ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଅପାରଗତା : ଉଚ୍ଚଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ମିଳୁଛି, ହେଲେ କର୍ତୃପକ୍ଷ ତାହାକୁ ଖର୍ଚ୍ଚ କରିପାରୁ ନାହାନ୍ତି

ଆଗେଇ ପାରୁନି ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ୫ ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟିପାରିଲେନି ଆକାଶ ଟ୍ୟାବ୍‌

ଭୁବନେଶ୍ବର: ଉଚ୍ଚଶିକ୍ଷାର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କୋଟି କୋଟି ଟଙ୍କା ମିଳୁଛି। ହେଲେ କର୍ତୃପକ୍ଷ ତାହାକୁ ଖର୍ଚ୍ଚ କରିପାରୁ ନାହାନ୍ତି। ଆଉ କେତେବେଳେ ଗୋଟିଏ କାମ ପାଇଁ ଟଙ୍କା ଆସିଥିବା ବେଳେ ତାହାକୁ ଅନ୍ୟ କାମରେ ଲଗାଉଛନ୍ତି। ଯେଉଁଥିପାଇଁ ହାତ ମୁଠାକୁ ଟଙ୍କା ଆସି ଫେରିଯାଉଛି। ଏଭଳି ଅନେକ ଉଦାହରଣ ରହିଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଛାଟ ପଡ଼ିଛି। ରୁଷା-୧.୦ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟ(ଭିଟି) କାର୍ଯ୍ୟକ୍ଷମ ହୋଇ ନପାରିବାକୁ ନେଇ ବିଭାଗୀୟ ଅଧିକାରୀମାନେ କୁଳପତିଙ୍କ ଉପରେ ବର୍ଷିଛନ୍ତି। ଗତ ୨୦ ତାରିଖ‌ରେ ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭିଟିର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ସଚିବ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତା‌ରେ ଗଢ଼ାଯାଇଥିବା ଏହି କମିଟିରେ ସମେତ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି, ବିଭାଗର ଅତିରିକ୍ତ ସଚିବ, ଓଆଇସି(ପିଟିସି), ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଓ ରୁଷା ସଂଯୋଜକ ଏହାର ସଦସ୍ୟ ରହିଛନ୍ତି। ଡିଡିସିଇ ନିର୍ଦେଶକ କମିଟିର ଆବାହକ ରହିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଦିଆଯାଇଥିବା ପ୍ରକଳ୍ପ ପ୍ରସ୍ତାବ ଅନୁଯାୟୀ ୫ଟି ବିଶ୍ବବିଦ୍ୟାଳୟର ୫ ହଜାର ଛାତ୍ରଛାତ୍ରୀଙ୍କ ଆକାଶ ଟ୍ୟାବ୍‌ ବାଣ୍ଟିବାକୁ ସ୍ଥିର ହୋଇଥିଲା। ତେବେ ଏପର୍ଯ୍ୟନ୍ତ କିଛି ଅଗ୍ରଗତି ହୋଇପାରିନି। ଯେଉଁଥିପାଇଁ ଭିଟିର ତଥ୍ୟ ୧୬ ଜିବି ପେନ୍‌ ଡ୍ରାଇଭ୍‌/ମେମୋରିଚିପ୍‌ରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଜିଇଏମ୍‌ ପୋର୍ଟାଲ ମା‌ଧ୍ୟମରେ ଟ୍ୟାବ୍‌ କିଣିବାକୁ ଯେଉଁ ପ୍ରକ୍ରିୟା ଚାଲିଥିଲା ତାହାକୁ ବାତିଲ୍‌ କରି ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଅଭିଜ୍ଞ ପ୍ରଫେସରମାନଙ୍କୁ ସାମିଲ କରାଯିବ। ସେମାନେ ଓଡ଼ିଆ ଓ ଇଂରାଜୀ ଭାଷାରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ କରିବେ। ୫ କୋଟିର ଏହି ପ୍ରକଳ୍ପ ମଧ୍ୟରୁ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ୩.୭୫ କୋଟି ଟଙ୍କା ଗ୍ରହଣ କରିଛି। ସେଥିମଧ୍ୟରୁ ୧.୪୭ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିଛନ୍ତି। ଏବେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଉକ୍ତ ୬୦ ଲକ୍ଷ ଟଙ୍କାର ୟୁସି ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଷ୍ଟୁଡିଓରେ ଗୋଟିଏ ଘଣ୍ଟା ଧରି ଭିଟି କ୍ଲାସ ରେକଡିଂ କରାଯିବ, ଯାହାକି ୩୦ ମିନିଟ୍‌ ବିଶିଷ୍ଟ ହେବ। ପ୍ରତି କ୍ଲାସର ଶେଷରେ ସଂକ୍ଷିପ୍ତ ବିବରଣୀ ପିପିଟି ଫର୍ମାଟରେ ରହିବ। ଫଳରେ ପୂର୍ବ କ୍ଲାସରେ କ’ଣ ପଢ଼ାଯାଇଥିଲା ସେ ନେଇ ପିଲାମାନଙ୍କୁ ଅବଗତ କରାଯାଇପାରିବ। ୨୦୨୦ ଜାନୁଆରିରୁ ରାଜ୍ୟର ୧୦୧ କଲେଜରେ ଥିବା ସ୍ମାର୍ଟ କ୍ଲାସରୁମ୍‌ରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଭିଟି କ୍ଲାସ ଆରମ୍ଭ ହେବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର