ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ କ୍ୟାଣ୍ଟିନରେ ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କ୍ୟାଣ୍ଟିନ ପରିଚାଳକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କୁ ମଧ୍ୟ କର୍ତ୍ତୃପକ୍ଷ ଧକ୍କା ମାରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ଛାତ୍ର ସଂଗଠନମାନେ ସହିଦନଗର ଥାନା ଘେରଉ କରିଥିଲେ। ପରେ ପୁଲିସ ଅଭିଯୋଗ ରଖିବା ପରେ ଛାତ୍ରମାନେ ଥାନା ସମ୍ମୁଖରୁ ହଟିଥିଲେ।
ଗତ ବର୍ଷ ଡିସେମ୍ବର ମାସରେ ଗାୟତ୍ରୀ ମିଶ୍ର ଛାତ୍ରବାସର କ୍ୟାଣ୍ଟିନ ପରିଚାଳନା ପାଇଁ ଟେଣ୍ଡର ନେଇଥିଲେ। କିନ୍ତୁ ଏପ୍ରିଲ ମାସରେ ଏହାର ଅବଧି ସରି ଯାଇଥିଲା। କିନ୍ତୁ ଟଙ୍କା ବକେୟା ଥିବାରୁ ସେ କ୍ୟାଣ୍ଟିନ ଛାଡ଼ି ନଥିଲେ। ଏହାକୁ ନେଇ ଆଜି କଲେଜ କର୍ତ୍ତୃପକ୍ଷ ଓ କ୍ୟାଣ୍ଟିନ ମାଲିକ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ କର୍ତ୍ତୃପକ୍ଷ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ସେହି ସମୟରେ ଜଣେ ଦିବ୍ୟାଙ୍ଗ ଛାତ୍ର ସେହି ବାଟେ ଦେଇ ଯାଉଥିବା ବେଳେ ଏହାକୁ ନେଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଧକ୍କା ମରାଯାଇଥିବା ସହିଦନଗର ଥାନାରେ ଛାତ୍ରଜଣକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।