ବାଣୀବିହାରରେ ନୂଆ ଅଧ୍ୟାୟ: ରାମ ଧୂନ୍‌ରେ ଆରମ୍ଭ… ରାମଧୂନ୍‌ରେ ଶେଷ

ବାଣୀବିହାର ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। କୌଣସି ବିଶ୍ୱବିଦ୍ୟାଳୟର କୁଳପତି ଅନଶନରେ ବସିବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହାକୁ ନେଇ ଆଜି ଦିନତମାମ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ କ୍ୟାମ୍ପସ ରହିଥିଲା ସରଗରମ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିଟି ଗତିବିଧି ଉପରେ ରହିଥିଲା ସମସ୍ତଙ୍କ ନଜର। କିଏ କୁଆଡ଼େ ଗଲେ? କ’ଣ କଲେ? କେତେବେଳେ ମୁହଁ ଖୋଲିବେ କୁଳପତି? ଏହାକୁ ନେଇ ଲାଗିରହିଥିଲା ଉତ୍କଣ୍ଠା। ରାତି ୮ଟାରେ କୁଳପତି ଅନଶନ ଓ ମୌନବ୍ରତ ଭାଙ୍ଗବା ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା।

କ୍ୟାମ୍ପସ୍‌ରେ କାହା ପାଖରେ କିଛି ଖବର ନ ଥିଲା। ଅଚାନକ ସକାଳ ୮ଟାରେ ଅଚାନକ ଅନଶନରେ ବସିଥିଲେ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ।
ସାମ୍ନାରେ ଥୁଆ ହୋଇଥିଲା ମହାତ୍ମା ଗାନ୍ଧୀଙ୍କ ଫଟୋ। ବାଜୁଥିଲା ରାମଧୂନ୍‌। ଗାନ୍ଧୀଙ୍କ ଫଟୋ ଆଗରେ କୁଳପତି ଚକାମାଡ଼ି ଚୁପ୍‌ଚାପ୍‌ ବସିଥିବା ଦେଖି ଆଉ କେତେଜଣ ଅଧ୍ୟାପକ ବି ଆସି ତାଙ୍କ ପାଖରେ ବସି ଯାଇଥିଲେ। କୁଳପତି କିନ୍ତୁ ପାଟି ଫିଟାଇ ନ ଥିଲେ। କାହାକୁ ଡାକି ନ ଥିଲେ କି କିଏ ବସିବାକୁ ବାରଣ କରି ନ ଥିଲେ। ତେବେ କୁଳପତିଙ୍କ ଏଭଳି ଗାନ୍ଧୀଗିରିର କାରଣ ଠଉରାଇ ନେଇଥିଲେ ଛାତ୍ରଛାତ୍ରୀ। କ୍ୟାମ୍ପସ୍‌ରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ପ୍ରତିଷ୍ଠା ଲାଗି କୁଳପତି ଏଭଳି କରିଛନ୍ତି ଜାଣି ତିନିଟି ଯାକ ଛାତ୍ର ସଂଗଠନ ବି ଆଗେଇ ଆସିଥିଲେ ଅନଶନରେ ସାମିଲ ହେବାକୁ। ଦିନତମାମ ଏମିତି ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଣୀବିହାରରେ। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅନଶନସ୍ଥଳରେ କେବଳ ରାମଧୁନ୍‌ ବାଜୁଥିଲା। ରାତି ୮ଟାରେ କୁଳପତି ଉପବାସ ଭାଙ୍ଗିବା ସମୟରେ ପ୍ରଫେସର ମିତାଲି ଚିନ୍ନାରା, ପ୍ରଫେସର ଅନୁସୂୟା ନାଥ ଏବଂ ପ୍ରଫେସର ପୁଷ୍ପାଞ୍ଜଳି ଜେନା ରାମଧୂନ ପରିବେଷଣ କରିଥିଲେ। ତାଙ୍କ ସହ ଉପସ୍ଥିତ ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀ ମଧ୍ୟ ଗାଇ ଉଠିଥିଲେ ରଘୁପତି ରାଘବ ରାଜା ରାମ…।

ପୂର୍ବରୁ ଇସ୍ତଫା ଦେଇଥିଲେ ରେଭେନ୍ସା କୁଳପତି
ଛାତ୍ର ଅଶାନ୍ତି ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନଶନ ପ୍ରଥମ ଘଟଣା ହୋଇଥିବା ବେଳେ ଚଳିତବର୍ଷ ପ୍ରଥମାର୍ଦ୍ଧରେ ରେଭେନ୍ସା କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ କ୍ୟାମ୍ପସ୍‌ରେ ଅଶାନ୍ତିକୁ ନିୟନ୍ତ୍ରଣ କରି ନ ପାରି ଇସ୍ତଫା ଦେଇଥିଲେ। ପଦ ଛାଡ଼ିବା ନେଇ ସେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ। ତେବେ ରାଜନୈତିକ ଚାପରେ ପଡ଼ି ସେ ଏପରି କରିଥିବା ଚର୍ଚା ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ପୁଣିଥରେ ସେ ନିଜ ପଦକୁ ଫେରିଥିଲେ।

ନିର୍ବାଚନ ଲାଗି ସର୍ତ୍ତ ରଖିଲେ ତିନି ଛାତ୍ର ସଂଗଠନ
ଛାତ୍ର ସଂସଦ ନିର୍ବାଚନ ଲାଗି କ୍ୟାମ୍ପସ୍‌ରେ ଅନୁଷ୍ଠିତ ବୈଠକରେ ୩ଟି ଯାକ ସଙ୍ଗଠନର ପ୍ରାର୍ଥୀମାନେ ନିର୍ବାଚନ ସପକ୍ଷରେ ମତ ଦେଇଥିଲେ। ତେବେ ଏ ନେଇ ସମସ୍ତେ କିଛି କିଛି ସର୍ତ ରଖିଥିଲେ। ଛାତ୍ର ବିଜେଡିର ସଭାପତି ଏବଂ ସାଧାରଣ ସମ୍ପାଦକ ପ୍ରାର୍ଥୀ ୭ ଦିନ ମଧ୍ୟରେ କିଭଳି ନିର୍ବାଚନ ହୋଇପାରିବ ତାହା ଉପରେ ମତପ୍ରକାଶ କରିଥିଲେ। ଏବିଭିପି ପ୍ରାର୍ଥୀମାନେ ୪ଟି ସର୍ତ୍ତ ରଖିଥିଲେ। ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ କୁଳପତିଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବା ଛାତ୍ର/ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଅଣଛାତ୍ରଙ୍କ ପ୍ର୍ରବେଶ ଉପରେ ରୋକ ଏବଂ ଲିଙ୍ଗଡୋ କମିସନଙ୍କ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ନିର୍ବାଚନ ହେଉ ବୋଲି କହିଥିଲେ। ଛାତ୍ର କଂଗ୍ରେସ ପ୍ରାର୍ଥୀମାନେ କ୍ୟାମ୍ପସର ପାଚେରି ବୁଲାଇବା, ଅଣଛାତ୍ରଙ୍କୁ କ୍ୟାମ୍ପସରୁ ତଡ଼ି ସୁରକ୍ଷା କଡ଼ାକଡ଼ି କରିବା, କୁଳପତିଙ୍କୁ ଯେଉଁମାନେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ନିର୍ବାଚନ କରାଯାଉ ବୋଲି କହିଥିଲେ। ବୈଠକରେ ଜଣେ ପ୍ରାର୍ଥୀ କହିଥିଲେ ଯେ ଅନ୍ୟ ଦୁଇ ସଙ୍ଗଠନର ଅଣଛାତ୍ର କ୍ୟାମ୍ପସକୁ ନ ଆସିଲେ ଆମ ସଙ୍ଗଠନର ଅଣଛାତ୍ର କ୍ୟାମ୍ପସକୁ ଆସିବେନି।

ଫଳ ରସ ପିଆଇଲେ ୩ ସଭାପତି ପ୍ରାର୍ଥୀ
ରାତି ଠିକ୍‌ ୮ଟାରେ ଏକ ଭାବବିହ୍ଵଳ ପରିବେଶରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସହ ସମସ୍ତେ ଉପବାସ ଭାଙ୍ଗିଥିଲେ। ଓ୍ଵାଡେନ୍‌ ପ୍ରଫେସର କିଶୋର ବାସା ପ୍ରଥମେ ଛିଡ଼ା ହୋଇ କହିଥିଲେ ଯେ ବିଶ୍ୱବିଦ୍ୟାଳୟର ଗାରିମାକୁ ଫେରାଇ ଆଣିବାକୁ ପଡ଼ିବ। ହିଂସାକୁ ଛାଡ଼ି ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ। ଉତ୍କର୍ଷର ଏହି କ୍ୟାମ୍ପସର ଗୌରବକୁ ବଜାୟ ରଖିବା ଲାଗି ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହାପରେ କୁଳପତି ପ୍ରଫେସର ପଟ୍ଟନାୟକ ଛିଡ଼ା ହୋଇ ସଂକ୍ଷିପ୍ତ ଉଦ୍‌ବୋଧନ ଦେବା ପରେ ଛାତ୍ର କଂଗ୍ରେସ ସଭାପତି ପ୍ରାର୍ଥୀ ସୌମ୍ୟ ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର, ଏବିଭିପି ସଭାପତି ପ୍ରାର୍ଥୀ ରତନ ଦିଗଲ୍‌ ତାଙ୍କୁ ଫଳରସ ପିଆଇ ଉପବାସ ଭଙ୍ଗ କରାଇଥିଲେ।

ସ୍ୱାଭାବିକ ଭାବେ ଚାଲିଲା କ୍ଲାସ୍‌
କୁଳପତି ଅନଶନରେ ବସିଥିଲେ ମଧ୍ୟ ଏହାର ପ୍ରଭାବ ପିଲାଙ୍କ ପାଠପଢ଼ା ଉପରେ ପଡ଼ି ନ ଥିଲା। ପ୍ରଫେସରମାନେ ସ୍ୱାଭାବିକ ଭାବେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଇଥିଲେ। ଯେତେବେଳେ କୌଣସି ପ୍ରଫେସରଙ୍କ କ୍ଲାସ ନ ଥିଲା ସେତେବେଳେ ସେ ଆସି ଅନଶନସ୍ଥଳରେ ବସି ଯାଉଥିଲେ।

ସମ୍ବନ୍ଧିତ ଖବର