ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ, ଏମ୍‌.ଫିଲ୍‌ ଓ ପିଏଚ୍‌ଡି ସ୍କଲାର ରହିପାରିବେ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ହଷ୍ଟେଲ ଖାଲି କରିବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିର୍ଦ୍ଦେଶ ଦେବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ସମେତ ପିଜି କାଉନସିଲ୍‌ ଅଧ୍ୟକ୍ଷ, କୁଳସଚିବ, ହଷ୍ଟେଲ ୱାର୍ଡେନ୍‌, ପିଜି ହଷ୍ଟେଲଗୁଡ଼ିକର ଡେପୁଟି ୱାର୍ଡେନ୍‌, ସମସ୍ତ ହଷ୍ଟେଲ ସୁପରିନ୍‌ଣ୍ଟେଣ୍ଡେଣ୍ଟ ଓ ଆସିଷ୍ଟାଣ୍ଟ ସୁପରିନ୍‌ଣ୍ଟେଣ୍ଡେଣ୍ଟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଏକାଧିକ ନିଷ୍ପତ୍ତି ନିଆଯାଇଛି। ପିଜି ୪ର୍ଥ ସେମିଷ୍ଟର୍‌ର ସମସ୍ତ ଅନ୍ତେବାସୀ ଏପ୍ରିଲ ୧୨ ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପିଜି ପ୍ରଥମ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ମିଡ୍‌-ସେମିଷ୍ଟର ପରୀକ୍ଷା ଶେଷ ହେବା କ୍ଷଣି ସେମାନେ ହଷ୍ଟେଲ ଖାଲି କରି‌ବେ। ଅତି ବେଶିରେ ଏପ୍ରିଲ ୧୬ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କୁହାଯାଇଛି।

ଗବେଷଣା କାର୍ଯ୍ୟ ତଥା ସନ୍ଦର୍ଭ ପ୍ରସ୍ତୁତ ପାଇଁ ଏମ୍‌.ଫିଲ୍‌ ଶେଷ ସେମିଷ୍ଟର୍‌ ଛାତ୍ରଛାତ୍ରୀ, ପିଏଚ୍‌ଡି ସ୍କଲାର ଓ ପିଡିଏଫ୍‌ମାନଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଏଥିପାଇଁ ସେମାନଙ୍କ ଗାଇଡ୍‌, ବିଭାଗୀୟ ମୁଖ୍ୟଙ୍କ ଅନୁମତି ମିଳିବା ଆବଶ୍ୟକ। ଏପ୍ରିଲ ୧୭ରୁ ହଷ୍ଟେଲ ମେସ୍‌ ବନ୍ଦ ରହିବ। ତେବେ ଗବେଷଣା ସ୍କଲାରଙ୍କ ହଷ୍ଟେଲର ମେସ୍‌ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର