ଭୁବନେଶ୍ବର: ବଦଳିଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ। ତିନି ମାସରେ ୩ ଜଣ କୁଳସଚିବ ବଦଳିବା ପରେ ଏବେ ସ୍ଥାୟୀ କୁଳସଚିବ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୪ ଅନୁଯାୟୀ ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତଥା ରାଜଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏସ୍ଏସ୍ସିର ଯୁଗ୍ମ ସଚିବ ଡ. ସ୍ବାତୀ ମିଶ୍ର ବିଶ୍ବବିଦ୍ୟାଳୟର ନୂତନ କୁଳସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଡ. ମିଶ୍ର କାର୍ଯ୍ୟରେ ଯୋଗଦେବା ଦିନରୁ ୩ ବର୍ଷ ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୪ ଧାରା ୭ର ଉପଧାରା(୧) ଅନୁଯାୟୀ ରାଜ୍ୟପାଳ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏଥିସହ ପୂର୍ବରୁ ମାର୍ଚ୍ଚ ୫ ଓ ଏପ୍ରିଲ ୧୧ରେ ରାଜଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ବଦଳରେ ବର୍ତ୍ତମାନର ବିଜ୍ଞପ୍ତିକୁ ଲାଗୁ କରିବାକୁ କୁହାଯାଇଛି।
ସୂଚନା ଅନୁଯାୟୀ ବରିଷ୍ଠ ଓଏଏସ୍ ଅଧିକାରୀ କାହ୍ନୁ ଚରଣ ଧୀର ୩ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ ରହିଥିଲେ। ମାର୍ଚ୍ଚ ମାସରେ ତାଙ୍କର ବଦଳି ହେବା ପରେ ଓଏଏସ୍ ପିନାକୀ ପଟ୍ଟନାୟକଙ୍କୁ କୁଳସଚିବ ଭାବେ ନିଯୁକ୍ତ ହେବା ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ସେ କାର୍ଯ୍ୟରେ ଯୋଗଦେଇ ନ ଥିଲେ। ତେଣୁ ଅସ୍ଥାୟୀ ଭାବେ ଉପ କୁଳସଚିବ ପ୍ରଫେସର ମନୋଜ କୁମାର ଷାଢ଼ୁଆଳ ଦାୟିତ୍ୱରେ ରହିଥିଲେ। ଅଚଳାବସ୍ଥା ଲାଗିରହିବାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳସଚିବ ପଦବି ପାଇଁ ବରିଷ୍ଠତା ଭିତ୍ତିରେ ୩ଜଣ ପ୍ରଫେସରଙ୍କ ନାମ ରାଜଭବନକୁ ପଠାଯାଇଥିଲା। ସେଥିମଧ୍ୟରୁ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ କୁଳସଚିବ ଭାବେ ରାଜଭବନ ପକ୍ଷରୁ ନିଯୁକ୍ତ କରାଯାଇଥିଲା। ବାରମ୍ବାର କୁଳସଚିବ ବଦଳୁଥିବାରୁ ବିଶ୍ବବିଦ୍ୟାଳୟରେ ଅଚଳାବସ୍ଥା ଲାଗିରହିଛି। ଗୋଟିଏ କାମ ଆଗେଇଲା ବେଳକୁ ଆଉ ଜଣେ ଦାୟିତ୍ବ ନେଉଛନ୍ତି। ତେଣୁ ଭିତ୍ତିଭୂମି ବିକାଶ କାମ ହୋଇପାରୁ ନାହିଁ। କେବଳ କୁଳସଚିବ ନୁହନ୍ତି, କୁଳପତି ମଧ୍ୟ ଭାରପ୍ରାପ୍ତରେ ଅଛନ୍ତି। ପୂର୍ବତନ କୁଳପତିଙ୍କ ବର୍ଦ୍ଧିତ ୬ ମାସିଆ କାର୍ଯ୍ୟକାଳ ଶେଷ ପରେ ଏବେ ଭାରପ୍ରାପ୍ତ କୁଳପତି ଦାୟିତ୍ବ ସମ୍ଭାଳିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଭଳି ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନର ପ୍ରମୁଖ ଦୁଇଟି ପଦବିରେ ବାରମ୍ବାର ପରିବର୍ତ୍ତନ କରାଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ପ୍ରଫେସରମାନେ ଅଭିଯୋଗ ଆଣିଥିଲେ।
ବଦଳିଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ
ବଦଳିଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ। ତିନି ମାସରେ ୩ ଜଣ କୁଳସଚିବ ବଦଳିବା ପରେ ଏବେ ସ୍ଥାୟୀ କୁଳସଚିବ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୪ ଅନୁଯାୟୀ ଜଣେ ଯୁଗ୍ମ ସଚିବ...
/sambad/media/post_attachments/wp-content/uploads/2017/10/tukal-university.jpg)