ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଆଜି : ନାକ୍‌ ‘ଏ+’ ଗ୍ରେଡ୍‌ ପରେ ସବୁ ଠପ୍‌

ପ୍ରତିଷ୍ଠା ଦିବସ ପୂର୍ବରୁ ଗଣଦୌଡ଼

ଭୁବନେଶ୍ବର : ୧୯୪୩ ମସିହା ନଭେମ୍ବର ୨୭ରେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶାର ଏହି ପ୍ରଥମ ବିଶ୍ବବିଦ୍ୟାଳୟ ୭୫ ବର୍ଷ ପୂରଣ କରିଛି। ବର୍ଷେ ହେଲା ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବ ପାଳନ କରାଯାଉଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କହୁଥିବା ବେଳେ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ହୋଇନି। କେବଳ ଯାହା ୨୦ରୁ ଅଧିକ ପ୍ଲାଟିନମ୍‌ ଜୁବ୍‌ଲି ବକ୍ତୃତା, ସାହିତ୍ୟ ଓ ସା˚ସ୍କୃତିକ ଉତ୍ସବ ପାଳନ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ପ୍ଲାଟିନମ୍‌ ଜୁବଲି ଉତ୍ସବକୁ ଜାକଜମକରେ ପାଳନ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ଫସର ଫାଟିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କୁ ମୁଖ୍ୟଅତିଥି କରାଯାଇଛି।  ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଇଂରାଜୀ ଭାଷାରେ ଯେଉଁ ନିମନ୍ତ୍ରଣପତ୍ର ଛାପିଛନ୍ତି ସେଥିରେ କେତେ ତମ ପ୍ରତିଷ୍ଠା ଦିବସ ତାହା ଉଲ୍ଲେଖ ହୋଇନି। ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛନ୍ତି।

ଦୁଇ ବର୍ଷ ତଳେ ନାକ୍‌ ‘ଏ+’ ଗ୍ରେଡ୍‌ ପାଇବା ପରେ ଲାଗୁଥିଲା ବିଶ୍ବବିଦ୍ୟାଳୟ ବହୁ ଆଗକୁ ବଢ଼ିବ। ଏକାଧିକ ପିଜି ବିଭାଗ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ତାହା ଏପର୍ଯ୍ୟନ୍ତ ହୋଇପାରିନି। ପରୀକ୍ଷା ପରିଚାଳନା, ଫଳ ପ୍ରକାଶକୁ ନେଇ ମଧ୍ୟ ବିଶ୍ବବିଦ୍ୟାଳୟ ଏବେ ବିବାଦରେ। ମେଧାବୀଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହେଉଥିବା ବେଳେ ଆଇଏଏସ୍‌ କୋଚି˚ ବ୍ୟବସ୍ଥା ଘୋଷଣାରେ ରହିଗଲା। ଦିନ ଥିଲା ଏହି ବିଶ୍ବବିଦ୍ୟାଳୟରୁ ଶିକ୍ଷା ଲାଭ କରି ପ୍ରତିବର୍ଷ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆଇଏଏସ୍‌, ଆଇପିଏସ୍‌ ପାଉଥିଲେ। ଏବେ ଜଣେ ଛାତ୍ରଛାତ୍ରୀ ସେଭଳି ପଦରେ ବସିବା ସତେ ଯେମିତି ସାତସପନ ହୋଇଯାଇଛି।

ଯେଉଁ ଗବେଷଣା ଭିତ୍ତିଭୂମିକୁ ଦେଖାଇ ବିଶ୍ବବିଦ୍ୟାଳୟ ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିଲା ତାହା ବି ଆଗକୁ ବଢ଼ିପାରୁ ନାହିଁ। ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଶିକ୍ଷାନୁଷ୍ଠାନ ପରିଚିତ ହେଲା ଭଳି କୌଣସି ଗବେଷଣା ଗତ ୩ ବର୍ଷରେ ଦେଖିବାକୁ ମିଳିନାହିଁ। ଯେଉଁ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି ସେମାନେ କେବଳ ପିଏଚ୍‌ଡି ସାର୍ଟିଫିକେଟ୍‌ ହାସଲ କରିବାକୁ ଲାଗିପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଗତ ଦୁଇ ବର୍ଷ ହେଲା ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ ହୋଇପାରିନି। ଯେଉଁଥିପାଇଁ ପିଜି ସମେତ ଯୁକ୍ତ୩ ପାଠ୍ୟକ୍ରମରେ କୃତକାର୍ଯ୍ୟ ହେବା ପରେ ବି ଲକ୍ଷାଧିକ ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ ହାସଲ କରିପାରି ନାହାନ୍ତି। ୨୦୧୮ ସରିବାକୁ ବସିଥିବାରୁ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା କ୍ଷୀଣ।

ଗତ ଦୁଇ ଦଶନ୍ଧି ହେଲା ଆଉ ଏକ ବିଚିତ୍ର କଥା ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳୁଛି। ଯଦି ଜଣେ କୁଳପତିଙ୍କ ସମୟରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କୌଣସି କାମର ଶୁଭ ଦିଆଯାଉଛି, ସେ ଗଲା ପରେ ତାହା ଆଉ ଆଗକୁ ବଢ଼ିପାରୁନି। ଆସୁଥିବା ନୂଆ କୁଳପତି ପୂର୍ବ କାର୍ଯ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି। ଯେଉଁଥିପାଇଁ ଏବେ କ୍ୟାମ୍ପସରେ ୪ଟି କୋଠା କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି। ଏଥିପାଇଁ ଆହୁରି ବର୍ଷେ ଲାଗିବ ବୋଲି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି।

ପ୍ରତିଷ୍ଠା ଦିବସ ପୂର୍ବରୁ ଗଣଦୌଡ଼

ଭୁବନେଶ୍ବର :  ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ପୂର୍ବରୁ ‘ଗତିଶୀଳ ଉତ୍କଳ’ ଶୀର୍ଷକ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏହି ଗଣଦୌଡ଼କୁ ଉଦ୍‌ଘାଟନ କରିଥିଲେ। ଗଣଦୌଡ଼ କମିଟିର ସ˚ଯୋଜକ ପ୍ରଫେସର କୁଞ୍ଜବିହାରୀ ପଣ୍ତାଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, କୁଳସଚିବ ଦୟାନିଧି ନାୟକ, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କ୍ରୀଡ଼ା ନିର୍ଦେଶକ କବୀର ମୋହନ ସେଠୀ, ପ୍ଲାଟିନମ୍‌ ଜୟନ୍ତୀ ଓଏସ୍‌ଡି ଡ. ଚିନ୍ମୟ ପ୍ରଧାନ, ଛାତ୍ର ଉପଦେଷ୍ଟା ପ୍ରଫେସର ବସନ୍ତ କୁମାର ମଲ୍ଲିକ, ୱାର୍ଡେନ୍‌ ପ୍ରଫେସର ପୁଷ୍ପାଞ୍ଜଳି ଜେନା ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର