ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବ୍‌ଲି : ପ୍ରେମ ଓ ବେଦନାରୁ ଜନ୍ମ ହୁଏ ସାହିତ୍ୟ

ଭୁବନେଶ୍ବର : କୌଣସି ବ୍ୟକ୍ତିର ଅନୁଭୂତିରୁ ଜାତ ଉପଲବ୍ଧିର ସକରାତ୍ମକ ସୂକ୍ଷ୍ମ ଅଭିବ୍ୟକ୍ତି ହେଉଛି ସାହିତ୍ୟ। ପ୍ରେମ ଓ ବେଦନାରୁ ଜନ୍ମ ହୁଏ ସାହିତ୍ୟ। ସାହିତ୍ୟିକ ସବୁବେଳେ ନିର୍ଭୟ ହେବା ଆବଶ୍ୟକ। ଅହଂକାର ଦୂର କରିବାକୁ ହେବ। ସହାନୁଭୂତିଶୀଳ ହେବାକୁ ପଡ଼ିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବ ଅବସରରେ ଆୟୋଜିତ ସାହିତ୍ୟ-ସାଂସ୍କୃତିକ ମହୋତ୍ସବ ‘ସୁଗନ୍ଧ ଅଭିବ୍ୟକ୍ତିର’ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ ଏହା କହିଛନ୍ତି।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମତୀ ରାୟ କହିଲେ, ପରିବର୍ତନ ଧାରାରେ ସାମିଲ ହୁଅ। ଭଙ୍ଗାଭଙ୍ଗି ଦ୍ବାରା ପରିବର୍ତନ ଆସିବନି। ବରଂ ଆଚରଣ ମାଧ୍ୟମରେ ପରିବର୍ତନ ଆଣିବାକୁ ଉଦ୍ୟମ କର। ନିଜର ଆତ୍ମବିକାଶ ହେବା ଦରକାର। ସାମାଜିକ ଉନ୍ନତି, ଜାତୀୟ ପ୍ରଗତିରେ ନିଜକୁ ସାମିଲ କରିବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଦ୍ମଭୂଷଣ ରମାକାନ୍ତ ରଥ କହିଲେ, ଏବେ ଦେଶରେ ବିଭିନ୍ନ ସହର ଓ ଜିଲ୍ଲାର ନାମ ପରିବର୍ତ୍ତନ କରାଯାଉଛି। ଏଭଳି ପରିବର୍ତନରେ ଯୁବପିଢ଼ି ନିଜକୁ ସାମିଲ ନକରି ବିରୋଧ କରନ୍ତୁ। ବର୍ତମାନ ସମୟରେ ରାସ୍ତାରୋକ, ରେଳରୋକ ବିରୋଧର ମାଧ୍ୟମ ସାଜିଛି। ଏହା ବିରୋଧରେ ସ୍ବର ଉଠାଇବାକୁ ହେବ। ପ୍ରକୃତ ପରିବର୍ତ୍ତନ ସପକ୍ଷରେ ଯୁବ ସମାଜ କାମ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସଭାପତିତ୍ବ କରି ଭାଷା ଆମକୁ ଅନ୍ୟମାନଙ୍କ ସହ ଯୋଡ଼ିବାର ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟ ଉତ୍ସବର ସଂଯୋଜିକା ଭାସ୍ବତୀ ପଟ୍ଟନାୟକ ଅତିଥି ପରିଚୟ ଓ ସାଂସ୍କୃତିକ ଉତ୍ସବ ସଂଯୋଜିକା ମିତାଲି ଚିନ୍ନାରା ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଘାଟନୀ ଉତ୍ସବ ପରେ ଆୟୋଜିତ ‘ଆମ ଅସ୍ମିତା: ଓଡ଼ିଆ ଭାଷା’ ଶୀର୍ଷକ ଅଧିବେଶନରେ ଯୋଗଦେଇ ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ଟିକାୟତ୍‌ରାୟ କହିଲେ ଭାଷା ଏକ ଅମାପ ଶକ୍ତି। ଭାଷା ଦ୍ବାରା ମଣିଷ ଯାହା ଚାହିଁବ କରିପାରିବ ଓ ଭାବିପାରିବ। ଭାଷା ମଧ୍ୟମରେ ଗଳ୍ପ, କବିତା ଲେଖାଯାଇପାରିବ। ଭାଷା ହିଁ ଅସ୍ମିତାର ସର୍ବଶ୍ରେଷ୍ଠ ଉପାଦାନ। ‘ସମ୍ବାଦ’ର ସମ୍ପାଦକ(ଫିଚର) ତଥା କଥାକାର ଗୌରହରି ଦାସ ଯୋଗଦେଇ କହିଲେ, ଓଡ଼ିଆ ଲିଖିତ ଭାଷାର ବ୍ୟବହାର ପରିସର କମୁଛି। ଓଡ଼ିଆ ଭାଷାକୁ ମାତୃଭାଷା କହୁଥିବା ଲୋକଙ୍କ ସଂଖ୍ୟା କମୁଛି। ଓଡ଼ିଆ ବହିର ପ୍ରସାରଣ ସଂଖ୍ୟା ମଧ୍ୟ କମୁଛି। ଓଡ଼ିଆ ଭାଷାକୁ ନେଇ ସାମାଜିକସ୍ତରରେ ଯେଉଁ ସବୁ ଅନୁଷ୍ଠାନ ହେବା କଥା ତାହା ହେଉନି। ପ୍ରବନ୍ଧ ଲେଖା ସଂଖ୍ୟା ବି କମୁଛି। ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଦେଲେ ହେବନି। ଓଡ଼ିଆ ଭାଷାରେ କୃତକାର୍ଯ୍ୟ ହେଉଥିବା ପିଲାଙ୍କ ପାଇଁ କୌଣସି ପ୍ରକାର ନିଯୁକ୍ତି ସୁଯୋଗ ନାହିଁ। ନ୍ୟାୟାଳୟ, ଶାସନ, ଉଚ୍ଚଶିକ୍ଷା, ବୃହତ୍‌ ବ୍ୟବସାୟ, ଅନ୍ତଃରାଜ୍ୟ ଯୋଗାଯୋଗ ଏବେ ଇଂରାଜୀ ଭାଷା ଦ୍ବାରା ଅଧୀକୃତ। ଅଣ ଓଡ଼ିଆମାନେ ଓଡ଼ିଆ ଭାଷାକୁ କେତେ ଶିଖୁଛନ୍ତି ତାହାକୁ ଦୃଷ୍ଟି ଦେବାକୁ ପଡ଼ିବ। ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଯୁବକଙ୍କୁ ପୋତ୍ସାହିତ କରିବା ଦରକାର ବୋଲି ସେ କହିଥିଲେ। ପ୍ରଫେସର ସଂଘମିତ୍ରା ମିଶ୍ର ଅନ୍ୟତମ ବକ୍ତାଭାବେ ଯୋଗଦେଇ କହିଲେ ଭାଷା ସ୍ବାଭିମାନକୁ ସମୃଦ୍ଧ କରିଥାଏ। ଜଣେ ବ୍ୟକ୍ତି ମାତୃଭାଷାରେ ଦକ୍ଷ ହୋଇପାରିଲେ ଯେକୌଣସି ଭାଷା ଯେ‌ତେବେଳେ ଶିଖିପାରିବ। ପ୍ରଫେସର ବିଷ୍ଣୁପ୍ରିୟା ଓତା ଅଧିବେଶନରେ ସଭାପତିତ୍ବ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ‘ସଂସ୍କୃତରେ ପ୍ରଚଳିତ ପରମ୍ପରା’ ଶୀର୍ଷକ ଅଧିବେଶନରେ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ପ୍ରତିଭା ମଞ୍ଜରୀ ରଥ, ପ୍ରଫେସର ଗଙ୍ଗାଧର ପଣ୍ଡା ବକ୍ତବ୍ୟ ରଖିଥିଲେ। ଡ. ବ୍ରଜ ସୁନ୍ଦର ମିଶ୍ର ସଭାପତିତ୍ବ କରିଥିଲେ। ସେହିପରି ‘ଅନୁବାଦ ସାହିତ୍ୟର ଆବଶ୍ୟକତା’ ଉପରେ ପ୍ରଫେସର ବିକ୍ରମ କୁମାର ଦାସ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଓ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ଆଲୋକପାତ କରିଥିଲେ।

