ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ନିଜକୁ ସୁଦୃଢ଼ କରିପାରିଛି। ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିବ୍ୟାପ୍ତ ଏହି ଶିକ୍ଷାନୁଷ୍ଠାନ ଐତିହାସିକ, ସାମାଜିକ ଓ ସାଂସ୍କୃତିକ ଦିଗରୁ ଏକ ପବିତ୍ର ଭୂମିକା ନିର୍ବାହ କରୁଛି। ଉତ୍କଳୀୟ ନବଅସ୍ମିତାର ସ୍ୱପ୍ନକୁ ସାକାର କରିବାକୁ ଏକ ସମୁନ୍ନତ ଭବିଷ୍ୟତର ପରିକଳ୍ପନା ରଖୁଛି। ଏଭଳି ଏକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଜଣେ ଜଣେ ବିଶ୍ଳେଷଣାତ୍ମକ ଚିନ୍ତକ ହୁଅନ୍ତୁ ବୋଲି ବିଶ୍ୱବିଦ୍ୟାଳୟର ୮୨ତମ ପ୍ରତିଷ୍ଠା ଦିବସରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି।

Advertisment

ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସଭାପତିତ୍ୱ କରି କହିଲେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାନର ଗବେଷଣା ଓ ଶୈକ୍ଷିକ ବାତାବରଣରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ କରାଯାଇଛି। ଏହା ରାଜ୍ୟର ସର୍ବପୁରାତନ ଓ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଏଠାରେ ବୌଦ୍ଧିକ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀ ପାଠ ସହ ବିଭିନ୍ନ କ୍ଷେତ୍ରରେ କିଭଳି ସଫତଳା ପାଇବେ ସେଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ଓ ରେଭେନ୍ସା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ସଦୃଶ ବୋଲି ମତପ୍ରକାଶ କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ୍ ପ୍ରତାପ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷାନୁଷ୍ଠାନରେ କିଭଳି ପରିବର୍ତ୍ତନ କରାଯିବ ସେସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳସଚିବ କାହ୍ନୁଚରଣ ଧୀର ବିବରଣୀ ପାଠ ଏବଂ ଛାତ୍ରମଙ୍ଗଳ ନିର୍ଦେଶକ(ଡିଏସ୍‌ଡବ୍ୟୁ) ପ୍ରଫେସର ନିଗମାନନ୍ଦ ଦାସ ଧନ୍ୟବାଦ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ବିଶ୍ୱବିଦ୍ୟାଳୟର ୪୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।