ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାରନାମା-୧ : ନିଯୁକ୍ତି ନାଁରେ ହରିଲୁଟ୍‌ ଉଦ୍ୟମ!

ଦୁଇ ମାସ ପାଇଁ ୧୬ ପଦରେ ଦିଆଯିବ ନିଯୁକ୍ତି, ପ୍ରଫେସରଙ୍କଠାରୁ ଅଧିକ ଦରମା ପାଇବେ

ଭୁବନେଶ୍ବର: ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ମିଳିଥିଲା। ଯାହାକୁ ଭିତ୍ତି କରି ‘ରୁସା-୨’ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ଆଦି ବାବଦରେ ପ୍ରତିବର୍ଷ ଅର୍ଥ ପ୍ରଦାନ କରାଯାଉଛି। ତିନି ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟକୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅପାରଗତା କାରଣରୁ ଅର୍ଥ ‌ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଛି। ତେବେ ଆସନ୍ତା ଜୁନ୍‌ ମାସରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ହେଲେ ତା’ ପୂର୍ବରୁ ସେ ଆରମ୍ଭ କରିଦେଇଛନ୍ତି ନିଯୁକ୍ତି ପ୍ରକ୍ରିୟା। ରାତାରାତି ବିଜ୍ଞାପନ ପ୍ରକାଶ କରିବା ସହ ବିନା ଏଣ୍ଟ୍ରାନ୍ସରେ ୧୬ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚଲାଇଛନ୍ତି। ଆବେଦନ ସରିବା ପରେ ପ୍ରାର୍ଥୀଙ୍କର ସିଧାସଳଖ ସାକ୍ଷାତକାର କରି ନିଯୁକ୍ତି ଦିଆଯାଉଛି। ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବଙ୍କର ହଠାତ୍‌ ଏଭଳି ନିଯୁକ୍ତି ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବଡ଼ କଥା ହେଉଛି ‌ଯେ ନିଯୁକ୍ତି ପାଇବାକୁ ଥିବା ପ୍ରାର୍ଥୀମାନେ ମାତ୍ର ଦୁଇ ମାସ ପାଇଁ କାର୍ଯ୍ୟ କରିବେ। ମାର୍ଚ୍ଚ ୩୧ ତାରିଖରେ ସେମାନଙ୍କ କାର୍ଯ୍ୟକାଳ ସରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି। କାର୍ଯ୍ୟକାଳ ବୃଦ୍ଧି ନେଇ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଏତେ କମ୍‌ ସମୟ ପାଇଁ ଏମାନଙ୍କୁ କାହିଁକି ନିଯୁକ୍ତି ଦିଆଯାଉଛି? ମାର୍ଚ୍ଚ ୩୧ରେ ରୁସା-୨ର କାର୍ଯ୍ୟକାଳ ସରୁ ଥିବାରୁ ଏହି ପ୍ରକଳ୍ପଗୁଡ଼ିକ ବି ବନ୍ଦ ହେବ। ତେଣୁ ଦୁଇ ମାସରେ ମଧ୍ୟରେ ଏମାନେ କ’ଣ କରି‌ବେ? ଏମିତି କ’ଣ ଆବଶ୍ୟକ ପଡ଼ିଲା ଯେ ୧୬ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଗଲା? ଶିକ୍ଷାବର୍ଷ ଆରମ୍ଭରୁ ନିଯୁକ୍ତି ହେଲା ନାହିଁ କାହିଁକି? ନା କୁଳପତି ପ୍ରଫେସର ପଟ୍ଟନାୟକ କାହାକୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ନିଯୁକ୍ତି କରୁଛନ୍ତି? ଏଭଳି ପ୍ରଶ୍ନକୁ ‌ନେଇ କ୍ୟାମ୍ପସ ଉଠୁଛି ପଡ଼ୁଛି। ହେଲେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ନାଲି ଆଖି ଦେଖି ସମସ୍ତେ ଚୁପ୍‌। ‘ରୁସା‌’ର ରାଜ୍ୟ ସଂଯୋଜକ ବି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାରନାମା ଦେଖି ଚୁପ୍‌ ବସି ପଡ଼ିଛନ୍ତି।

ଆଜିଠାରୁ ସାକ୍ଷାତକାର ଆରମ୍ଭ ହୋଇଛି। ସପ୍ତାହକ ମଧ୍ୟରେ ସମସ୍ତ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ‌ଶେଷ ହେବ। ଆଶ୍ଚର୍ଯ୍ୟର ବିଷୟ, ଯେଉଁମା‌ନେ ନିଯୁକ୍ତି ପାଇବେ ସେମାନଙ୍କ ଦରମା ପ୍ରଫେସରଙ୍କଠାରୁ ବି ଅଧିକ। ଜଣେ ସହକାରୀ ପ୍ରଫେସର୍‌ ଯେତିକି ଟଙ୍କା ପାଉଛନ୍ତି, ତା’ଠାରୁ ଅଧିକ ଦରମାରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ରୁରାଲ ଆଉଟ୍‌ରିଚ୍‌ ପୋଗ୍ରାମର ନିର୍ଦେଶକଙ୍କ ଦରମା ଏକ ଲକ୍ଷ ଟଙ୍କା ହୋଇଥିବା ‌ବେଳେ ଏକାଡେମିକ କୋର୍ଡିନେଟରଙ୍କ ଦରମା ବି ଏକ ଲକ୍ଷ ରଖାଯାଇଛି। ପବ୍ଲିକ ରିଲେସନ ଅଫିସର(ପିଆରଓ)ଙ୍କୁ ଦରମା ବାବଦରେ ୬୦ ହଜାର ଟଙ୍କା ଦିଆଯିବ ବୋଲି ସ୍ଥିର ହୋଇଛି। ତିନି ବର୍ଷ ହେଲା ରୁସା-୨ ଅର୍ଥ ଖର୍ଚ୍ଚ ହୋଇପାରୁ ନଥିଲା। କାର୍ଯ୍ୟକାଳ ସରିବାର ୫ମାସ ପୂର୍ବରୁ ଏଭଳି ନିଯୁକ୍ତି ପ୍ରକ୍ରିୟା କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ସନ୍ଦେହ ଘେରକୁ ଆଣି ଦେଇଛି। ବିଜ୍ଞପ୍ତିରେ କୁଳସଚିବଙ୍କ ଦସ୍ତଖତ ରହିଥିବାରୁ ତାଙ୍କ କାର୍ଯ୍ୟକଳାପକୁ ନେଇ ବି ସନ୍ଦେହ ଉଠିଛି। ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ କୁଳପତିଙ୍କ ନେତୃତ୍ବରେ ଏକ ବଡ଼ଧରଣର ହରିଲୁଟ୍‌ ଲାଗି ଉଦ୍ୟମ ଚାଲିଛି। କାର୍ଯ୍ୟକାଳ ସରିବା ପୂର୍ବରୁ କୁଳପତି ତାଙ୍କର କିଛି ଅନୁଗତଙ୍କୁ ନିଯୁକ୍ତି ଦେଇ ସନ୍ତୁଷ୍ଟ କରିବାକୁ ଚାହୁଛନ୍ତି। ଏଥିସହ ନିଯୁକ୍ତି ବାବଦରେ ପ୍ରାର୍ଥୀଙ୍କଠାରୁ କିଛି ଅର୍ଥ ନେବାକୁ ବି ଷଡ଼ଯନ୍ତ୍ର କରାଯାଇଛି। ୨୦୧୭ରୁ କୁଳପତି ପ୍ରଫେସର୍‌ ପଟ୍ଟନାୟକ କାର୍ଯ୍ୟରେ ଯୋଗଦେବା ପରେ ରୁସା-୨ରେ ଯେତିକି ଅର୍ଥ ଖର୍ଚ୍ଚ ହେବା କଥା, ତାହା ହୋଇପାରିନି। ଏବେ ଯେଉଁ ନିଯୁକ୍ତି ପ୍ରକ୍ରିୟା ହେଉଛି, ତାହା ବହୁ ଆଗରୁ ହେବା କଥା। ଶେଷ ମୁହୂର୍ତ୍ତରେ ଦୁଇ ମାସ ଲାଗି ୧୬ଟି ପଦ ପାଇଁ ନିଯୁକ୍ତି କରାଯାଉଛି। ଏ ବାବଦରେ ମାସକୁ ପାଖାପାଖି ସାଢ଼େ ୬ଲକ୍ଷ ଦରମା ଦିଆଯିବ। ତେବେ ପିଛିଲା ଭାବେ ନିଯୁକ୍ତି ତାରିଖ ପକାଇ ପାଖାପାଖି ଦୁଇ କୋଟି ଟଙ୍କା ଆତ୍ମସାତ୍‌ କରିବାକୁ ବି ଚକ୍ରାନ୍ତ କରାଯାଇଛି।