ଓଡ଼ିଆ ଭାଷାକୁ ଭୁଲିଗଲା ଉତ୍କଳ

ଓଡ଼ିଆ ଭାଷାକୁ ଭୁଲିଗଲେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ୭୫ ବର୍ଷରେ ପଦାର୍ପଣ କରିଥିବା ରାଜ୍ୟର ଏହି ପ୍ରଥମ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବ ପାଳନ ହେଉଥିଲେ ମଧ୍ୟ ଓଡ଼ିଆ ଭାଷାର ନାଁ ଗନ୍ଧ ଦେଖିବାକୁ ମିଳିଲା ନାହିଁ। ସାହିତ୍ୟ-ସାଂସ୍କୃତିକ ମହୋତ୍ସବରେ ପଦଟିଏ ବି ଓଡ଼ିଆରେ ଲେଖାଗଲା ନାହିଁ। ନିମନ୍ତ୍ରଣପତ୍ରଠାରୁ ଆରମ୍ଭ କରି ବ୍ୟାନର୍‌ ପର୍ଯ୍ୟନ୍ତ ସବୁଠି କେବଳ ଇଂରାଜୀରେ ଲେଖାଯାଇଛି। ଯାହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ଜ୍ଞାନପୀଠ ବିଜୟିନୀ ଡ. ପ୍ରତିଭା ରାୟ। ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ପଶ୍ଚିମବଙ୍ଗ, କେରଳରେ ସେମାନେ ନିଜ ମାତୃଭାଷାକୁ ପ୍ରାଧାନ୍ୟ ଦେଉଛନ୍ତି। ଏଠାରେ କିନ୍ତୁ ଇଂରାଜୀରେ ‌ସବୁ କିଛି ଲେଖାଯାଇଛି। ପଦଟିଏ ବି ଓଡ଼ିଆରେ ଉଲ୍ଲେଖ ହୋଇନି। ଯେଉଁ ‘ସୁଗନ୍ଧ ଅଭିବ୍ୟକ୍ତିର’ର କାର୍ଯ୍ୟକ୍ରମ ହୋଇଛି, ତାହା ଓଡ଼ିଆରେ ଲେଖିବାରେ ଅସୁବିଧା କେଉଁଠି ରହିଲା। ଏବେ ଏମିତି ସମୟ ଆସିଛି ଯେ ନିଜ ଭାଷା ଓ ଲିପିକୁ ବଞ୍ଚାଇବା ପାଇଁ ଆନ୍ଦୋଳନ କରିବାକୁ ପଡ଼ିଲାଣି। ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ତ୍ରୁଟି ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର