ବାଣୀବିହାରରେ ଶାନ୍ତି ଫେରିଲା

ଏଥର`ଆଉ ନିର୍ବାଚନ ହେବନି!

ଭୁବନେଶ୍ୱର : ନିର୍ବାଚନ ଘୋଷଣା ପରଠାରୁ ଅଶାନ୍ତ ହୋଇ ପଡ଼ିଥିବା ବାଣୀବିହାରରେ ଶାନ୍ତି ଫେରିଛି। ମଙ୍ଗଳବାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ୧୨ ଘଣ୍ଟିଆ ଅନଶନ ପରେ ଆଜି ସ୍ୱାଭାବିକ ହୋଇଛି କ୍ୟାମ୍ପସର ବାତାବରଣ। ଶୈକ୍ଷିକ ବାତାବରଣ ମଧ୍ୟରେ ଛାତ୍ରଛାତ୍ରୀ କ୍ଲାସ କରିଛନ୍ତି। ପାଠାଗାରରେ ବି ପଢ଼ିଛନ୍ତି। ସାଇନ୍‌ ଡାଏ ଉଠିବା ପରେ ଆଜି ଦିନତମାମ ଶାନ୍ତିଶୃଙ୍ଖଳାରେ ସହ ଶେଷ ହୋଇଛି ପାଠପଢ଼ା।

ସାଇନ୍‌ ଡାଏ ଉଠିବାର ପ୍ରଥମ ଦିନ ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ଓ ସମର୍ଥକମାନେ ନିର୍ବାଚନ କରିବା ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଗତକାଲି କୁଳପତି ୧୨ ଘଣ୍ଟିଆ ଉପବାସରେ ବସିଥିଲେ। ଏହାକୁ ନେଇ ଦିନ ତମାମ ଚର୍ଚ୍ଚା ଲାଗିରହିଥିବା ବେଳେ ଏହା ପରେ କ’ଣ କ୍ୟାମ୍ପସରେ ଶାନ୍ତି ଫେରିବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ହେଲେ ଆଜି କ୍ୟାମ୍ପସରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ପ୍ରତିଦିନ ପରି ଆଜି ସକାଳୁ ଛାତ୍ରଛାତ୍ରୀ କ୍ଲାସ କରିଥିଲେ। ପାଠପଢ଼ା ବି ସ୍ୱାଭାବିକ ଢଙ୍ଗରେ ଚାଲିଥିଲା। ନିର୍ବାଚନ ଦାବି ନେଇ କୌଣସି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟକୁ ଯାଇ ନ ଥିଲେ କି ବିଶୃଙ୍ଖଳା ସୃଷ୍ଟି କରି ନ ଥିଲେ। ସାଇନ୍‌ ଡାଏ ଉଠିବା ପରେ ବି ହଷ୍ଟେଲଗୁଡ଼ିକ କିନ୍ତୁ ସ୍ୱାଭାବିକ ହୋଇନି। ସବୁ ଅନ୍ତେବାସୀ ଏଯାଏ ହଷ୍ଟେଲକୁ ଫେରିନାହାନ୍ତି।

ତେବେ ସ୍ୱାଭାବିକ ଭାବେ ପାଠପଢ଼ା ହୋଇଥିବାରୁ କ୍ୟାମ୍ପସରେ ନିୟୋଜିତ ହୋଇଥିବା ପ୍ରାୟ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସକୁ ହଟାଇ ନିଆଯାଇଛି। କେବଳ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସୁରକ୍ଷା କର୍ମୀ ଜଗି ରହିଛନ୍ତି। ୩ଟି ଯାକ ଫାଟକରେ ସୁରକ୍ଷା କର୍ମୀଙ୍କ କଡ଼ା ପ୍ରହରା ଲାଗିରହିବାରୁ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ସହ ଫାଟକ ନିକଟରେ ବାରମ୍ବାର କଥା କଟାକଟି ହେଉଛି। ବିନା ପରିଚୟପତ୍ରରେ ପ୍ରବେଶକୁ ନିଷେଧ କରାଯାଇଥିବାରୁ କର୍ମଚାରୀ, କ୍ୟାମ୍ପସରେ ରହୁଥିବା ପ୍ରଫେସର, ବିଶ୍ୱବିଦ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କୁ ହଟହଟା ହେବାକୁ ପଡ଼ୁଛି। ଏନେଇ ପ୍ରତିଦିନ କର୍ତ୍ତୃପକ୍ଷଙ୍କ ନିକଟକୁ ଅଭିଯୋଗ ମଧ୍ୟ ଆସୁଛି। ତଥାପି ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଏଥର`ଆଉ ନିର୍ବାଚନ ହେବନି!
କ୍ୟାମ୍ପସରେ ଆଜି ଶାନ୍ତି ଫେରିଥିବାରୁ ଏବେ ପୁଣିଥରେ ନିର୍ବାଚନ ନେଇ କଳ୍ପନାଜଳ୍ପନା ଲାଗିରହିଛି। ସମସ୍ତଙ୍କ ନଜର କର୍ତୃପକ୍ଷଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଥିବା ବେଳେ ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଆଉ ନିର୍ବାଚନ ହୋଇପାରିବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ତଥାପି ପିଲାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ବିଶ୍ୱବିିଦ୍ୟାଳୟ କର୍ତୃପକ୍ଷ ନିର୍ବାଚନ ନେଇ ରାଜ୍ୟ ସରକାର, ପୁଲିସ ଅଧିକାରୀ, ଆଇନ ପରାମର୍ଶଦାତାଙ୍କଠାରୁ ପରାମର୍ଶ ନେବେ ବୋଲି ଜଣାପଡ଼ିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ମନା କରିଦେଇଥିବାରୁ କ୍ୟାମ୍ପସରେ ପୁଣିଥରେ ନିର୍ବାଚନ ଆଶା ମଉଳି ଯାଇଛି। ଲିଙ୍ଗଡୋ କମିିସନଙ୍କ ନିୟମକୁ ଅନୁଧ୍ୟାନ କରାଗଲେ ନିର୍ବାଚନ କରିବାକୁ ଆଉ ସମୟ ନାହିଁ। ତେଣୁ ଏଥର କ୍ୟାମ୍ପସରେ ନିର୍ବାଚନ ହେବା ସମ୍ଭାବନା ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର