ଖଣ୍ତଗିରି: କେଉଁ ବିଭାଗରେ ୧୦ରୁ କମ୍ ପିଲା। ତ ଆଉ କେଉଁଠି ଜଣେ ନାମ ଲେଖାଉଛନ୍ତି। ଏମିତି ବି ବିଭାଗ ରହିଛି, ଯେଉଁଠି ଆଦୌ ପିଲା ନାମ ଲେଖାଉ ନାହାନ୍ତି। ୨୦୨୧-୨୨ରୁ ୨୦୨୪-୨୫ ଶିକ୍ଷାବର୍ଷର ତଥ୍ୟ ଦେଖିଲେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ୨୦୨୫-୨୬ ଶିକ୍ଷାବର୍ଷରେ ନାମଲେଖା ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଶାନୁଯାୟୀ ପିଲା ହେଇନାହାନ୍ତି। କିଛି ବିଭାଗରେ ପିଲା ହେଉ ନ ଥିବା ବେଳେ ଆଉ କିଛି ବିଭାଗରେ ସିଟ୍ ତୁଳନାରେ ଅଧିକ ପିଲା ନାମ ଲେଖାଇବାକୁ ଆବେଦନ କରି ନିରାଶ ହେଉଛନ୍ତି।
ଓଡ଼ିଶା ସମେତ ଭାରତୀୟ ସଂସ୍କୃତିର ବିଭିନ୍ନ ବିଷୟ ଉପରେ ଉଚ୍ଚଶିକ୍ଷା ପ୍ରଦାନ କରୁଥିବା ଏହି ବିଶ୍ବବିଦ୍ୟାଳୟର ଆବସ୍ଥା ଏବେ ଏଭଳି ରହିଛି। ୨୩ରୁ ଅଧିକ ପାଠ୍ୟକ୍ରମରେ ପିଲାଙ୍କୁ ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି), ଡିପ୍ଲୋମା, ସାର୍ଟିଫିକେଟ୍, ଡକ୍ଟରେଟ୍ ଡିଗ୍ରି ଶିକ୍ଷା ପ୍ରଦାନ କରାଯାଉଛି। ସ୍ନାତକ କିମ୍ବା ଯୁକ୍ତ୨ ପାଠ୍ୟକ୍ରମରେ କୃତକାର୍ଯ୍ୟ ପରେ ଉଚ୍ଚଶିକ୍ଷା ଓ ଗବେଷଣା କରିବାକୁ ପିଲାମାନେ ଏଠାକୁ ଆସିଥାନ୍ତି। ଏକ ଦଶନ୍ଧି ତଳେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ରହୁଥିଲା। ଅଧିକାଂଶ ବିଭାଗରେ ସିଟ୍ ପୂରଣ ହେଉଥିଲା। ହେଲେ କୋଭିଡ୍ ପରବର୍ତ୍ତୀ ବର୍ଷଗୁଡ଼ିକରେ ପିଲାଙ୍କ ସଂଖ୍ୟା ବହୁ ପରିମାଣରେ ପ୍ରଭାବିତ ହେଉଥିବା ନଜରକୁ ଆସିଛି।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୧-୨୨ରୁ ୨୦୨୪-୨୫ ଶିକ୍ଷାବର୍ଷ ମଧ୍ୟରେ ୯ଟି ବିଭାଗରେ ପିଲାଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁପାରି ନାହିଁ। ନାଟ୍ୟ ଅଭିନୟ ବିଭାଗରେ ୨୦୨୧-୨୨ରେ ଦୁଇ ଜଣ ନାମଲେଖାଇଥିବା ବେଳେ ୨୦୨୨-୨୩ରେ କେହି ନାମ ଲେଖାଇ ନ ଥିଲେ। ପରବର୍ତ୍ତୀ ଦୁଇଟି ଶିକ୍ଷାବର୍ଷରେ ଯଥାକ୍ରମେ ୮ ଓ ୩ଜଣ ନାମ ଲେଖାଇଛନ୍ତି। ନାଟ୍ୟ ନିର୍ଦ୍ଦେଶନାରେ ଜଣେ କିମ୍ବା ଦୁଇଜଣ ନାମ ଲେଖାଇଛନ୍ତି। ବଂଶୀ ବାଦନ ବିଭାଗରେ ୩ ବର୍ଷ ଦୁଇ ଜଣ ଲେଖାଏ ନାମଲେଖାଇଥିବା ବେଳେ ୨୦୨୪-୨୫ରେ ମାତ୍ର ଜଣେ ନାମ ଲେଖାଇ ଶିକ୍ଷାଗ୍ରହଣ କରୁଛନ୍ତି। ‘ଭାଓଲିନ୍’ ବିଭାଗରେ ଯଥାକ୍ରମେ ୪, ୧, ୧ ଓ ୨, ‘ସୀତାର୍’ ବିଭାଗରେ କେବେ ଜଣେ ତ ଆଉ କେବେ କେହି ନାମଲେଖାଇ ନାହାନ୍ତି। ‘ମର୍ଦ୍ଦଳ’ ବିଭାଗରେ ୨୦୨୨-୨୩ରେ କେହି ନାମଲେଖାଇ ନ ଥିଲେ ଏବଂ ପରବର୍ତ୍ତୀ ଦୁଇ ବର୍ଷରେ ୩ଜଣ ଲେଖାଏ ନାମଲେଖାଇଛନ୍ତି। ଛଉ, ଆର୍ଟ ହିଷ୍ଟରି ଓ ଲିଙ୍ଗୁଇଷ୍ଟିକ୍ ବିଭାଗରେ ପିଲାଙ୍କ ସଂଖ୍ୟା ଏକ ଅଙ୍କ ଡେଇଁପାରି ନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଭାଗରେ ବର୍ଷ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯଥାକ୍ରମେ ୧୬, ୨୦, ୧୪ ଓ ୨୧ ରହିଥିଲା। ଓଡ଼ିଶୀ ନୃତ୍ୟର ମଧ୍ୟ ଚାହିଦା ରହିଛି। ଏହି ବିଭାଗରେ ପିଲାଙ୍କ ସଂଖ୍ୟା ଯଥାକ୍ରମେ ୨୦, ୧୧, ୨୩ ଓ ୨୩, ଓଡ଼ିଶୀ କଣ୍ଠ ସଙ୍ଗୀତରେ ୨୩, ୧୬, ୨୧ ଓ ୨୨ଜଣ, ‘ତବଲା’ ବିଭାଗରେ ୯, ୧୧, ୧୩ ଓ ୧୧ଜଣ, ପ୍ରିଣ୍ଟ୍ ମେକିଂରେ ୧୪, ୫, ୭ ଓ ୧୦ଜଣ, ‘ସ୍ଥପତି’ରେ ଯଥାକ୍ରମେ ୧୬, ୯, ୯ ଓ ୧୬ଜଣ, କଲଚର ଷ୍ଟଡିସ୍ରେ ୨୦, ୧୯, ୧୬ ଓ ୨୩, ଓଡ଼ିଆ ଲାଙ୍ଗୁଏଜ୍ ବିଭାଗରେ ୮, ୧୬, ୩୨, ୩୨ ଜଣ, ଅପ୍ଲାଏଡ ଆର୍ଟ ଓ ଡିଜାଇନ୍ ବିଭାଗରେ ଯଥାକ୍ରମେ ୨୩, ୧୨, ୧୫, ୧୮ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ‘ପେଣ୍ଟିଂ’ ବିଭାଗରେ ପ୍ରତିବର୍ଷ ୨୪ଟି ସିଟ୍ ପୂରଣ ହୋଇଛି। ଦୁଇ ବର୍ଷ ତଳେ ଖୋଲିଥିବା କଳଚର ଆଉ ହେରିଟେଜ୍ରେ ଯଥାକ୍ରମେ ୯ ଓ ୧୫ଜଣ ନାମ ଲେଖାଇ ଶିକ୍ଷାଗ୍ରହଣ କରୁଛନ୍ତି।
ସିଟ୍ ଖାଲି ପଡ଼ୁଥିବା ସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରସନ୍ନ କୁମାର ସ୍ୱାଇଁ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି। ନାମଲେଖା ସମ୍ପର୍କରେ ନିୟମିତ ଭାବେ ପିଲାଙ୍କୁ ସଚେତନ କରାଯାଉଛି। ପରିଣାମ ସ୍ବରୂପ କିଛି ବିଭାଗରେ ପିଲାଙ୍କ ସଂଖ୍ୟା ବଢ଼ିଛି।
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ: ପିଲା ହେଉନାହାନ୍ତି, ଖାଲିପଡ଼ୁଛି ସିଟ୍
କେଉଁ ବିଭାଗରେ ୧୦ରୁ କମ୍ ପିଲା। ତ ଆଉ କେଉଁଠି ଜଣେ ନାମ ଲେଖାଉଛନ୍ତି। ଏମିତି ବି ବିଭାଗ ରହିଛି, ଯେଉଁଠି ଆଦୌ ପିଲା ନାମ ଲେଖାଉ ନାହାନ୍ତି। ୨୦୨୧-୨୨ରୁ ୨୦୨୪-୨୫ ଶିକ୍ଷାବର୍ଷର ତଥ୍ୟ ଦେଖିଲେ ଉତ୍କଳ ସଂସ୍କୃତି...
/sambad/media/media_files/2025/08/15/untitled-2-2025-08-15-08-12-05.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)