ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ଉତ୍ସବ : ପ୍ରତିଭାଙ୍କ ଅନ୍ତୁଡ଼ିଶାଳ ଆମ ବାଣୀବିହାର

ଓଡ଼ିଶା ମାଟିକୁ ସହସ୍ର ଉଜ୍ଜ୍ବଳ ତାରକା ଭେଟି ଦେଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ କୋଳକୁ ଫେରିଥିଲେ ଆଜି ହଜାର ହଜାର ଛାତ୍ରଛାତ୍ରୀ। ବିଶ୍ବବିଦ୍ୟାଳୟ ମାଟି ମାଡ଼ିବା କ୍ଷଣି ପ୍ରତିଷ୍ଠା, ପଦ ମର୍ଯ୍ୟାଦାରୁ ବାହାରି ଆଜି ସଭିଏଁ ପାଲଟି ଯାଇଥିଲେ ଛାତ୍ରଛାତ୍ରୀ। ବଡ଼ ଛୋଟର ତାରତମ୍ୟ ନଥିଲା, କି ପଦ ମର୍ଯ୍ୟାଦା ବାବଦରେ ଆଲୋଚନା ହେଉନଥିଲା। ସଭିଏଁ ଏକାଠି ହୋଇ ନିଜ ଶ୍ରେଣୀ କକ୍ଷକୁ ଆଖି ପୂରେଇ ଦେଖୁଥିଲେ। ନିଜେ ବସିଥିବା ଟେବୁଲ୍‌ରେ କିଛି କ୍ଷଣ ବସି ପଡ଼ୁଥିଲେ। ନିଜ ସାଙ୍ଗସାଥୀଙ୍କ ଗହଣରେ ବୁଲୁଥିବା ବେଳର ପ୍ରତିଟି ସ୍ମୃତିକୁ ମୋବାଇଲ୍‌‌ରେ କଏଦ୍‌ କରି ନେଉଥିଲେ। ତାଙ୍କ ଭିତରେ ଚାଲିଥିବା ଖୁସି, ମଜା, ଥଟ୍ଟା ତାମ୍‌ସା ହିଁ ଉତ୍କଳ ବିଶ୍ବବିଦ୍ୟାଳୟର ବୌଦ୍ଧିକ ବଗିଚାରେ ରଙ୍ଗ ମାଖି ଦେଉଥିଲା। ଏକାଠି ଖାଇବା ବେଳେ ବି ଗପ ସରୁନଥିଲା। ଯେମିତି ଗପସପ କରିବାକୁ ସାରା ଦିନ ନିଅଣ୍ଟ ପଡ଼ିଥିଲା। ସଂଜ ନଇଁବା ପରେ ନାଚି, ଗୀତ ଗାଇ ଛାତ୍ର ଭଳି ଧୁମ୍‌ ଡେଇଁଥିଲେ। ଯେମିତି ବୟସ ଖସି ଆସିଥିଲା। ଠିକ୍‌ ଯେମିତି ପଞ୍ଚସ୍ତରିଟି ଶରତକୁ ଅତିକ୍ରମ କରି ବି ଉତ୍କଳ ବିଶ୍ବବିଦ୍ୟାଳୟ ଥକି ପଡ଼ୁନଥିଲା।

୭୫ ଛାତ୍ରୀ ଗାଇଲେ ‘ତୁଙ୍ଗ ଶିଖରୀ ଚୂଳ…’

ଓଡ଼ିଆରେ ଲେଖାଗଲା ପ୍ଲାଟିନମ୍‌ ଜୁବୁଲି
ଉଦ୍‌ଘାଟନୀ ଉତ୍ସବ ଦିବସରେ କ୍ୟାମ୍ପସର କୌଣସି ସ୍ଥାନରେ ଓଡ଼ିଆରେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ବୋଲି ଲେଖାଯାଇ ନଥିଲା। ଏହାକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ବିରୋଧ କରିବା ପରେ ଆଜି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କିଛିଟା ପରିବର୍ତନ କରିଛନ୍ତି। ଡିଜିଟାଲ ଡିସ୍‌‌‌ପ୍ଲେ’ ମାଧ୍ୟମରେ ମୁଖ୍ୟ ମଞ୍ଚରେ ଇଂରାଜୀ ସହ ଓଡ଼ିଆ ଭାଷାରେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ବୋଲି ଲେଖା ଯାଇଥିଲା। ଏହାବ୍ୟତୀତ କ୍ୟାମ୍ପସର ଅନ୍ୟ କୌଣସି ବି ସ୍ଥାନରେ ଓଡ଼ିଆ ଭାଷାରେ ଲେଖା ବଦଳି ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ କ୍ୟାମ୍ପସରେ ଖୋଲା ଯାଇଥିବା ୩୦ଟି ବିଭାଗ ଷ୍ଟଲ ମଧ୍ୟରୁ କେବଳ ଓଡ଼ିଆ ବିଭାଗ ଷ୍ଟଲରେ ଓଡ଼ିଆ ଲେଖାଯାଇଛି। ନ ହେଲେ ଆଉ କେଉଁଠି ବି ଓଡ଼ିଆ ନାହିଁ।

ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ରୁ ଉଦୟ କ୍ୟାଣ୍ଟିନ୍‌
ବିଶ୍ବବିଦ୍ୟାଳୟ ମାଟି ମାଡ଼ିବା ପରେ ପୁରୁଣା ସାଙ୍ଗଙ୍କୁ ଖୋଜିଖୋଜି ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ରେ ପହଞ୍ଚି ଯାଉଥିଲେ ଅନେକ ଆଲୁମିନି। ସେଇଠି ପୁଣି ଛାତ୍ର ବେଳର ସାଙ୍ଗମାନଙ୍କ ସହ ଗରମ ଚା’ର ମଜା ନେବା ସହ ‌କିଛି ସମୟ ଖଟି ଜମେଇ ଦେଉଥିଲେ। କ୍ୟାଣ୍ଟିନ୍‌ ପରିସରରେ କିଛି ବ୍ୟବସାୟୀଙ୍କ ଅନୁପସ୍ଥିତି ଦେଖି ପାଖ ଦୋକାନୀକୁ କିଛି ପୁରାତନ ଛାତ୍ର ପଚାରୁଥିଲେ; ଏଠି ଯୋଉ ମଉସା ଦୋକାନ କରିଥିଲେ, ସେ କୁଆଡ଼େ ଗଲେ? ଅତୀତକୁ ଖୋଜିବାରେ ଯେମିତି ସଭିଏଁ ମସଗୁଲ୍‌ ହୋଇଯାଇଥିଲେ।

ତୁ ମୋଟା ହେଇଗଲୁଣି ମ..
ସମୟ ଚକ୍ରରେ ଚେହେରା ବଦଳି ଯାଇଛି। ସମୟାନୁକ୍ରମେ ଶାରୀରିକ ପରିଭାଷାରେ ପରିବର୍ତନ ଘଟିଛି। ତେଣୁ ସାଙ୍ଗସାଥୀଙ୍କୁ ପାଖରେ ପାଇବା ପରେ ବି ଆଶ୍ଚର୍ଯ୍ୟ ଚକ୍ଷୁରେ ଦେଖୁଥିଲେ। କେହି କେହି ତ କହୁଥିଲେ, ତୁ ମୋଟା ହେଇଗଲୁଣି ମ..। ଆଉ କିଛି ମୁଣ୍ଡକୁ ଲକ୍ଷ୍ୟ କରି କହୁଥିଲେ, ଆରେ ‌‌ତୋ ଚୁଟି କୁଆଡ଼େ ଗଲା? ଏ ଅନ୍ତରଙ୍ଗ ଭାବ ଦିଆନିଆ ଭିତରେ କିଏ କୋଉଠି ରହୁଛି, କ’ଣ କାମ କରୁଛି; ସେ ସବୁର ଉତ୍ତର ଆଦାୟ କରିବାରେ ଅନେକ ବ୍ୟସ୍ତ ଥିଲେ। ପୁଣି କେହିକେହି ପଚାରୁଥିଲେ, ଆମ ବ୍ୟାଚ୍‌ର ପିଲାମାନେ କୁଆଡ଼େ ଗଲେ, ଦେଖିଛ କି?

ଝୁମିଲେ, ନାଚିଲେ, ଗାଇଲେ
ସକାଳୁ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତରେ ଝୁମିଥିଲେ ଓ ନାଚିଥିଲେ। ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟ କରିଥିଲେ। ଅପରାହ୍‌ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ହେବାକୁ ଥିବା ‘ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ କନେକ୍ଟ: ରିସର୍ଚ୍ଚ, ପ୍ଲେସମେଣ୍ଟ ଓ କ୍ୟାମ୍ପସ ଡେଭଲପ୍‌ମେଣ୍ଟ’ ଶୀର୍ଷକ ଅଧିବେଶନ ବାତିଲ୍‌ ହୋଇଯାଇଥିଲା। ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ, ଆଇଏଏସ୍‌ ହୃଷୀକେଶ ପଣ୍ଡା ଆସି ନଥିଲେ। କେବଳ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ କ୍ୟାମ୍ପସର ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାରଙ୍କ ଗ୍ରୁପ୍‌ ଦ୍ବାରା ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର