ବାଣୀବିହାରରୁ ସାଇନ୍‌ ଡାଏ ଉଠିବା ପ୍ରସଙ୍ଗ : ହାତ ଟେକିଦେଲା ପୁଲିସ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସୁରକ୍ଷା ନେଇ ହାତ ଟେକି ଦେଇଛି କମିସନରେଟ୍‌ ପୁଲିସ। ଆଜି ବସିଥିବା ପିଜି କାଉନସିଲ୍‌ ବୈଠକରେ ସହିଦନଗର ଥାନା ଆଇଆଇସି କିଶୋର ମୁଣ୍ଡ୍‌ ଏଭଳି ମତ ଦେବା ପରେ ବାଣୀବିହାରରୁ ସାଇନ୍‌ ଡାଏ ଉଠାଇବା ନିଷ୍ପତ୍ତି ନିଆଯାଇ ପାରିନାହିଁ।

ସାଇନ୍‌ ଡାଏ ଉଠିବା ନେଇ ଆଜି ଅପରାହ୍ଣରେ ବସିଥିବା ପିଜି କାଉନସିଲ୍‌ ବୈଠକ ପରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ କହିଛନ୍ତି ଯେ, ପୂଜା ଛୁଟି ପରେ ୬ ତାରିଖରେ ସବୁ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ବାଣୀବିହାରରେ ସାଇନ୍‌ ଡାଏ ଜାରି ରହିଛି। ଦୁଇ ଦିନ ବିଳମ୍ବ ହୋଇଥିବାରୁ ଆଜି ବୈଠକ ଡକାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ବି କରାଗଲା। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଅନୁପସ୍ଥିତ ଥିବାରୁ ସହିଦନଗର ଥାନା ଆଇଆଇସି କିଶୋର ମୁଣ୍ଡଙ୍କୁ ବୈଠକକୁ ଡକାଯାଇଥିଲା। ଯେହେତୁ ଡିସିପି ଅନୁପସ୍ଥିତ ଅଛନ୍ତି ତେଣୁ ସେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିବା ସହ ପୁଲିସ କମିସନରଙ୍କ ସହ ବୈଠକ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଆଇଆଇସିଙ୍କ ପରାମର୍ଶ ପରେ ପୁଲିସ କମିସନରଙ୍କୁ ଭେଟିବା ଲାଗି ଏକ ୯ ଜଣିଆ ସବ୍‌ କମିଟି ଗଠନ କରାଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ବ୍ୟତୀତ ଏହି କମିଟିରେ ପିଜି କାଉନସିଲ୍‌ ଅଧ୍ୟକ୍ଷ, କୁଳସଚିବ, ହଷ୍ଟେଲ ଓ୍ଵାଡେନ୍‌, ଛାତ୍ର ସଂସଦ ଉପଦେଷ୍ଟା, ସିଡିସି ନିର୍ଦେଶକ, କ୍ରୀଡ଼ା ପରିଷଦର ନିର୍ଦେଶକ, ଛାତ୍ର ଉନ୍ନୟନ ପରିଷଦର ନିର୍ଦେଶକ, ସୁରକ୍ଷା ଅଧିକାରୀ ସଦସ୍ୟ ରହିଛନ୍ତି। ସେମାନେ ସମୟ ଧାର୍ଯ୍ୟ କରି ପୁଲିସ କମିସନର୍‌ଙ୍କୁ ଭେଟି କ୍ୟାମ୍ପସ ସୁରକ୍ଷା ଉପରେ ଆଲୋଚନା କରିବେ। ପୁଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ସାଇନ୍‌ ଡାଏ ଉଠିବ ବୋଲି ଅଧ୍ୟକ୍ଷ ପ୍ରଫେସର ଶତପଥୀ କହିଛନ୍ତି।

ଅକ୍ଟୋବର ୨୫ ସୁଦ୍ଧା ମିଡ୍‌ ସେମିଷ୍ଟାର ପରୀକ୍ଷା
ସାଇନ୍‌ ଡାଏ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାତିଲ୍‌ ହୋଇଥିବା ମିଡ୍‌ ସେମିଷ୍ଟାର ପରୀକ୍ଷା ଅକ୍ଟୋବର ୨୫ ସୁଦ୍ଧା ଶେଷ କରିବାକୁ ସମସ୍ତ ବିଭାଗଗୁଡ଼ିକୁ କୁହାଯାଇଛି। ୭ରୁ ୮ଟି ବିଭାଗ ଇତିମଧ୍ୟରେ ପରୀକ୍ଷା ସାରିଥିବା ବେଳେ ଅଧିକାଂଶ ବିଭାଗ କରିନାହାନ୍ତି। ତେଣୁ ସାଇନ୍‌ ଡାଏ ଉଠିବା କ୍ଷଣି ପରୀକ୍ଷା କରାଇବାକୁ ସମସ୍ତ ବିଭାଗକୁ ପିଜି କାଉନସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ ନିର୍ଦେଶ ଦେଇଛନ୍ତି।

୨ ସୁରକ୍ଷାକର୍ମୀ ବହିଷ୍କୃତ
ବିଶ୍ୱବିିଦ୍ୟାଳୟ ପକ୍ଷରୁ ନିୟୋଜିତ ହୋଇଥିବା ସ୍ୱତନ୍ତ୍ର ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଦୁଇ ଜଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ବହିଷ୍କାର କରାଯାଇଛି। ଶୁକ୍ରବାର ରାତିରେ ବିଶ୍ୱବିିଦ୍ୟାଳୟ କୁଳପତି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସମୟରେ ଏଭଳି ତ୍ରୁଟି ଦେଖିବା ପରେ ପଦକ୍ଷେପ ନେଇଛନ୍ତି।

ଛାତ୍ର ସଂସଦ ଉପଦେଷ୍ଟାଙ୍କ ଇସ୍ତଫା
ନିର୍ବାଚନ କରିବାରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବିଫଳ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଜୟନ୍ତ ପରିଡ଼ା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ତାଙ୍କ ଇସ୍ତଫାପତ୍ର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଇସ୍ତଫାପତ୍ର ଗ୍ରହଣ କରାଯାଇ ନାହିଁ। ନିର୍ବାଚନ କରିପାରି ନ ଥିବାରୁ ପ୍ରଫେସର ପରିଡ଼ା ପଦ ଛାଡ଼ିଥିବା କ୍ୟାମ୍ପସରେ ଚର୍ଚ୍ଚା ହେଉଥିବା ବେଳେ ସେ କହିଛନ୍ତି ଚାକିରି ଆଉ ୫ ମାସ ବାକି ଥିବାରୁ ଇସ୍ତଫା ଦେଇଛି।

ସମ୍ବନ୍ଧିତ ଖବର