ଭୁବନେଶ୍ବର : ଗୋଟିଏ ଶିକ୍ଷାନୁଷ୍ଠାନକୁ ଶୀର୍ଷରେ ପହଞ୍ଚିବା ପାଇଁ ସବୁ କ୍ଷେତ୍ରରେ ଦକ୍ଷ ହେବାକୁ ପଡ଼ିବ। ଭଲ ଶିକ୍ଷକ, ଛାତ୍ରଛାତ୍ରୀ, ଭିତ୍ତିଭୂମି ରହିଲେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହୋଇପାରିବେ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିର ଉଦ୍ଯାପନୀ ଉତ୍ସବର ଉଦ୍ଘାଟନୀ ଦିବସରେ ଅନୁଷ୍ଠିତ ଆଲୋଚନାରେ ଯୋଗ ଦେଇଥିବା ବକ୍ତାମାନେ କହିଛନ୍ତି।
‘ଦି ପାଥ୍ ଆହେଡ୍(ଭବିଷ୍ୟତର ରାସ୍ତା)’ ଶୀର୍ଷକ ବକ୍ତୃତା ଉପରେ ମତ ପ୍ରକାଶ କରି ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ତଥା ପୁଲିସ ମହାନିର୍ଦେଶକ ସତ୍ୟଜିତ୍ ମହାନ୍ତି କହିଲେ, ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ହେଲେ ଦକ୍ଷ ଶିକ୍ଷକ, ଦକ୍ଷ ଛାତ୍ରଛାତ୍ରୀ ଓ ସମ୍ବଳର ଆବଶ୍ୟକତା ରହିଛି। ବିଶ୍ବବିଦ୍ୟାଳୟର ପରିଚାଳନା ନିଜସ୍ବ ହେବା ଦରକାର। ବାହାର ସଂସ୍ଥା କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପର ଆବଶ୍ୟକତା ନାହିଁ। ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବାକୁ ହେଲେ ପ୍ରଥମେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଦେଶରେ ଥିବା ନାମକରା ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ବାହାର ଦେଶରୁ ଆସି ଶିକ୍ଷା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ସେମାନେ ଶୀର୍ଷରେ ପହଞ୍ଚି ପାରୁଛନ୍ତି। ଆମକୁ ବି ସେଭଳି କରିବାକୁ ହେବ। ଭଲ ବିଶ୍ବବିଦ୍ୟାଳୟ ଗଢ଼ିବାକୁ ହେଲେ ପ୍ରତି ୧୨ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବା ଦରକାର। ଦେଶ ବିଦେଶ ବିଶ୍ବବିଦ୍ୟାଳୟ ସହ ଛାତ୍ରଛାତ୍ରୀଙ୍କ ଭାବର ଆଦାନପ୍ରଦାନ ହେବା ଆବଶ୍ୟକ। ଆଉ ୨୫ ବର୍ଷ ପରେ ଉତ୍କଳ ଶହେ ବର୍ଷ ପୂରଣ କରିବ। ଏହାକୁ ନଜରରେ ରଖି ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ସେ ଆହ୍ବାନ ଦେଇଥିଲେ। ରିଲାଏନ୍ସ ଜିଓର ଗ୍ରୁପ୍ ପ୍ରେସିଡେଣ୍ଟ ବିଜୟ କୁମାର ସାହୁ ଯୋଗଦେଇ କହିଲେ, ଶିକ୍ଷା ବ୍ୟବସ୍ଥାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସାଧାରଣ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସବୁଠି ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି। ଶିକ୍ଷାର ଘରୋଇକରଣ ଓ ଦୃଢ଼ ଜ୍ଞାନଶକ୍ତି ଅଭାବ ଯୋଗୁଁ ଦକ୍ଷତା ସମ୍ପନ୍ନ ପ୍ରତିଭାଙ୍କ ସଂଖ୍ୟା ହ୍ରାସ ପାଉଛି। ଏଥିପ୍ରତି ଦୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ମହାମିଳନ
ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଆସନ୍ତାକାଲି (ରବିବାର) ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୦ଟା ୪୫ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ବିଭାଗ ପରିଦର୍ଶନ କରିବେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ କ୍ରୀଡ଼ା ପ୍ରାଙ୍ଗଣରେ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ହେବ। ଆଲୁମିନି ଆଫେୟାରର ଆବାହକ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନ୍ଗୋ, ପ୍ରସାଦ ହରିଚନ୍ଦନ, ପୃଥୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗଦେବେ। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ‘ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ କନେକ୍ଟ: ରିସର୍ଚ୍ଚ, ପ୍ଲେସମେଣ୍ଟ ଓ କ୍ୟାମ୍ପସ ଡେଭଲପ୍ମେଣ୍ଟ’ ଶୀର୍ଷକ ଅଧିବେଶନରେ ନାଲ୍କୋ ସିଏମ୍ଡି ତପନ କୁମାର ଚାନ୍ଦ, ଆଇଏଏସ୍ ହୃଷୀକେଶ ପଣ୍ଡା, ଆପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଭାଗ ନେବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବରେ ପ୍ରାୟ ୧୦ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ମତୁଆଲା କଲା ସମ୍ବଲପୁରୀ ଗୀତ
ମଞ୍ଚ ତଳେ ଥାଆନ୍ତି ଶତାଧିକ ଛାତ୍ରଛାତ୍ରୀ। ମଞ୍ଚ ଉପରେ ପରିବେଷିତ ହେଉଥିଲା ଗୋଟିଏ ପରେ ଗୋଟିଏ ଗୀତ। ସମ୍ବଲପୁରୀଠାରୁ ଆରମ୍ଭ କରି ଲୋକଗୀତ ପର୍ଯ୍ୟନ୍ତ, ସବୁଥିରେ ଭରି ରହିଥିଲା ଓଡ଼ିଆର ବାସ୍ନା। ତା’ ସାଙ୍ଗକୁ ଆଲବମ୍ ହିରୋ ଲୁବୁନ୍-ଟୁବୁନ୍ ଓ ଅଙ୍କିତା ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ଛାତ୍ରଛାତ୍ରୀଙ୍କ ନଚାଇଥିଲେ। କେହି ଆଉ ଛିଡ଼ା ହୋଇପାରି ନଥିଲେ। ସନ୍ଧ୍ୟାର ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ହିଟ୍ ଗୀତ ଗାଇ ଶୀତୁଆ ସନ୍ଧ୍ୟାରେ ରୋମାଞ୍ଚ ଭରିଥିଲେ। ପ୍ରଫେସର୍, ଅଧ୍ୟାପକ, ଅଧ୍ୟାପିକାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ମଞ୍ଚ ତଳେ ବିଶିଷ୍ଟ ବ୍ୟକ୍ତି
ଉଦ୍ଘାଟନୀ ଉତ୍ସବ ଅବସରରେ ରାଜ୍ୟ ତଥା ଦେଶର ପ୍ରମୁଖ ପଦପଦବିରେ ଅଧିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିଥିଲା। ମଞ୍ଚ ତଳେ ବସି ସେମାନେ ନିଜର ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ। ପୁଲିସ ମହାନିର୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କ ସମେତ ସାଂସଦ ଅଚ୍ୟୁତ ସାମନ୍ତ, ଶର୍ମିଷ୍ଠା ସେଠୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଆଲୁମିନି ଆସୋସିଏସନ୍ର ଆବାହକ ବିଜୟ କୁମାର ପଟ୍ଟନାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ ଯଥା ଚିନ୍ମୟ ସାହୁ, ପ୍ରିୟଦର୍ଶୀ ମିଶ୍ର, ଶ୍ରୀମୟୀ କର ପ୍ରଭୃ୍ତିଙ୍କୁ ଦେଖିବାକୁ ମିଳିଥିଲା। ଉଦ୍ଘାଟନୀ ଉତ୍ସବ ପରେ ପୁରାତନ ଛାତ୍ରଛାତ୍ରୀ କ୍ୟାମ୍ପସ୍ ବୁଲିଥିଲେ।
ଶିକ୍ଷାବିତ୍ଙ୍କୁ ଭୁଲିଗଲେ କି?
୫ ଦିନିଆ ଏହି ଉତ୍ସବରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ। ଯେଉଁଥିରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ତଥା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବେ। ଏହି ତାଲିକାରେ ଅଧିକ ସଂଖ୍ୟାରେ ରାଜନେତା ଓ ପ୍ରାଶାସନିକ ଅଧିକାରୀ ରହିଛନ୍ତି। ଏଠାରୁ ଶିକ୍ଷାଗ୍ରହଣ କରି ଅନେକ ବ୍ୟକ୍ତି ଶିକ୍ଷାବିତ୍, ଡାକ୍ତର, ବୈଜ୍ଞାନିକ, ସାମ୍ବାଦିକ, ସଫଳ ଚାଷୀ ବି ହୋଇଛନ୍ତି। ତେବେ ସେମାନଙ୍କୁ କୌଣସି ଗୋଟିଏ ବି ଅଧିବେଶନରେ ଅତିଥି କରି ଡକାଯାଇ ନାହିଁ। ଯେଉଁଥିପାଇଁ ଏବେ ପ୍ରଶ୍ନ ଉଠୁଛି କି ଏ ଉତ୍ସବ କାହା ପାଇଁ? କେବଳ କ’ଣ ରାଜନେତା ଓ ଆଇଏଏସ୍, ଆଇପିଏସ୍ଙ୍କ ପାଇଁ?
ସଜେଇ ହେଲା ବିଭାଗ
ରବିବାର ଆଲୁମିନି ସମ୍ମିଳନୀ ହେବାକୁ ଥିବା ବେଳେ ଆଜି ଦିନତମାମ ଏଠାକାର ଛାତ୍ରଛାତ୍ରୀ ନିଜ ନିଜ ବିଭାଗ ସଜାଇବାରେ ଲାଗି ପଡ଼ିଥିଲେ। ଝୋଟି, ଚିତା ପକାଇ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇଥିଲେ। କେଉଁଠି କାନ୍ଥରେ ପାରମ୍ପରିକ କଳାକୃତି ଅଙ୍କା ଯାଉଛି ତ ଆଉ କେଉଁଠି ଲକ୍ଷ୍ମୀଙ୍କ ପାଦଚିହ୍ନ ପଡ଼ିଛି। ବିଶେଷକରି ନୂତତ୍ତ୍ବ ବିଭାଗରେ ଟିକିଏ ନିଆରା ଦେଖିବାକୁ ମିଳୁଛି। ରାସ୍ତାଠାରୁ ବିଭାଗର ପ୍ରବେଶ ପଥ ପର୍ଯ୍ୟନ୍ତ ସବୁଠି କଳାକୃତି ଦେଖିବାକୁ ମିଳୁଛି। କିଛି ବିଭାଗରେ ଗବେଷଣା ସମ୍ପର୍କିତ ତଥ୍ୟକୁ ବିଭାଗ ଭିତରେ ସୁନ୍ଦର ଭାବେ ସଜା ଯାଇଛି। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ୩୦ଟି ବିଭାଗ ପକ୍ଷରୁ ଷ୍ଟଲ ପକାଯାଇ ସେମାନଙ୍କ ପାଠପଢ଼ା ଶୈଳୀ, ଗବେଷଣା ଆଦି ଉପରେ ପ୍ରଦର୍ଶିତ କରାଯାଇଛି।