ପରୀକ୍ଷାର୍ଥୀ ଆସିବା ପୂର୍ବରୁ ସରିଗଲା ପରୀକ୍ଷା

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଆଇଏମ୍‌ବିଏ ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବାକୁ ଆସିଥିଲେ। ମେ’ ୧୫ ତାରିଖ ପୂର୍ବାହ୍ନରେ ପରୀକ୍ଷା ହେବ ବୋଲି ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ କ୍ୟାମ୍ପସ୍‌ରେ ପହଞ୍ଚିଲା ବେଳକୁ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ବିଷୟର ପ୍ରବେଶିକା ପରୀକ୍ଷା ଗତକାଲି ଅର୍ଥାତ୍‌ ୧୪ ତାରିଖଠାରୁ ଶେଷ ହୋଇଯାଇଛି। ଏହା ଶୁଣିବା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାମ୍ପସରେ ହୋହଲ୍ଲା କରିଥିଲେ। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ ଅଧିକାରୀ ପହଞ୍ଚି ପୁନଃବିଚାର ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ ମେ’ ୧୫ରେ ଆଇଏମ୍‌ବିଏ ବିଭାଗରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଆଡମିଟ୍‌ କାର୍ଡରେ ବି ତାରିଖ ଉଲ୍ଲେଖ ରହିଥିଲା। ସେହି ଅନୁଯାୟୀ ପରୀକ୍ଷା ଦେବା ଲାଗି କ୍ୟାମ୍ପସରେ ପହଞ୍ଚିଥିଲୁ। କିନ୍ତୁ ପରୀକ୍ଷା ଗତକାଲିଠାରୁ ସରିଯାଇଛି ବୋଲି ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ କହିଥିଲେ। ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସଫେଇ ଦେଇଥିଲେ ଯେ, ପରୀକ୍ଷା ସମୟରେ ପରିବର୍ତନ ହୋଇଥିଲା। ଏନେଇ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍‌ରେ ବିଜ୍ଞପ୍ତି ଜାରି ହୋଇଛି। ପରୀକ୍ଷାର୍ଥୀମାନେ କହିଛନ୍ତି ଯେ, ରାଜ୍ୟର ସବୁ ସ୍ଥାନରେ ନେଟ୍‌ ସୁବିଧା ନାହିଁ। ଆଡମିଟ୍‌ କାର୍ଡରେ ପରୀକ୍ଷା ତାରିଖ ଦିଆଯିବା ପରେ େଓ୍ଵବସାଇଟ୍‌ ପୁଣିଥରେ ଦେଖିବାର କୌଣସି ଆବଶ୍ୟକତା ନାହିଁ। ଫୋନ୍‌ କିମ୍ବା ଇ-ମେଲ୍‌ ମାଧ୍ୟମରେ କାହିଁକି ଜଣାଗଲା ନାହିଁ ବୋଲି ପରୀକ୍ଷାର୍ଥୀମାନେ ପ୍ରଶ୍ନ କରିଥିଲେ। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ କହିଛନ୍ତି ଯେ, ଆଇଏମ୍‌ବିଏ ବିଭାଗର ପ୍ରବେଶିକା ପରୀକ୍ଷା ପୁଣିଥରେ ହୋଇପାରେ। ସବୁ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେଇପାରିବେ ସେଥିପାଇଁ ନାମଲେଖା କମିଟିର ସୁପାରିସ ଅନୁଯାୟୀ ସଂଶୋଧିତ ତାରିଖ ଓ ସମୟ ଜଣାଇ ଦିଆଯିବ।

ସମ୍ବନ୍ଧିତ ଖବର