କୁଳପତି-ଛାତ୍ରଛାତ୍ରୀ ବିବାଦ ପରସ୍ପର ଭୁଲ୍‌ ସ୍ବୀକାର କଲେ
ଭୁବ‌ନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ଆଜି ବି କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। ପୂର୍ବାହ୍ନରେ ଶତାଧିକ ଛାତ୍ରଛାତ୍ରୀ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ପୂର୍ବରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇ ଥି‌ବାରୁ ବଡ଼ଧରଣର ଗଣ୍ଡଗୋଳକୁ ଏଡ଼ାଇ ଦିଆଯାଇଥିଲା। ବୁଝାସୁଝା ପରେ ସହିଦନଗର ଥାନା ଅଧିକାରୀ ବିରଞ୍ଚି ପତିଙ୍କ ମଧ୍ୟସ୍ଥତାରେ ବିଶ୍ବବିଦ୍ୟାଳୟ କୁଳପତି ଓ ଛାତ୍ରଛାତ୍ରୀଙ୍କ ପରସ୍ପରର ଭୁଲ୍‌ ସ୍ବୀକାର କରିଥିଲେ। କୁଳପତି ପ୍ରଫେସର ପଟ୍ଟନାୟକ ଥାନାରୁ ଅଭିଯୋଗ ପ୍ରତ୍ୟାହାର କରିଥିବା ବେଳେ ଛାତ୍ରଛାତ୍ରୀ କୁଳପତିଙ୍କୁ ୧୪ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି। ଏହି ସମୟ ମଧ୍ୟରେ ଯଦି ରୁସା ସଂଯୋଜକଙ୍କୁ ପଦରୁ ହଟା ନ ଯିବ ତେବେ ପୁଣିଥରେ ବ୍ୟାପକ ଆନ୍ଦୋଳନ ହେବ।

ପ୍ରାୟ ଦୁଇ ଘଣ୍ଟା ଚାଲିଥିବା ବୈଠକରେ ଉଭୟପକ୍ଷ ପରସ୍ପର ଉପରେ ଦୋଷାରୋପ କରିଥିଲେ। କୁଳପତି ପ୍ରଫେସର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉପରେ ଦୋଷ ଲଦି ଖସି ଯିବାକୁ ଉଦ୍ୟମ କରିଥିଲେ। ତେବେ ଛାତ୍ରନେତାଙ୍କ ପ୍ରବଳ ଚାପ ଆଗରେ କୁଳପତି ଚୁପ୍‌ ହୋଇଯାଇଥିଲେ। କ’ଣ ପାଇଁ ରୁସା ସଂଯୋଜକ ହିଂମାଶୁ ରାଉତଙ୍କୁ ହଟାଯାଉ ନାହିଁ ବୋଲି ଛାତ୍ରମାନେ ପ୍ରଶ୍ନ କରିଥିଲେ। ତେବେ କୁଳପତି କୌଣସି ସଠିକ୍‌ ଉତ୍ତର ଦେଇ ନ ପାରିବାରୁ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା। ସହିଦନଗର ଥାନାରେ ଅଭିଯୋଗ କରି କୁଳପତି ଛାତ୍ରଛାତ୍ରୀଙ୍କୁ ଚୁପ୍‌ କରିଦେବାକୁ ଚକ୍ରାନ୍ତ କରିଥିଲେ। ତେବେ ଆଜି ତାଙ୍କ ଚାଲ୍‌ କାମ ଦେଇ ନ ଥିଲା। ଛାତ୍ରଛାତ୍ରୀଙ୍କ ତୀବ୍ର ବିରୋଧ ପରେ କୁଳପତି ପ୍ରଫେସର ପଟ୍ଟନାୟକ ମୁଣ୍ଡ ନୁଆଁଇଥିଲେ। ପୁଲିସ ଉପସ୍ଥିତିରେ ଉଭୟ ପକ୍ଷ ପରସ୍ପରର ଭୁଲ୍‌ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର