ଭୁବନେଶ୍ବର : ବିଶ୍ବବିଦ୍ୟାଳୟଗୁଡ଼ିକ ବିଶ୍ବସ୍ତରୀୟ ମାନବ ସମ୍ବଳ ସୃଷ୍ଟି କରିବା ଦରକାର। ଯେଉଁମାନେ କି ସମାଜ ପାଇଁ ଉପଯୋଗୀ ହୋଇପାରିବେ। ସେମାନଙ୍କ ନେତୃତ୍ବରେ ସାମାଜିକ ସଚେତନତା ଓ ଦାୟିତ୍ବବୋଧ ସୃଷ୍ଟି ହେବ। ଏହା ହୋଇପାରିଲେ ବିଶ୍ବବିଦ୍ୟାଳୟ ତା’ର ନାମକୁ ସାର୍ଥକ କରିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦ୍ଯାପନୀ ଦିବସରେ ଯୋଗଦେଇ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଆହୁରି କହିଲେ ତୁମେମାନେ କେବଳ ବିଶ୍ବବିଦ୍ୟାଳୟର ନୁହେଁ, ବିଶ୍ବର ଛାତ୍ରଛାତ୍ରୀ। କାରଣ ବିଶ୍ବବିଦ୍ୟାଳୟ ଓ ବିଶ୍ବ ପରସ୍ପର ସହ ଯୋଡ଼ି ହୋଇରହିଛି। ଏଠାରୁ ଶିକ୍ଷା ଗ୍ରହଣ କରୁଥିବା ପ୍ରତିଟି ଛାତ୍ରଛାତ୍ରୀ ଭବିଷ୍ୟତର ଜଣେ ଜଣେ ଉଜ୍ଜ୍ବଳ ତାରକା। ତୁମେମାନେ ଏହି ବିଶ୍ବବିଦ୍ୟାଳୟର ଆମ୍ବାସଡର୍ ଭାବେ ବିଶ୍ବର ଯେଉଁଠିକୁ ଯିବ, ସେଠାରେ ଝଟକିବ ବୋଲି ସେ କହିଥିଲେ।
ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଉତ୍କଳ ବିଶ୍ବବିଦ୍ୟାଳୟ ୭୫ ବର୍ଷ ପୂରଣ କରିଥିବାରୁ ଏହାର ଇତିହାସ ବିଷୟରେ ସମସ୍ତେ ଜାଣିବା ଦରକାର। ପୁରୁଣା କଥା ମନେ ପକାଇବା ସହ ଭବିଷ୍ୟତ ପାଇଁ ଯୋଜନା କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଏଠାରେ ପଢ଼ିଥିଲେ, ପଢ଼ୁଛନ୍ତି କିମ୍ବା ପଢ଼ିବେ ସେମାନେ ଏହି ଶିକ୍ଷାନୁଷ୍ଠାନର ବୋଲି ଗର୍ବ ଅନୁଭବ କରିବା ଦରକାର। ଗର୍ବର ସହ କହିବା ଦରକାର ଯେ ଆମେ ହେଉଛୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରକୃତ ଡିଏନ୍ଏ। ଆହୁରି କହିଲେ, ଯଦି ତୁମର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ରହିବ, ତେବେ ତୁମେ ଆଗକୁ ବଢ଼ିପାରିବ ନାହିଁ। ପ୍ରତି ଶିକ୍ଷାନୁଷ୍ଠାନର ଏକ ରଚିତ୍ର ରହିଛି। ଯାହାକି ମ୍ୟାନେଜ୍ମେଣ୍ଟ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ସୃଷ୍ଟି ହୋଇଥାଏ। ତାହାକୁ ଆଧାର କରି ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢ଼ିଥାନ୍ତି। ଆଜି ଯେତେବେଳେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ସେତେବେଳେ ବିଶ୍ବବିଦ୍ୟାଳୟର ମହତ୍ତ୍ବ ଓ ଶୃଙ୍ଖଳାକୁ ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଥିଲେ।
ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କୁଳସଚିବ ଦୟାନିଧି ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ସହ ମୋଟ ୩୬ଜଣ ମେଧାବୀଙ୍କୁ ପୁରସ୍କୃତ କରାଯାଇଥିଲା। ସାହସିକତା ପାଇଁ ଦୁଇ ଜଣ କର୍ମଚାରୀ ସମ୍ମାନିତ ହୋଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟର ସେଣ୍ଟର ଅଫ୍ ଏକ୍ସଲେନ୍ସ, ଏକାଡେମିକ୍ ଅଫିସ୍ ଓ ରୁରାଲ ଟେକ୍ନୋଲୋଜି ପାର୍କକୁ ରାଜ୍ୟପାଳ ଉଦ୍ଘାଟନ କରିଥିଲେ।