାତେଇଛନ୍ତି ୪୨ କୋଟି, ଟଙ୍କାକର ହିସାବ ନାହିଁ, ୪୮ ଘଣ୍ଟାର ମହଲତ ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବ‌ନେଶ୍ବର: ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ପାଣି ଭଳି ଟଙ୍କା ଦିଆଯାଉଛି। ‌କେତେବେଳେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା-୧)ରେ ତ ଆଉ କେତେବେଳେ ରୁଷା-୨ରେ ମିଳୁଛି ପ୍ରଚୁର ଅର୍ଥ। ତେବେ ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି ତାହାର ହିସାବ ଦେଉନାହାନ୍ତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ସବୁ ଅର୍ଥ ଗ୍ରହଣ କରି ଚୁପ୍‌ ବସି ଯାଉଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ଓ କୁଳସଚିବ ଦୟାନିଧି ନାୟକ। ମାସ ପରେ ମାସ ଗଡ଼ି ଚାଲିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିକଟରେ ୟୁସି (ବିନିଯୋଗ ପ୍ରମାଣପତ୍ର) ଦାଖଲ କରୁନାହାନ୍ତି।

ଏକଥା ଆମେ କହୁନୁ। ଖୋଧ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ଚିଠିରୁ ଏଭଳି ଏକ ରୋଚକ ତଥ୍ୟ ପଦାକୁ ଆସିଛି। ରୁଷା-୧ରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଗ୍ରହଣ କରିଥିବା ଅର୍ଥ ମଧ୍ୟରୁ ଅଳ୍ପ କିଛି ହିସାବ ଦେଇଛନ୍ତି। ୟୁସି ବି ଦାଖଲ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ରୁଷା-୨ରେ ବିଶ୍ବବିଦ୍ୟାଳୟ ଗ୍ରହଣ କରିଥିବା ପାଖାପାଖି ୪୨ କୋଟି ଟଙ୍କା ମଧ୍ୟରୁ ଟଙ୍କା‌କର ବି ହିସାବ ଦେଇ ନାହାନ୍ତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଅର୍ଥ ଗ୍ରହଣ କରି ମନ ଇଚ୍ଛା ଖର୍ଚ୍ଚ କରିଚାଲିଛନ୍ତି। ଗୁଣାତ୍ମକ ଶିକ୍ଷା ବଦଳରେ କୋଠା ନିର୍ମାଣ, ବିଲଡିଂ ମରାମତି, ପ୍ରଚୁର ଟଙ୍କା ଦେଇ ଦୁଇ ମାସ ପାଇଁ ବିଭିନ୍ନ ପଦରେ ନିଯୁକ୍ତି ଦେଉଛନ୍ତି। ପୁରୁଣା କାମକୁ ନୂଆ କରି ଦେଖାଉଛନ୍ତି। ଗୋଟିଏ ଗୋଟିଏ ପ୍ରକଳ୍ପକୁ ଏକାଧିକ ଥର ଶିଳାନ୍ୟାସ କରିବାର ନଜରି ମଧ୍ୟ ପଦାକୁ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଟଙ୍କା ମିଳୁଥିବାରୁ କୁଳପତି ଓ କୁଳସଚିବ ଏମିତି ଅର୍ଥ ଖର୍ଚ୍ଚ କରୁଛନ୍ତି ଯେ କେଉଁ ବାବଦରେ କେତେ ଟଙ୍କା ବ୍ୟୟ କରିଛନ୍ତି ତାହାର ପୂର୍ଣ୍ଣାଙ୍ଗ ‌ରିପୋର୍ଟ ଦେବାର ନାଁ ଗନ୍ଧ ଧରୁନାହାନ୍ତି। ସେପଟେ ବିଶ୍ବବିଦ୍ୟାଳୟ ପକ୍ଷରୁ ୟୁସି ମିଳୁ ନଥିବାରୁ ହରଡ଼ଘଣାରେ ପଡ଼ିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ଫେବ୍ରୁଆରି ୩ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ସେ ରୁଷା ପାଣ୍ଠିର ବିନିଯୋଗ ନେଇ ସମୀକ୍ଷା କରିବେ। ତା’ପୂର୍ବରୁ ରୁଷା-୨ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ମିଳିଥିବା ୪୧.୬୬ କୋଟି ଟଙ୍କାର ହିସାବ ଉଚ୍ଚଶିକ୍ଷା ବିଭାଗ ନିକଟରେ ନାହିଁ। ରୁଷା-୨ର କମ୍ପୋନେଟ୍‌-୪ରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଉତ୍କର୍ଷ‌ରେ ପରିଣତ କରିବା ପାଇଁ ୨୦୧୯ ଫେବ୍ରୁଆରି ୭ରେ ବିଶ୍ବବିଦ୍ୟାଳୟ ପାଇଁ ୧୦୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ସେଥିମଧ୍ୟରୁ ୪୧.୬୬ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି। ପାଖାପାଖି ଏକ ବର୍ଷ ହେଲା ବିଶ୍ବବିଦ୍ୟାଳୟକୁ ଅର୍ଥ ମିଳିଥିଲେ ମଧ୍ୟ କର୍ତୃପକ୍ଷ ଗୋଟିଏ ବି ଟଙ୍କାର ହିସାବ ଦେଇପାରି ନାହାନ୍ତି। ତେଣୁ ଆସନ୍ତା ୩ ତାରିଖରେ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ପହଞ୍ଚିବା ବେଳେ ଉଚ୍ଚଶିକ୍ଷା ବିଭାଗ କିଭଳି ହିସାବ ଦେଖାଇବ ତାହା ଏବେ ଅଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଏନେଇ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ରୁଷା-୨ରେ ବିଶ୍ବବିଦ୍ୟାଳୟକୁ ଯେତିକି ଟଙ୍କା ମିଳିଥିଲା ସେଥିରୁ ଗୋଟିଏ ବି ଟଙ୍କାର ୟୁସି ବିଭାଗ ନିକଟରେ ନାହିଁ। ଏମିତିକି ରୁଷା-୧ରେ ୩.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ ସେଥିରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମାତ୍ର ୧.୪୭ କୋଟି ଟଙ୍କାର ୟୁସି ଦାଖଲ କରିଛନ୍ତି। ବାକି ଟଙ୍କାର ହିସାବ ଏବେ ସୁଦ୍ଧା ମିଳିନି। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ଆସିବା ପୂର୍ବରୁ ଉୟଭ ରୁଷା-୧ ଓ ରୁଷା-୨ର ୟୁସି ଦାଖଲ କରନ୍ତୁ। ଏଥିସହ ଗତ ଡିସେମ୍ବର ୨୦ ତାରିଖରେ ରୁଷା-୧ରେ ଭର୍ଚୁଆଲ ଟ୍ୟୁଟୋରିଆ ‌ପ୍ରୋଜେକ୍ଟର ସମୀକ୍ଷା କରାଯାଇ ସଂଶୋଧିତ ପ୍ରସ୍ତାବ ଦେବାକୁ କୁହାଯାଇଥିଲା। ତେବେ ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ସଂଶୋଧିତ ପ୍ରସ୍ତାବ ପହଞ୍ଚି ପାରିନି। ତେଣୁ ଆସନ୍ତା ୪୮ ଘଣ୍ଟା ତଥା ୨୯ ତାରିଖ (ବୁଧବାର) ସୁଦ୍ଧା ଉଭୟ ୟୁସି ଓ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର