ଭୁବନେଶ୍ବର: ବର୍ଷ ବର୍ଷ ଧରି ଗବେଷଣା କରି ଛାତ୍ରଛାତ୍ରୀ ପ୍ରବନ୍ଧ ପ୍ରସ୍ତୁତ କରିଛନ୍ତି। ହେଲେ ଦାଖଲ କରି ପାରୁନାହାନ୍ତି। ମାସେ କି ଦୁଇ ମାସେ ନୁହେଁ, ଦୀର୍ଘ ଦିନ ହେଲା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପିଏଚ୍‌ଡି ପ୍ରବନ୍ଧ ଦାଖଲ କରିବାକୁ ଅପେକ୍ଷା କରି ରହିଛନ୍ତି। ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଧାଉଁଛନ୍ତି। ହେଲେ କେହି ଶୁଣୁନାହାନ୍ତି। ପରୀକ୍ଷା ନିୟନ୍ତ୍ରକ ସବୁ ଜାଣି ହାତ ଟେକି ଦେଉଥିବା ବେଳେ ସେକ୍ସନ୍‌ ଅଫିସରମାନେ ଶୁଣିବାକୁ ନାରାଜ। ଉଚ୍ଚ ଶିକ୍ଷାର ପ୍ରାଣକେନ୍ଦ୍ର ଉତ୍କଳ ବିଶ୍ବବିଦ୍ୟାଳୟରେ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଯେଉଁଥିପାଇଁ ଶତାଧିକ ଛାତ୍ରଛାତ୍ରୀ ଏବେ ମାନସିକ ଅଶାନ୍ତିରେ ଦିନ କାଟୁଛନ୍ତି। ଉଚ୍ଚ ଶିକ୍ଷା ତଥା ନିଯୁକ୍ତିକୁ ନେଇ ସେମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ସବୁଆଡ଼ୁ ନିରାଶ ହେବା ପରେ ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଚିଠି ଲେଖି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।

Advertisment

ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ବିଭାଗ ସମେତ ଏହା ଅଧୀନରେ ଥିବା ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନରେ ରିସର୍ଚ୍ଚ ସ୍କଲାର, ରିସର୍ଚ୍ଚ ଫେଲୋ, ପ୍ରୋଜେକ୍ଟ ଫେଲୋ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ନିବନ୍ଧ ଦାଖଲ କରିପାରୁ ନାହାନ୍ତି। ଏଥିସହ ‌ପିଏଚ୍‌ଡିର ସାକ୍ଷାତକାର ପରୀକ୍ଷା ଓ ପଞ୍ଜୀକରଣ ପାଇଁ ମଧ୍ୟ ଅନେକ ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ତେବେ ସଠିକ୍‌ ସମୟରେ ନିଷ୍ପତ୍ତି ନିଆଯାଉ ନଥିବାରୁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ନିୟନ୍ତ୍ରକ କାର୍ଯ୍ୟାଳୟକୁ ଯୋଗାଯୋଗ କଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ମିଳୁ ନାହିଁ। ସେଥିପାଇଁ ଗରିବ ମେଧାବୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଫାଇଲ୍‌କୁ ମଞ୍ଜୁର ପ୍ରଦାନ କରିବା ପାଇଁ ରାଜ୍ୟର ଅନ୍ୟ ବିଶ୍ବବିଦ୍ୟାଳୟରେ ଏକ କମିଟି କାର୍ଯ୍ୟ କରୁଛି। ମାତ୍ର ଏଠାରେ ଓଏସ୍‌ଡି ନିଯୁକ୍ତି ହୋଇଥିବା ୩ଟି କ‌ମିଟି ରହିଛି। କିନ୍ତୁ କାର୍ଯ୍ୟରେ ଅଗ୍ରଗତି ହେଉ ନାହିଁ। ଛାତ୍ରଛାତ୍ରୀଙ୍କୁ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ ସ୍ଥାନକୁ ଦୌଡ଼ିବାକୁ ପଡ଼ୁଛି। ସେକ୍ସନ ଅଫିସର ଓ ପରୀକ୍ଷା ନିୟନ୍ତ୍ରକ ମଧ୍ୟ ଅସହାୟ ମନେ କରୁଛନ୍ତି। ଏହା ବୌଦ୍ଧିକ ଆତଙ୍କବାଦ ନୁହେଁ ତ ଆଉ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେତେଜଣ ପ୍ରଫେସରଙ୍କ ଉପରେ ରାଗ ରଖି ଛାତ୍ରଛାତ୍ରୀଙ୍କୁ ହଇରାଣ କରାଯାଉଛି। ଏଥିପାଇଁ ଛାତ୍ରଛାତ୍ରୀ କିଭଳି ଦାୟୀ? ଏହା କ’ଣ ଗାନ୍ଧୀଙ୍କ ଦର୍ଶନ? ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ବିଶ୍ବବିଦ୍ୟାଳୟ କେନ୍ଦ୍ରସ୍ଥଳରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। କିନ୍ତୁ ଗାନ୍ଧୀଙ୍କ ଆଦର୍ଶ ଭୁଲି ଯାଉଛନ୍ତି। ପ୍ରଭାବଶାଳୀ ଛାତ୍ରଛାତ୍ରୀ ଓ ଲୋକଙ୍କ ପାଇଁ ଆପଣ ସବୁବେଳେ କାମ କରୁଛନ୍ତି। କିଛି ବ୍ୟକ୍ତିଙ୍କ କଥାରେ ପରିଚାଳିତ ହୋଇ ଠିକ୍‌ ସମୟରେ ସେମାନଙ୍କ କାମ କରି ଦେଉଛନ୍ତି। ମାତ୍ର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବଚ୍ଛତା ଅବଲମ୍ବନ କରୁନାହାନ୍ତି। ବିଶ୍ବବିଦ୍ୟାଳୟ କ’ଣ ‘୫-ଟି’ରୁ ବାହାରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସଠିକ୍‌ ସମୟରେ ନିଷ୍ପତ୍ତି ନେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳିବାକୁ ଅନୁରୋଧ କରୁଛୁ। ଅନ୍ୟଥା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷା‌ତ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।