ସମାବର୍ତ୍ତନ ଉତ୍ସବ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ଚଳଚଞ୍ଚଳ: ଆସିବେ ଉପରାଷ୍ଟ୍ରପତି; କୋଭିଡ୍‌ କଟକଣା କଡ଼ାକଡ଼ି ହେବ

ସମାବର୍ତ୍ତନ ଉତ୍ସବରେ ସର୍ବାଧିକ ୫ଶହ ଜଣଙ୍କୁ ଅନୁମତି, ଏଯାଏ ବିଶ୍ବବିଦ୍ୟାଳୟର କେହି କରୋନା ସଂକ୍ରମିତ ହୋଇନାହାନ୍ତି

ଭୁବନେଶ୍ବର: ଆସନ୍ତା ୩ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୫୦ତମ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ‌। ଏହାକୁ ନେଇ ଆଜିଠାରୁ ଚଳଚଞ୍ଚଳ ହୋଇ ଉଠିଛି ବାଣୀବିହାର ପରିସର। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ସମାରୋହରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ଜଣ ଓଡ଼ିଆ; ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଗିରୀଶ ଚନ୍ଦ୍ର ମୁର୍ମୁ, ରାଜ୍ୟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା, ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯିବ।

ଏହା ସହ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଚୟନ ହୋଇଥିବା ୪୧ଜଣଙ୍କୁ ପିଏଚ୍‌ଡି ଡିଗ୍ରି ଏବଂ ୯୦ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ.ସବିତା ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ଏହା ସହିତ ବିଶ୍ବବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ବା କର୍ମଚାରୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇନଥିବା କହିଥିଲେ। ପ୍ରଫେସର ଆଚାର୍ଯ୍ୟ ଆହୁରି କହିଲେ ଯେ କୋଭିଡ୍ ପାଇଁ ଗତବର୍ଷ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇପାରିନଥିଲା। ତେଣୁ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ପିଏଚ୍‌ଡି/ଡିଲିଟ୍ ଡିଗ୍ରି ଏବଂ ଅନ୍ୟାନ୍ୟ ୯୦ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବା ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଇଛି। ଏହି ସମାବର୍ତ୍ତନ ଉତ୍ସବରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍‌)ର ନିର୍ଦ୍ଦେଶକ ସୁଧାକର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଉଭୟ ଏପ୍ରିଲ୍ ୧ ଓ ୩ ତାରିଖରେ ବିଶ୍ବବିଦ୍ୟାଳୟର ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟରେ ଏହି ଦୁଇ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଭୟ ଉତ୍ସବରେ ଯୋଗ ଦେବାକୁ ଯାଉଥିବାରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯିବ। ସର୍ବାଧିକ ୫ଶହ ଜଣଙ୍କୁ ଯୋଗ ଦେବା ଅନୁମତି ପ୍ରଦାନ କରାଯିବ। ସମସ୍ତ ଅଂଶଗ୍ରହଣକାରୀ ଓ ଅତିଥିଙ୍କ ମଧ୍ୟରେ ୬ଫୁଟ୍‌ର ଦୂରତା ବଜାୟ ରଖାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ନିୟମାବଳୀ ଅନୁପାଳନ ହେବ ବୋଲି ସୂଚନା ଦିଆଯାଇଛି। ଆଜି ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବାବେଳେ ଉତ୍ସବରେ ଯୋଗ ଦେବାକୁ ଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ଆର୍‌ଟିପିସିଆର୍ ପରୀକ୍ଷଣ କରାଯିବ ବୋଲି କୁଳପତି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର