ଉତ୍କଳ ବିଶ୍ବବିଦ୍ୟାଳୟ: ଡିସେମ୍ବରରେ ଆସିବ ନାକ୍‌

ଲକ୍ଷ୍ୟ ନାକ୍ ‘ଏ++’ ଗ୍ରେଡ୍‌ ହାସଲ, ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ ‘ଏ++’ ଗ୍ରେଡ୍‌ ମାନ୍ୟତା କିଭଳି ମିଳିପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି। ଡିସେମ୍ବର ମାସର ଯେକୌଣସି ସମୟରେ ନାକ୍ ଟିକ୍‌ ବିଶ୍ବବିଦ୍ୟାଳୟ ପରିସରକୁ ପରିଦର୍ଶନରେ ଆସି ମୂଲ୍ୟାଙ୍କନ କରିବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି।

ବିଶ୍ବବିଦ୍ୟାଳୟର ୮୦ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଆଜି କ୍ୟାମ୍ପସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଆଚାର୍ଯ୍ୟ କହିଲେ ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି। ଏଥର ଆମେ ନାକ୍ ‘ଏ++’ ଗ୍ରେଡ୍‌ ମାନ୍ୟତା ପାଇବା ନେଇ ଲକ୍ଷ୍ୟରେ କାର୍ଯ୍ୟ କରୁଛୁ। ବିଶ୍ବବିଦ୍ୟାଳୟକୁ ଡିଜିଟାଲ କ୍ୟାମ୍ପସରେ ପରିଣତ କରିବା ପାଇଁ ଚାଲିଥିବା ପ୍ରୟାସ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୨୦୧୮ମସିହାରେ ପ୍ରତିଷ୍ଠା ହୋଇଥିବା ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ(ସିଆଇଆଇ) ଯୋଗୁଁ ଅନେକ ଛାତ୍ରଛାତ୍ରୀ ଓ ଶିଳ୍ପଦ୍ୟୋଗୀ ଏଠାରେ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, ଯାହାକି ଅନ୍ୟ ଏକ ସଫଳତା। ନୂତନ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରଣୟନ କରିବା ପାଇଁ ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ରହିଛି। ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବାକୁ ଅନୁରୋଧ କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇ ନ ଥିବା କୁଳପତି ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ କୁଳସଚିବ ଅଭୟ କୁମାର ନାୟକ, ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ଛାତ୍ର ମଙ୍ଗଳ ନିର୍ଦେଶିକା ପ୍ରଫେସର ମିତାଲି ଚିନ୍ନାରା, ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜିକା ପ୍ରତିମା ଷଡ଼ଙ୍ଗୀ ପ୍ରମୁଖ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସେପଟେ ରବିବାର ପ୍ରତିଷ୍ଠା ଦିବସ ଲାଗି ଝଲସୁଛି ବିଶ୍ବବିଦ୍ୟାଳୟ କ୍ୟାମ୍ପସ। କ୍ୟାମ୍ପସ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ସମ୍ବନ୍ଧିତ ଖବର