ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା ହାଇଡ୍ରାମାର ଅନ୍ତ ହେଉନି। ନିର୍ବାଚନ ବନ୍ଦ ପରେ ଛାତ୍ର ପରିଷଦ ଗଠନ କରିବାକୁ ଯେଉଁ ଯୋଜନା ଚାଲିଥିଲା ତାହା ବି ଫସର ଫାଟିଛି। ୨୭ଟି ବିଭାଗର ମୁଖ୍ୟମାନଙ୍କୁ ନେଇ ବସିଥିବା ଶିକ୍ଷକ ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିନିଧିତ୍ୱ ପାଇଁ ସହମତି ନ ଥିବାରୁ କୌଣସି ପ୍ରକାର ପ୍ରତିନିଧିତ୍ୱ ବ୍ୟବସ୍ଥା ଏଥର ହେବ ନାହିଁ। ୨୦୧୭-୧୮ ଶିକ୍ଷାବର୍ଷରେ ବିଭାଗୀୟ ମୁଖ୍ୟ, ଶିକ୍ଷକ ତଥା ପିଜି କାଉନସିଲ୍ ଶୈକ୍ଷିକ କାର୍ଯ୍ୟକ୍ରମ ବ୍ୟତୀତ କ୍ୟାମ୍ପସ୍ର ଅନ୍ୟ କୌଣସି କାର୍ଯ୍ୟକ୍ରମରେ ସମ୍ପୃକ୍ତ ହେବେ ନାହିଁ। କେବଳ ପାଠପଢ଼ା ଏବଂ ପରୀକ୍ଷାରେ ସାମିଲ ହେବେ। ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ କ୍ୟାମ୍ପସରେ ନିର୍ବାଚନ ନ କରିବା ଲାଗି ବିଭାଗୀୟ ମୁଖ୍ୟ ଓ ପିଜି କାଉନସିଲ୍ ନିଷ୍ପତ୍ତି ନେଇଛନ୍ତି।
ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଆଜି ପୂର୍ବାହ୍ନରେ ଡକାଯାଇଥିବା ଶିକ୍ଷକ ପରିଷଦ ବୈଠକରେ ସରଗରମ୍ ଆଲୋଚନା ହୋଇଥିଲା। ୨୭ଟି ଯାକ ବିଭାଗର ମୁଖ୍ୟମାନେ ସିଧାସଳଖ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କୁ ଟାର୍ଗେଟ କରିଥିଲେ। କ୍ୟାମ୍ପସ ଶାନ୍ତ ଥିବା ବେଳେ କ’ଣ ପାଇଁ ଛାତ୍ର ପରିଷଦ ଗଠନ କରିବାକୁ ଚିଠି ଲେଖାଗଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭାଗୀୟ ମୁଖ୍ୟମାନଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଯାଇଥିଲେ ଅଧ୍ୟକ୍ଷ ପ୍ରଫେସର ଶତପଥୀ। କ’ଣ ଉତ୍ତର ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ତଥାପି କେଉଁ ପରିସ୍ଥିତିରେ କାହିଁକି ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖିଥିଲେ ସେନେଇ ସଫେଇ ଦେଇଥିଲେ ପ୍ରଫେସର ଶତପଥୀ।
ସବୁଠାରୁ ବଡ଼ କଥା ହେଲା ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ବିଭାଗୀୟ ମୁଖ୍ୟମାନେ ସମର୍ଥନ କରି ନ ଥିଲେ। ବିଶେଷକରି ବିଭାଗର ମୁଖ୍ୟ ଥିବା ମହିଳା ପ୍ରଫେସରମାନେ ପ୍ରଥମେ ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ ଆଜି ଏଠାରେ ପଢ଼ାଇବାକୁ ଆସିଛୁ। କୌଣସି ରାଜନୀତିରେ ପଶିବୁ ନାହିଁ। କ୍ୟାମ୍ପସର ଶୈକ୍ଷିକ ବାତାବରଣ ନଷ୍ଟ କରିବାକୁ ଯେଉଁ ଉଦ୍ୟମ ହେଉଛି ସେଥିରେ ଆମେ ସହଯୋଗ କରିପାରିବୁ ନାହିଁ। ଛାତ୍ର ପରିଷଦ ଚୟନ ପ୍ରକ୍ରିୟା ଦ୍ୱାରା ପୁଣିଥରେ କ୍ୟାମ୍ପସର ଶୈକ୍ଷିକ ବାତାବରଣ ନଷ୍ଟ ହେବ ବୋଲି ୧୮ରୁ ଅଧିକ ବିଭାଗର ମୁଖ୍ୟମାନେ ମତ ରଖିଥିଲେ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଫେସର ଶତପଥୀ କହିଥିଲେ ଯେ ନିଷ୍ପତ୍ତି ସମ୍ପର୍କରେ କୁଳପତିଙ୍କୁ ବନ୍ଦ ଲଫାପାରେ ପଠାଇ ଦିଆଯାଇଛି। ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଛାତ୍ର ବିଜେଡିର ଗାନ୍ଧୀଗିରି
କ୍ୟାମ୍ପସରେ ନିର୍ବାଚନ କିମ୍ବା ଛାତ୍ର ପରିଷଦ ଗଠନ ନ କରିବାକୁ ପିଜି କାଉନସିଲ୍ ବୈଠକରେ ନିଷ୍ପତ୍ତି ନେବା ପରେ ଛାତ୍ର ବିଜେଡି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ସଙ୍ଗଠନର ସଭାପତି ପ୍ରାର୍ଥୀ ଥିବା ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃୃତ୍ୱରେ ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୌନବ୍ରତରେ ବସିଛନ୍ତି। ଅପରାହ୍ନରୁ ଛାତ୍ରମାନେ ବସିବା ସହ କୁଳପତିଙ୍କ କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ କୁଳପତି କଥା ପରିବର୍ତନ କରୁଛନ୍ତି। ଛାତ୍ର ପରିଷଦ ଗଠନ ଲାଗି କୁଳପତି ନିଜେ ପୂର୍ବରୁ ଲିଖିତ ଆକାରରେ ଜଣାଇଥିବା ବେଳେ ଏବେ ସେଥିରେ ପରିବର୍ତନ କରିଛନ୍ତି। ବାହ୍ୟ ଶନ୍ତି ଚାପରେ କୁଳପତି ଏଭଳି କରୁଛନ୍ତି। ଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ଏଭଳି ନିଷ୍ପତ୍ତିକୁ ବିରୋଧ କରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/kesab-banivihar.jpg)