ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ ପ୍ରସଙ୍ଗ : ବୈଠକ ଡକାଗଲା, ଆଲୋଚନା ହେଲାନି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଉ ନଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ସ୍ବର ଉଠିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ‌ନେଇ ପ୍ରଫେସରମାନେ ପ୍ରଶ୍ନ ଉଠାଇଛନ୍ତି। ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ ଲାଗି ଓଡ଼ିଶାରେ ଯୋଗ୍ୟ ବ୍ୟକ୍ତିତ୍ବଙ୍କର ଅଭାବ ରହିଛି ନା ଉପାଧି ପ୍ରଦାନ ଲାଗି କୁଳପତିଙ୍କର ଅଭାବ ରହିଛି ତାହାକୁ ନେଇ ଦିନତମାମ କ୍ୟାମ୍ପସରେ ଚର୍ଚ୍ଚା ଚାଲିଥିଲା। ଏପରିକି ସନ୍ଧ୍ୟାରେ ସମାବର୍ତନ ଉତ୍ସବର ପ୍ରାକ୍‌ ପ୍ରସ୍ତୁତି ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସମସ୍ତ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ପ୍ରଫେସରମାନେ ଉପସ୍ଥିତ ରହିଥିଲେ ମଧ୍ୟ ସମ୍ମାନସୂଚନ ଡକ୍ଟରେଟ୍‌ ଉପାଧି ନେଇ କୌଣସି ଆଲୋଚନା ହୋଇ ନଥିଲା।

ଯେଉଁଥିପାଇଁ ପ୍ରଫେସରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୈଠକ ପରେ ସେମାନେ କହିଛନ୍ତି ‌ଯେ ତୁରନ୍ତ ବୈଠକ ଡକାଯାଇଥିବାରୁ କିଛି ଆଲୋଚନା ହେବ ବୋଲି ଆଶା କରାଯାଇଥିଲା। ହେଲେ କେହି ବି ମୁହଁ ଖୋଲି ନଥିଲେ। ଏଥର କାହିଁକି ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲେ ମଧ୍ୟ କେହି କିଛି କହି ନଥିଲେ। ଏହାଦ୍ବାରା ବିଶ୍ବବିଦ୍ୟାଳୟର ମାନ ହ୍ରାସ ପାଇଛି। ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ବୋଲି ଆମେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଯୋଗ୍ୟ ବ୍ୟକ୍ତି ନ ମିଳିବା ଆଶ୍ଚର୍ଯ୍ୟ କରିଛି। ରାତି ପାହିଲେ ଉତ୍ସବ ଅନୁଷ୍ଠିତ ହେବ। ତେଣୁ ଏହା ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରି ଉପାଧି ପ୍ରଦାନ ଲାଗି ‌ଦାବି ହୋଇଛି। ସେପଟେ ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣପତ୍ରରେ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ ନେଇ କିଛି ବି ସୂଚନା ଦିଆଯାଇ ନାହିଁ। ସାର୍ଟିଫିକେଟ୍‌, ସ୍ବର୍ଣ୍ଣପଦକ ଓ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯିବା ନେଇ ସମୟ ଧାର୍ଯ୍ୟ ହୋଇଛି। ହେଲେ ଉପାଧି ପ୍ରଦାନ ଲାଗି କିଛି ବି ଉଲ୍ଲେଖ ହୋଇ ନାହିଁ।

କ୍ୟାମ୍ପସରେ ଚର୍ଚ୍ଚା ହେଉଛି ଯେ ସବୁ ଆଡ଼ୁ ନିନ୍ଦା ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏବେ ବିକଳ୍ପ ଚିନ୍ତା କରିଛନ୍ତି। ଉତ୍ସବରେ ଯୋଗଦେବାକୁ ଥିବା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କୁ ସେଠାରେ ହିଁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ। ଏହାକୁ ଗୁପ୍ତ ରଖାଯାଇଛି। ‌ ଯଦି ଏଭଳି କିଛି ହୁଏ ତେବେ ଯେଉଁ ଦୁଇ ଜଣ ଉପାଧି ପାଇବେ ସେମାନେ ରାଜ୍ୟ ବାହାରର। ତାହାକୁ ନେଇ ବି ପ୍ରଶ୍ନ ଉଠିବ। ଓଡ଼ିଶାରେ ଯୋଗ୍ୟ ବ୍ୟକ୍ତିତ୍ବ ମିଳିଲେନି କି ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାହାର ରାଜ୍ୟର ବ୍ୟକ୍ତିତ୍ବଙ୍କୁ ଏହି ଉପାଧି ଦେଉଛନ୍ତି।

ସମ୍ବନ୍ଧିତ ଖବର