ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ହଲ୍‌ରେ ନିଆଁ ପ୍ରସଙ୍ଗ : ଦୋଷ ଲୁଚାଇବାକୁ ନୁ‌ହେଁ ତ?

ତଦନ୍ତ ହେଲାନି କି କାରଣ ଜଣାପଡ଼ିଲାନି

ମୁହଁ ଖୋଲିଲେନି ଉଚ୍ଚଶିକ୍ଷା ମନ୍ତ୍ରୀ, କୁଳପତି
ବାସ୍ତୁଦୋଷ କହି ଚର୍ଚ୍ଚାରେ ବରିଷ୍ଠ ଅଧିକାରୀ
ଅଧ୍ୟାପକ ନିଯୁକ୍ତି ଅନିୟମିତତାର ଖୋଳତାଡ଼

ଭୁବନେଶ୍ୱର : ଥରେ କି ଦୁଇ ଥର ନୁହେଁ। ତିନି ବର୍ଷ ମଧ୍ୟରେ ୫ ଥର ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ କରିବାକୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ବାରମ୍ବାର ତାଗିଦ୍‌ କରାଯାଇଛି। ତଥାପି ଚେତି‌ଲେନି କର୍ତୃପକ୍ଷ। ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍‌ କଲେନି, ବିଦ୍ୟୁତ୍‌ ମରାମତି ହେଲାନି। ଯେଉଁଥିପାଇଁ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର ଉପର ମହଲାରେ ଗତକାଲି ଲାଗିଲା ନିଆଁ। ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଗଲା। ତେବେ କେମିତି ଲାଗିଲା ନିଆଁ? ସର୍ଟସର୍କିଟ୍‌ରୁ ଜଳିଗଲା ନା କିଏ ଲଗାଇଦେଲା। ତାହାକୁ ନେଇ ଏବେ ବି ଚିତ୍ର ସ୍ପଷ୍ଟ ହୋଇ ନାହିଁ। ଘଟଣାକୁ ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ବି ଅଗ୍ନିକାଣ୍ଡର ଟେର ପାଇନାହାନ୍ତି। ବରଂ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଲା କହି ସମସ୍ତେ ଘଟଣାକୁ ଖାମଖିଆଲି ଭା‌ବେ ନେଇଛନ୍ତି।

ବଡ଼ କଥା ହେଉଛି, ଏହି ଅଗ୍ନିକାଣ୍ଡରେ ବିଶ୍ବବିଦ୍ୟାଳୟର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ହୋଇଯାଇଛି। ପୂର୍ବଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ନେଇ ସମୀକ୍ଷା କରିଥିବାରୁ ବହୁ କାଗଜପତ୍ର ଏହି ସିଣ୍ଡିକେଟ୍‌ ହଲ୍‌ରେ ରହିଥିଲା। ଅଗ୍ନିକାଣ୍ଡ ଯୋଗୁଁ ସେସବୁ ଜଳି ଯାଇଛି। ଗୋଟିଏପଟେ ବିଶ୍ବବିଦ୍ୟାଳୟରେ ଦୁର୍ନୀତି ହେଉଥିବା ‌ନେଇ ଅଭିଯୋଗ ଆସୁଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ଶ୍ରୀ ସାହୁଙ୍କ ସମୀକ୍ଷା ବୈଠକ ପରେ କାଗଜପତ୍ର ପୋଡ଼ିଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ନୀତିକୁ ଘୋଡ଼ାଇବା ଲାଗି ଜାଣିଶୁଣି ନିଆଁ ଲଗାଇ ଦିଆଯାଇ ନାହିଁ ତ? କୁଳପତିଙ୍କ କାର୍ଯ୍ୟାଳୟ ଥିବା କୋଠାରେ ଅଗ୍ନି ନିରାପତ୍ତା ନ ଥିଲା କାହିଁକି? ଯଦି କୁଳପତି ସୁରକ୍ଷିତ ନୁହଁନ୍ତି, ତେବେ ଏଠାରେ ପଢ଼ୁଥିବା ୧୦ହଜାର ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇନି। କାରଣ ଦର୍ଶାଅ ନୋଟିସ୍‌ ଜାରି କରିନି କି ତଦନ୍ତ କରାଯାଇନି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବି ଘଟଣା ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି। କୁଳପତି ପ୍ରଫେସର ପଟ୍ଟନାୟକ ବି ସମାନ ଢଙ୍ଗରେ ଘଟଣାକୁ ଏଡ଼ାଇ ଯାଉଛନ୍ତି। ଏପରିକି ଆଜି ସିଣ୍ଡିକେଟ୍‌ ହଲ୍‌ରେ ବସିବାକୁ ଥିବା ବୈଠକ ପିଜି କାଉନସିଲ୍‌ ହଲ୍‌ରେ ହୋଇଥିଲା। ଏଥିରେ କେଉଁ କୋଠା ପାଇଁ ‌କେତେ ଟଙ୍କା ଖର୍ଚ୍ଚ ହେବ, ରୁଷା କୋଠାର ରୂପରେଖ ନେଇ ଆଲୋଚନା କରାଯାଇଥିଲା। ତେବେ ସିଣ୍ଡିକେଟ୍‌ ହଲ୍‌ ଅଗ୍ନିକାଣ୍ଡ କଥା ବୈଠକରେ ଉଠିନଥିଲା।

ଏଭଳି ସ୍ଥିତିରେ ଆଜି ଆଉ ଏକ ରୋଚକ ତଥ୍ୟ ପଦାକୁ ଆସିଛି। ଗତକାଲି ସିଣ୍ଡିକେଟ୍‌ ହଲ୍‌ ଜଳୁଥିବା ବେଳେ ବିଶ୍ବବିଦ୍ୟାଳୟର ପ୍ରମୁଖ ପଦରେ ଥିବା ଜଣେ ଅଧିକାରୀ ତଳେ ଛିଡ଼ା ହୋଇ ମଜା ନେଉଥିଲେ। ଭିଡ଼ିଓ କରିବା ସହ ଏହି ଘରେ ନିଆଁ ଲାଗିବା ଦ୍ବାରା ବାସ୍ତୁଦୋଷ କଟିଗଲା ‌ବୋଲି କହୁଥିବା ଛାତ୍ରଛାତ୍ରୀ କହିଛନ୍ତି। କେବଳ ଏହି କୋଠା ନୁହେଁ। ବିଶ୍ବବିଦ୍ୟାଳୟର କୌଣସି କୋଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ ନ ଥିବା ଆଜି ଦେଖିବାକୁ ମିଳିଛି। କେଉଁଠି ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ ତ ଆଉ କେଉଁଠି ବିଦ୍ୟୁତ୍‌ ତାର ଖୋଲାମେଲା ପଡ଼ିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିହିତ ପଦକ୍ଷେପ ନେଇ ନଥିବାରୁ ଆଗକୁ ବି ଆହୁରି ଅଗ୍ନିକାଣ୍ଡ ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ଅଧ୍ୟାପକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) ଧରିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗତ ଅଗଷ୍ଟ ୯ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଏନେଇ ରି‌ପୋର୍ଟ ତଲବ କରାଯାଇଥିଲେ ମଧ୍ୟ କୁଳପତି କିମ୍ବା କୁଳସଚିବ କେହି ଉତ୍ତର ଦେଇ ନାହାନ୍ତି। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ଗତକାଲି ପୁଣିଥରେ କୁଳସଚିବଙ୍କୁ ଚିଠି ଲେଖି ତାଗିଦ୍‌ କରିଛନ୍ତି। ତୁରନ୍ତ ଉତ୍ତର ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର