ମଞ୍ଚ ଉପରେ ପକାଇଲେ, ତଳେ ଫେରାଇଲେ
ସମାବର୍ତ୍ତନ ଉତ୍ସବ ସରିଗଲା, ନ୍ୟାୟ ପାଇଲେନି ତନୁଶ୍ରୀ
ନିୟମରେ ପରିବର୍ତନ ଆଣିବାକୁ କର୍ତ୍ତୃପକ୍ଷଙ୍କ ଯୋଜନା
ଭୁବନେଶ୍ବର : ପାଠ ପଢ଼ିବେ। ପରୀକ୍ଷା ଦେବେ। ସର୍ବାଧିକ ନମ୍ବର ରଖିବେ। ତା’ପରେ ବି ସ୍ବର୍ଣ୍ଣପଦକ ମିଳିବନି। କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ପଦକ ହାତେଇ ନେବେ। ୫୦ତମ ସମାବର୍ତ୍ତନ ଉତ୍ସବ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଏଭଳି ବିବାଦ ମୁଣ୍ଡ ଟେକିଥିଲା। ସ୍ବର୍ଣ୍ଣପଦକ ବିତରଣରେ ପାତରଅନ୍ତର ହୋଇଥିବା ଅଭିଯୋଗ ଆଣିଥିଲେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପରିସଂଖ୍ୟାନ ବିଷୟର ଛାତ୍ରୀ ତନୁଶ୍ରୀ ରାଉତ। ତନୁଶ୍ରୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ଶାଶ୍ବତ ମିଶ୍ର, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଟ୍ବିଟ୍ ଓ ଇ-ମେଲ୍ ଯୋଗେ ଜଣାଇଥିଲେ। ଏତେ ସବୁ ପରେ ବି ନ୍ୟାୟ ପାଇଲେ ନାହିଁ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗାଇଡ୍ଲାଇନ୍କୁ ଆଳ କରି କମ୍ ମାର୍କ ରଖିଥିବା ଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସ୍ବର୍ଣ୍ଣପଦକ ପ୍ରଦାନ କଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଚଳିତବର୍ଷ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ବଣ୍ଟନରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଇଂରାଜୀ, ଇତିହାସ ପରି ବିଭାଗରେ ବି ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ପଦକ ପାଇନାହାନ୍ତି। ଯେତେବେଳେ କି କମ୍ ମାର୍କ ପାଇଥିବା ପିଲା ହାତେଇଛନ୍ତି ସ୍ବର୍ଣ୍ଣପଦକ।
ଏବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସ୍ବର୍ଣ୍ଣପଦକ ଟାଏ ହେବା ପରି ଘଟଣା ଗତକାଲି ସାମ୍ନାକୁ ଆସିଥିଲା। ବିଶ୍ବବିଦ୍ୟାଳୟ ଅଧୀନରେ ଶାରୀରିକ ଶିକ୍ଷା ଗ୍ରହଣ କରିଥିବା ଦୁଇଜଣ ଛାତ୍ରଙ୍କ ମଧ୍ୟରେ ସ୍ବର୍ଣ୍ଣପଦକ ଟାଏ ହୋଇଛି। କିଏ ପଦକ ପାଇବ, ତାହାକୁ ନେଇ ଗତକାଲି ପର୍ଯ୍ୟନ୍ତ ସ୍ଥିର ହୋଇ ପାରି ନଥିଲା। ଯେତେବେଳେ କି ଟାଏ ହୋଇଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ସ୍ବର୍ଣ୍ଣପଦକ ନେବା ଲାଗି ଡକାଯାଇଥିଲା। ଛାତ୍ରଜଣକ କୋଭିଡ୍ ପରୀକ୍ଷା କରିବା ସହ ସମସ୍ତ ଡକ୍ୟୁମେଣ୍ଟ ଧରି ଉତ୍ସବସ୍ଥଳରେ ପହଞ୍ଚିଥିଲେ। ତେବେ ଟାଏ ହୋଇଥିବାରୁ ତାଙ୍କୁ ପଦକ ମିଳିବ ନାହିଁ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇ ଦେଇଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଛାତ୍ରଜଣକ ବିରୋଧ କରିବା ପରେ ଏକ ସର୍ତ୍ତରେ ପଦକ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ମଞ୍ଚ ଉପରେ ପଦକ ଗ୍ରହଣ କରିବେ ଏବଂ ତଳକୁ ଫେରିଲେ ତାହାକୁ ଫେରାଇବାକୁ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ସର୍ତ୍ତ ରଖିଥିଲେ। ସର୍ତ୍ତ ଅନୁଯାୟୀ, ଛାତ୍ରଜଣକ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ନିକଟରୁ ପଦକ ଗ୍ରହଣ କରିଥିଲେ। ଆଉ ତଳକୁ ଆସିବା ପରେ ପଦକ ଫେରାଇ ନିରାଶ ହୋଇ ଫେରିଥିଲେ।
ଏବେ ପ୍ରଶ୍ନ ଉଠୁଛି, ସ୍ବର୍ଣ୍ଣପଦକ ଟାଏ ହେଲା କେମିତି? ଯଦି ଦୁଇଜଣ ସମାନ ନମ୍ବର ରଖିଥିଲେ, ତେବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ କାହିଁକି? ଟାଏରେ ଦୁଇଜଣ ଥିବା ବେଳେ ସ୍ବର୍ଣ୍ଣପଦକ ନେବାକୁ ଜଣଙ୍କୁ ଡକାଗଲା କାହିଁକି? ତନୁଶ୍ରୀଙ୍କ ଘଟଣା ପରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ କହିଥିଲେ ଯେ ୟୁଜିସି ନିୟମ ମୁତାବକ, ଗ୍ରେଡ୍ ପଏଣ୍ଟ ଅନୁସାରେ ସ୍ବର୍ଣ୍ଣପଦକ ଦିଆଯାଉଛି। ଉକ୍ତ ଛାତ୍ରୀଙ୍କୁ ପୂର୍ବରୁ ଦୁଇ ଥର ଗ୍ରେସ୍ ମାର୍କ ମିଳିଛି। ବୋର୍ଡ କେସ୍ ଅନୁଯାୟୀ ଗ୍ରେସ୍ ମାର୍କ ଥିଲେ ତାଙ୍କୁ ସ୍ବର୍ଣ୍ଣପଦକ ମିଳିବନି। ତେବେ ଜଣେ ଛାତ୍ର/ଛାତ୍ରୀଙ୍କର ଗ୍ରେସ୍ ମାର୍କର ଆବଶ୍ୟକତା ନ ଥିଲେ, ତାଙ୍କୁ କାହିଁକି ଦିଆଯାଉଛି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।
ଆଗକୁ ଯେମିତି ଏଭଳି ଘଟଣାର ପୁର୍ନରାବୃତ୍ତି ନ ହୁଏ, ସେଥିପାଇଁ ଖୁବ୍ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯିବ। ଏଥିରେ ନିୟମର ସମୀକ୍ଷା କରାଯାଇ ଆବଶ୍ୟକ ହେଲେ ପରିବର୍ତ୍ତନ କରାଯାଇପାରେ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି କହିଛନ୍ତି। ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ପ୍ରଫେସର୍ ଓ ପରୀକ୍ଷା ପରିଚାଳନାରେ ଅଭିଜ୍ଞତା ଥିବା ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ହେବ। ଏହି କମିଟି ସ୍ବର୍ଣ୍ଣପଦକ ଚୟନକୁ ନେଇ ଥିବା ନିୟମ ଓ ସ୍ଥିତିକୁ ସମୀକ୍ଷା କରିବ। ୟୁଜିସି ନିୟମ ପାଳନ ହୋଇଛି କି ନାହିଁ, ତା’ର ଯାଞ୍ଚ କରିବ। କମିଟିର ସମୀକ୍ଷା ପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଆବଶ୍ୟକ ପଡ଼ିଲେ ୟୁଜିସି ପ୍ରତିନିଧିଙ୍କୁ ମଧ୍ୟ ଡାକିବାକୁ ଯୋଜନା ହୋଇଛି।