ଖଣ୍ଡଗିରି: ଭାରତୀୟ ଦର୍ଶନ ସର୍ବପ୍ରାଚୀନ ଓ ଏହା ମାନବବାଦ ଉପରେ ମୂଳରୁ ପ୍ରତିଷ୍ଠିତ। ଏହା ସବୁବେଳେ ସୁବିଧାବାଦ ଚିନ୍ତାଧାରାରୁ ବହୁ ଦୂରରେ। ଭାରତୀୟ ଦର୍ଶନରେ ଶୋଷଣବାଦ, ସୁବିଧାବାଦ ଓ ମୁନାଫାବାଦର ସ୍ଥାନ ନଥାଏ। ଅନ୍ୟକୁ ନିଜ ଭିତରେ ଦେଖିବା ହେଉଛି ଭାରତୀୟ ଦର୍ଶନର ମୂଳ ଆଧାର। ଗୀତା ସବୁବେଳେ ଆମକୁ ଏହି ଶିକ୍ଷା ଦେଇ ଆସିଛି। ଏହି ଭାବଧାରାକୁ ବଜାୟ ରଖିବା ଆମର କର୍ତ୍ତବ୍ୟ। କିନ୍ତୁ ବିଶ୍ବ ଏବେ ସୁବିଧାବାଦର ଚକ୍ରବ୍ୟୂହରେ ଫସି ରହିଛି। ଏହା ମାନବବାଦର ପରିପନ୍ଥୀ। ତେଣୁ ଭାରତବର୍ଷ ପୁଣି ଥରେ ବିଶ୍ବର ଆଲୋକବର୍ତ୍ତିକା ହେଉ। ପୁଣି ଥରେ ଭାରତବର୍ଷରେ ତକ୍ଷଶିଳା ଓ ନାଳନ୍ଦା ଭଳି ଶିକ୍ଷାନୁଷ୍ଠାନ ଗଢ଼ି ଉଠୁ। ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ମଦନପୁର କ୍ୟାମ୍ପସ ପରିସରରେ ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ସରକାର ଏହି ବିଶ୍ବବିଦ୍ୟାଳୟର ସମସ୍ତ ସମସ୍ୟା ସମାଧାନ ଦିଗରେ ତତ୍ପର ଅଛନ୍ତି। ଏହାକୁ ଏକ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ। ୧୮୦୪ ମସିହାରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜୁଗୁରୁଙ୍କ ପାଇଁ ଏଠାରେ ଏକ ଚେୟାର୍ ପ୍ରତିଷ୍ଠା କରିବା ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ସେହିଭଳି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଏଠାରେ ଏକ ଉପେନ୍ଦ୍ର ଭଞ୍ଜ ଚେୟାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରଖିଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାବଳୀ ଉପରେ ଅଧିକ ଗବେଷଣା କରିବା ପାଇଁ ଏହି ଚେୟାର ଏବେ ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ ହୋଇଛି ଓ ଏଥିପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ। ଭାରତର ପ୍ରଥମ ଏହି ସଂସ୍କୃତି ବିଶ୍ବବିଦ୍ୟାଳୟ ଏକ ଜାତୀୟ ଶିକ୍ଷାନୁଷ୍ଠାନ ହୋଇଥିଲେ ହେଁ ଏଠାରେ ଓଡ଼ିଆ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଚଳନ କରିବାକୁ ଚେଷ୍ଟା ଚାଲିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିଦେର୍ଶକ ବିଜୟ କୁମାର ନାୟକ ତାଳପତ୍ର ପୋଥିରୁ ମାଟି କାନ୍ଥର ଝୋଟି, ଧୂଳିଧୂସରିତ ଗାଁ ଦାଣ୍ଡ, ଶିଳାରୁ ଶାଳଗ୍ରାମ ଏବଂ ଦାରୁରୁ ଦେବତା ଆଦି ଓଡ଼ିଆ ଜାତିର ଗାଥାକୁ ଉପସ୍ଥାପନ କରିଥିଲେ। ନଦନଦୀ, ପାହାଡ଼ ପର୍ବତ, ଗାଁ ଓ ସହରର ନାମକରଣରେ (ଗାଁ ର ନାଁ ଅସ୍ତରଙ୍ଗ, ନଦୀର ନାଁ ମହାନଦୀ, ଗଡ଼ର ନାଁ ସୁନ୍ଦରଗଡ଼, ପାହାଡ଼ର ନାଁ ମହେନ୍ଦ୍ରଗିରି ଓ ଉଦୟଗିରି) ଓଡ଼ିଆ ଜାତିର କାବ୍ୟିକ ଲାଳିତ୍ୟ ଭରି ରହିଥିବା ଦର୍ଶାଇ ସେ ଛାତ୍ରଛାତ୍ରୀମାନଙ୍କୁ ଗର୍ବ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ କୁଳସଚିବ ରାଜଶ୍ରୀ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ବାର୍ଷିକ ସମାଚାର ପତ୍ରିକା ‘ସଂସ୍କୃତି’ ଉନ୍ମୋଚିତ ହୋଇଥିଲା। ପୂର୍ବାହ୍ନରେ ପ୍ରଫେସର ଯତୀନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ହିନ୍ଦୀ କବି ପ୍ରାବନ୍ଧିକ ଅଶୋକ ବାଜପେୟୀ ଭାରତୀୟ ସଂସ୍କୃତି ଓ ଐତିହ୍ୟ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିଭଳି ଛାତ୍ରଛାତ୍ରୀମାନଙ୍କ ଚିତ୍ରକଳା ଓ ଭାସ୍କର୍ଯ୍ୟ ପ୍ରଦର୍ଶନୀ ମଧ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp