ସମସ୍ୟାରୁ ମୁକୁଳିପାରୁନି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ

ଛାତ୍ରାବାସରେ ଖାଉଛନ୍ତି ଛାତ୍ରୀ

ଖଣ୍ଡଗିରି: ପ୍ରତିଷ୍ଠା ହେବାର ୨୦ ବର୍ଷ ବିତିଗଲାଣି। ମାତ୍ର ସମସ୍ୟା ଘେରରୁ ମୁକୁଳି ପାରିନି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ। ଭିତ୍ତିଭୂମି ବିକାଶକୁ ନେଇ ପଛରେ ପଡ଼ିଥିବା ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏବେ ବି ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ୍‌ ତିଆରି ହୋଇଥି‌‌ଲେ ମଧ୍ୟ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁବିଧ‌ା ସୁ‌ଯୋଗ ଯେଗାଇ ଦିଆଯାଇ ପାରିନାହିଁ। ଛାତ୍ରୀନିବାସରେ କ୍ୟାଣ୍ଟିନ୍‌ ନ ଥିବାରୁ ପ୍ରତିଦିନ ଛାତ୍ରୀମାନଙ୍କୁ ଖାଇବା ଲାଗି ଛାତ୍ରାବାସ ଆସିବାକୁ ପଡ଼ୁଛି। ସନ୍ଧ୍ୟା ହେଲେ କ୍ୟାମ୍ପସ ଅନ୍ଧାର। ବଜାରକୁ ଯିବା ଦୂରରେ ଥାଉ, କ୍ୟାମ୍ପସ ବାହାରକୁ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ବହୁ ଦିନ ହେଲା ଦୁଇଟି ପ୍ରଶାସନିକ କୋଠା ନିର୍ମାଣ ହୋଇସାରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ।

୧୯୯୯ରେ ଭୁବନେଶ୍ବରର ୟୁନିଟ୍‌-୨ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଏହି ବିଶ୍ବବିଦ୍ୟାଳୟ ୨୦୧୬ରେ ମଦନପୁରସ୍ଥିତ ନିଜସ୍ବ କ୍ୟାମ୍ପସକୁ ଯାଇଥିଲା। ସେଠାକୁ ଯିବା ପରେ ଲାଗୁଥିବା ବିଶ୍ବବିଦ୍ୟାଳୟ ରୂପ ବଦଳି ଯିବ। ମାତ୍ର ତାହା ହୋଇପାରି ନାହିଁ। ଯେମିତି ଥିଲା ଏବେ ବି ସେମିତି ରହିଛି। କେବଳ ଯାହା ମାଳ ମାଳ କୋଠା ନିର୍ମାଣ ହୋଇଛି। ଆକର୍ଷଣୀୟ ପ୍ରବେଶ ପଥ ସହ ନୂତନ କୋଠାଗୁଡ଼ିକର ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ହୋଇଛି। ଶାନ୍ତ ପରିବେଶ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି। ହେଲେ କ୍ୟାମ୍ପସରେ ଆବଶ୍ୟକୀୟ ସୁବିଧା ସୁଯୋଗ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ରାତି ଅଧରେ ହଟହଟା ହେବାକୁ ପଡ଼ୁଛି। ବିଶେଷକରି ଦୂରଦୂରାନ୍ତରୁ ଆସି ଏଠାକାର କ୍ୟାମ୍ପସରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି।

କ୍ୟାମ୍ପସ୍‌‌ରେ ଯେଉଁ କ୍ୟାଣ୍ଟିନ୍‌ ରହିଛି ତାହା ଛାତ୍ରାବାସର ତଳ ମହଲାରେ ରହିଛି। ଯେଉଁଥିପାଇଁ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀଙ୍କୁ ପ୍ରତିଦିନ ମଧ୍ୟାହ୍ନଭୋଜନ ଲାଗି ୪୦୦ ମିଟର ଚାଲି ଚାଲି ଛାତ୍ରାବାସକୁ ଯିବାକୁ ପଡ଼ୁଛି। ବିଶ୍ବବିଦ୍ୟାଳୟ ଆଖପାଖରେ କୌଣସି ରେଷ୍ଟୁରାଣ୍ଟ ନାହିଁ। କ୍ୟାଣ୍ଟିନ୍‌ର ଅବ୍ୟବସ୍ଥା ନେଇ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାତ୍ର କିଛି ସୁଫଳ ମିଳିନି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ କ୍ୟାଣ୍ଟିନ୍‌ରେ କେବଳ ମଧ୍ୟା‌ହ୍ନ ଓ ରାତି‌ରେ ଖାଇବାକୁ ଦିଆଯାଉଛି।

ସକାଳେ ଓ ସନ୍ଧ୍ୟାରେ କିଛି ଜଳଖିଆ ପ୍ରସ୍ତୁତ ହେଉନାହିଁ। କୌଣସି ଅନ୍ତେବାସୀ ଅସୁସ୍ଥ ହେଲେ ବାଧ୍ୟ ହୋଇ ଚାଲିଚାଲି ଗୋଟିଏ କିଲୋମିଟର ଦୂର ମଦନପୁର ଛକକୁ ଯିବାକୁ ହେଉଛି। କ୍ୟାମ୍ପସରେ କୌଣସି ପ୍ରକାର ସୁବିଧା ଉପଲବ୍ଧ ହେଉନାହିଁ। କ୍ୟାମ୍ପସ ବାହାରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ସନ୍ଧ୍ୟା ସମୟ‌ରେ ନିଛାଟିଆ ରାସ୍ତାରେ ଚାଲିଚାଲି ଯିବାକୁ କେହି ବି ସୁରକ୍ଷିତ ମଣୁନାହାନ୍ତି।

ସମସ୍ୟା ସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେ‌ଶ ତ‌୍ରିପାଠୀ କହିଛନ୍ତି ଯେ କ୍ୟାଣ୍ଟିନ୍‌ ଓ ପ୍ରେକ୍ଷାଳୟ ତିଆରି ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁମୋଦନ ମିଳିବା ପରେ କ୍ୟାଣ୍ଟିନ୍‌ ନିର୍ମାଣ ଦିଗରେ ପଦକ୍ଷେପ ନିଆଯବ। ଦୁଇଟି ବିଲ୍‌ଡିଂ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆମକୁ ହସ୍ତାନ୍ତର ହୋଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହେଉନାହିଁ।

ସମ୍ବନ୍ଧିତ ଖବର