ଭୁବନେଶ୍ୱର: ବିବାଦରୁ ମୁକୁଳିପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। ଛାତ୍ରୀ ନିର୍ଯାତନାର କଳଙ୍କ ଏପର୍ଯ୍ୟନ୍ତ ମୁଣ୍ଡରୁ ଖସି ନ ଥିବାବେଳେ ନାମଲେଖା କେଳେଙ୍କାରୀ ଘଟଣା ଏବେ ପଦାକୁ ଆସିଛି। ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ନାମଲେଖାରେ ବଡ଼ଧରଣର ଘୋଟାଲା ହୋଇଥିବା ଅଭିଯୋଗ ଆସିବା ସହ ରାଜଭବନରେ ଅଭିଯୋଗ ପହଞ୍ଚିଛି। ନାମଲେଖା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଙ୍କୁ ଅଣଦେଖା କରି ଚଞ୍ଚକତାର ସହ କମ୍‌ ରୢାଙ୍କ୍‌ର ଛାତ୍ରଙ୍କୁ ଲାଇବ୍ରେରି ଓ ଇନ୍‌ଫରମେସନ ସାଇନ୍ସ ବିଭାଗରେ ନାମ ଲେଖାଇବାକୁ ସୁଯୋଗ ଦେଇଛନ୍ତି। ଅଭିଯୋଗକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିରବ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏନେଇ ମୁହଁ ଖୋଲୁ ନ ଥିବାବେଳେ ବିଭାଗୀୟ ପ୍ରଫେସର ମଧ୍ୟ ହାତ ଟେକି ଦେଲେଣି। ଏହାରି ଭିତରେ ନାମଲେଖାରେ ସାମ୍‌ସ କର୍ତ୍ତୃପକ୍ଷ ଓ ଉଚ୍ଚଶିକ୍ଷା ବିଭାଗର ସଚ୍ଚୋଟତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

ଅଭିଯୋଗ ଅନୁଯାୟୀ, ବିଶ୍ବବିଦ୍ୟାଳୟର ଲାଇବ୍ରେରି ଓ ଇନ୍‌ଫରମେସନ ସାଇନ୍ସ ବିଭାଗରେ ନାମ ଲେଖାଇବାକୁ ଛାତ୍ର ବିଜୟ କୁମାର ସାହୁ ସାମ୍‌ସ ମାଧ୍ୟମରେ ଆବେଦନ କରିଥିଲେ। ସାମ୍‌ସ ରାଙ୍କରେ ତାଙ୍କର କ୍ରମିକ ନମ୍ବର ୧୩ ରହିଥିଲା। ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରୀ ସାହୁଙ୍କୁ ନାମଲେଖା ସୁଯୋଗ ନ ଦେଇ କ୍ରମିକ ନମ୍ବର-୧୫ରେ ଥିବା ଛାତ୍ର ମିତ୍ରପ୍ରକାଶ ବଳଙ୍କ ନାମଲେଖା କରାଇଛନ୍ତି। ସ୍ପଟ୍‌ ନାମଲେଖା ସମୟରେ ଲାଇବ୍ରେରି ଓ ଇନ୍‌ଫରମେସନ ସାଇନ୍ସ ବିଭାଗ ପକ୍ଷରୁ ଶ୍ରୀ ସାହୁଙ୍କୁ ଟେଲିଫୋନ୍‌ ଯୋଗେ ନାମଲେଖା ପାଇଁ ଡକାଯାଇଥିଲା। ସିଏଲ୍‌ସି ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। ସମସ୍ତ ଆବଶ୍ୟକ କାଗଜପତ୍ର ସହ ନାମଲେଖା ଫର୍ମ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଶ୍ରୀ ସାହୁ ନିର୍ଦ୍ଧାରିତ ସମୟରେ ଫର୍ମ ଓ ଆବଶ୍ୟକ କାଗଜପତ୍ର ଦାଖଲ ପରେ ସମ୍ପୃକ୍ତ ବିଭାଗର ସଂଯୋଜକ କହିଲେ- ଚାପରେ ପଡ଼ି ତାଙ୍କ ସ୍ଥାନରେ ୧୫ ନମ୍ବରରେ ଥିବା ଛାତ୍ରଙ୍କୁ ନାମଲେଖା ସୁଯୋଗ ଦିଆଯାଇଛି।  

କମ୍‌ ରୢାଙ୍କ୍‌ ପ୍ରାର୍ଥୀଙ୍କୁ ସୁଯୋଗ, ଯୋଗ୍ୟପ୍ରାର୍ଥୀ ବଞ୍ଚିତ
ସାମ୍‌ସ ନାମଲେଖାରେ ଚଞ୍ଚକତା ଅଭିଯୋଗ

ଏଭଳି ଅନିୟମିତତା ବିରୋଧରେ ଛାତ୍ର କଂଗ୍ରେସ ଓ ଅନ୍ୟ ଛାତ୍ରମାନେ ବିଶ୍ବବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ, ପିଜି କାଉନସିଲ୍‌ ଅଧ୍ୟକ୍ଷ ନବନିତା ରଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଛାତ୍ର କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯିବା ସହ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଦିଗରେ କେହି ଆନ୍ତରିକତା ଦେଖାଇ ନାହାନ୍ତି। ତେଣୁ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନଙ୍କ ନେତୃତ୍ବରେ ଆଜି ଏକ ପ୍ରତିନିଧି ଦଳ ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ସାକ୍ଷାତକରି ନାମଲେଖା ଜାଲିଆତି ସମ୍ପର୍କରେ ଏକ ସ୍ମାରକପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଏଭଳି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଛାତ୍ର ଶ୍ରୀ ସାହୁଙ୍କୁ ତୁରନ୍ତ ନାମଲେଖା କରିବାକୁ ସୁଯୋଗ ଦିଆଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ କହିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍‌, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ୍‌ ପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି ମନୋଜ ବିଶ୍ୱାଳ, ସମୀର ବରାଳ, ରାଜେଶ ଦାସ, ପାର୍ଥସାରଥୀ ଜେନା, ଏମ୍‌ ଡି ପରଭେଜ, ସ୍ପନ୍ଦନ ସ୍ୱାଇଁ ଓ ଚଣ୍ଡିପ୍ରସାଦ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।