ତ୍ବରାନ୍ବିତ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ପିଏଚ୍‌ଡି

ଜୁନ୍‌ ସୁଦ୍ଧା ପୁରୁଣା ପିଏଚ୍‌ଡିର ପଞ୍ଜୀକରଣ
୨୩ ଓ ୨୪ରେ ପ୍ରବେଶିକା ପରୀକ୍ଷା
ଏଥର ରାଜ୍ୟ ବାହାରେ ହେବନି ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣିଥରେ ଆଗେଇବ ପିଏଚ୍‌ଡି ଓ ଏମ୍‌.ଫିଲ୍‌ ପାଠ୍ୟକ୍ରମ। ୩ ବର୍ଷ ହେଲା ଛାତ୍ରଛାତ୍ରୀ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହାକୁ ଦୂର କରିବା ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ୨୦୨୧ ଜୁନ୍‌ ସୁଦ୍ଧା ସମସ୍ତ ପୁରୁଣା ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ କରିବାର ସୁଯୋଗ ଦିଆଯିବ। ବାକିଗୁଡ଼ିକୁ ବି ତ୍ବରାନ୍ବିତ କରାଯିବ। ଏଥିସହ ନୂଆ ଛାତ୍ରଛାତ୍ରୀଙ୍କ ନାମଲେଖା ଲାଗି ଚଳିତ ମାସ ୨୩ ଓ ୨୪ ତାରିଖରେ ପ୍ରବେଶିକା ପରୀକ୍ଷା କରାଯିବ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପ୍ରବେଶିକା ପରୀକ୍ଷା ଲାଗି ରାଜ୍ୟ ବାହାରେ କେନ୍ଦ୍ର କରାଯିବ ନାହିଁ। କେବଳ ଓଡ଼ିଶା ଭିତରେ ପରୀକ୍ଷା କେନ୍ଦ୍ର ହେବ ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ପ୍ରଫେସର ମଲ୍ଲିକଙ୍କ କହିବାନୁଯାୟୀ ୨୦୨୦-୨୧ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ‌ ଓ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ପିଏଚ୍‌ଡି ଓ ଏମ୍‌ଫିଲ୍‌ ପାଠ୍ୟକ୍ରମରେ ନାମଲେଖା ହେବ। ଏଥିପାଇଁ ଡିସେମ୍ବର ୨୩ ଓ ୨୪ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା‌ ପରେ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯିବ। ଏଥିରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଏକ ଭାୟା-ବସ୍‌ ଟେଷ୍ଟ ହେବ। ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ଉଲ୍ଲେଖ ହେବ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ୨୦୧୬ ଅନୁଯାୟୀ ଛାତ୍ରଛାତ୍ରୀ ‌ଯୋଗ୍ୟତା ଅର୍ଜନ କରିବେ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଅନ୍‌ଲାଇନ୍‌ ଆପ୍ଲିକେସନ ଫର୍ମ, ଯୋଗ୍ୟତା, ପ୍ରବେଶିକା ପରୀକ୍ଷା ଫି’, ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଭାଗର ସିଟ୍‌ ଉପଲବ୍ଧି ସମ୍ପର୍କରେ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ www.utkaluniversity.nic.in ରେ ସମସ୍ତ ତଥ୍ୟ ଉପଲବ୍ଧ ହେଉଛି।

ଅନ୍ୟପକ୍ଷରେ ରୁସା ଫେଲୋସିପ୍‌ ଲାଗି ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ନେଟ୍‌/ଜେଆରଏଫ୍‌ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ରୁସା ଫେଲୋସିପ୍‌ ଲାଗି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ଭାୟା-ବସ୍‌ ଦେବାକୁ ପଡ଼ିବ। ପିଏଚ୍‌ଡି ଓ ଏମ୍‌ଫିଲ୍‌ ଲାଗି ପୂର୍ବଥର ଦେଶର ପ୍ରମୁଖ ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ବାହାର ରାଜ୍ୟର ଛାତ୍ରଛାତ୍ରୀ ବି ଅଂଶଗ୍ରହଣ କରିଥିଲେ। ତେବେ ଚଳିତ ଥର କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବେଶିକା ପରୀକ୍ଷା ଲାଗି ରାଜ୍ୟ ବାହାରେ କୌଣସି ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। କେବଳ ଓଡ଼ିଶା ବିଭାଗରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର