ସହରର ବିକାଶ ପାଇଁ ବର୍ଜ୍ୟବସ୍ତୁର ପୁନଃଚକ୍ରଣ ଆବଶ୍ୟକ

ଉତ୍କଳ ବିଶ୍ୱବିଦ୍ୟାଳର ଭୂଗୋଳ ବିଭାଗର ଆଲୋଚନାଚକ୍ର

ଭୁବନେଶ୍ୱର: ସହରାଞ୍ଚଳରେ ସଂଖ୍ୟାଧିକ ସମସ୍ୟା ରହିଛି। ଭୁବନେଶ୍ୱର ସମସ୍ତଙ୍କ ଆକର୍ଷଣର ସହର। ଆଲୁଅ, ପାଣି ଓ ପବନକୁ ସମାନ ଭାବରେ ବାଣ୍ଟିବା ହେଲା ସହରର ପରିଭାଷା। ସମୟ ଆସିବ ଗାଁ ଓ ସହର ମଧ୍ୟରେ ତଫାତ ରହିବ ନାହିଁ। ପଶ୍ଚିମାଞ୍ଚଳ ଲୋକମାନେ ଏବେ ଗାଁ ମୁହାଁ ହେଲେଣି। ଯଦି ସାରା ବିଶ୍ୱକୁ ଆମେ ଆଧୁନିକ କାରିଗରୀ କୌଶଳ ମାଧ୍ୟମରେ ଯୋଡ଼ିବା, ତା’ ହେଲେ ସହରାଞ୍ଚଳରେ ଥିବା ସମସ୍ୟା କମିଯିବ। ଏପରି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ଅବସରପ୍ରାପ୍ତ ପ୍ରଫେସର୍‌ ପିକେ କର ଓ କେ ସି ଶତପଥୀଙ୍କ ପୁସ୍ତକ ‘ଦ ଚ୍ୟାଲେଞ୍ଜ ଅଫ୍‌ ସଲିଡ୍‌ େଓ୍ଵଷ୍ଟ ମ୍ୟାନେଜ୍‌ମେଣ୍ଟ ଇନ୍‌ ନିଉଲି ଗ୍ରୋଇଂ ସିଟିଜ୍‌ ଅଫ୍‌ ଇଣ୍ଡିଆ’ ଉନ୍ମୋଚନ ଉତ୍ସବ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରତି ଦୃଷ୍ଟି ଦେବା ଦରକାର। ଭୁବନେଶ୍ୱର ସମସ୍ୟାଗୁଡ଼ିକ ପ୍ରତି ସ୍ମାର୍ଟସିଟିର କର୍ମକର୍ତ୍ତା ଓ ରାଜନେତାମାନେ ଧ୍ୟାନ ଦେବାର ଆକଶ୍ୟକତା ରହିଛି। ସହରକୁ ବିକାଶ କରିବାକୁ ହେଲେ ବର୍ଜ୍ୟବସ୍ତୁଗୁଡ଼ିକୁ ପୁନଃଚକ୍ରଣ କରିବା ଦରକାର। ଏହି ସମସ୍ୟା ପ୍ରତି ସଜାଗ ନ ହେଲେ ଆଗାମୀ ପିଢ଼ିଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଶିବପ୍ରସାଦ ରଥ ଯୋଗ ଦେଇ କହିଲେ ଯେ ଆଜିକାଲି ଚାରିଆଡ଼େ କୁଢ଼ କୁଢ଼ ମଇଳା ଦେଖିବାକୁ ମିଳୁଛି। ବିଭିନ୍ନ ମେଡିିକାଲ, ଶିଳ୍ପରୁ କଠିନ ବର୍ଜ୍ୟବସ୍ତୁ ନିଷ୍କାସିତ ହେଉଛି। ଏହି ବର୍ଜ୍ୟବସ୍ତୁକୁ କିପରି ପୁନଃ ବ୍ୟବହାର ସାପେକ୍ଷ କରାଯାଇପାରିବ, ସେଥିପ୍ରତି ଧ୍ୟାନ ଦେବା ଦରକାର। ଏଥିରେ ଅନ୍ୟତମ ଅତିଥି ଭାବେ ବିଡିଏର ଅବସରପ୍ରାପ୍ତ ଯୋଜନା ଅଧିକାରୀ କେ ସି ଶତପଥୀ ମଧ୍ୟ ଯୋଗ ଦେଇଥିଲେ। ବିଭାଗର ମୁଖ୍ୟ କେ.ଏମ୍‌ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଫେସର୍‌ ଶ୍ରୀ କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର