ଉତ୍କଳ ବିଶ୍ବବିଦ୍ୟାଳୟ, ଆଜିଠୁ ରୁସା ଭବନ କାର୍ଯ୍ୟକ୍ଷମ

ଆଜି ଯିବ କୁଳପତି, କୁଳସଚିବଙ୍କ କାର୍ଯ୍ୟାଳୟ, ଡିଜିଟାଇଜ ହେବ ପରୀକ୍ଷା ପରିଚାଳନା

ଭୁବନେଶ୍ବର: ଉଦ୍‌ଘାଟିତ ହେବାର ୩ ମାସ ପରେ କାର୍ଯ୍ୟକ୍ଷମ ହେବ ଉତ୍କଳ ବିଶ୍ବବିଦ୍ୟାଳୟର ରୁସା ଭବନ। ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବଙ୍କ ସମେତ ସମସ୍ତ ଏକାଡେମିକ ତଥା ପ୍ରଶାସନିକ କାର୍ଯ୍ୟାଳୟ ଏଠାକୁ ଆସିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜାନୁଆରି ୨୬ ତଥା ସାଧାରଣତନ୍ତ୍ର ଦିବସରେ କୁଳପତି ଓ କୁଳସଚିବଙ୍କ କାର୍ଯ୍ୟାଳୟ ଏଠାରେ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପୁରୁଣା ବିଲଡିଂରେ ରହିବ। ତେବେ ବିତ୍ତ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ନୂତନ ବିଲଡିଂକୁ ଆସିବ। ପରବର୍ତୀ ସମୟରେ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକ ଏହି ବିଲଡିଂକୁ ଆସିବ। ୬ ମହଲା ବିଶିଷ୍ଟ ଏହି ବିଲଡିଂ ନିର୍ମାଣ ଲାଗି ୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବିଶ୍ବବିଦ୍ୟାଳୟର ପ୍ରମୁଖ କାର୍ଯ୍ୟାଳୟ ଓ ପ୍ରମୁଖ ଗବେଷଣା ବିଭାଗଗୁଡ଼ିକ ଏଠାରେ ରହିବ। ଏହା କ୍ୟାମ୍ପସର ଆଇକୋନିକ ବିଲଡିଂ ହେବା ସହ ମୁଖ୍ୟ ରାସ୍ତାକୁ ଦୃଶ୍ୟମାନ ହେଉଛି। ଏହି ବିଲଡିଂରୁ ଏମ୍‌କେସିଜି ପ୍ରେକ୍ଷାଳୟ ଓ ସମାବର୍ତନ ଉତ୍ସବ ସ୍ଥଳକୁ ରାସ୍ତା ରହିଛି। ବିଭିନ୍ନ ଉତ୍ସବରେ ଯୋଗଦେବାକୁ ଆସୁଥିବା ଅତିଥିମାନେ ସିଧାସଳଖ ମୁଖ୍ୟ ବିଲଡିଂରୁ ଉତ୍ସବ ସ୍ଥଳକୁ ଯାଇପାରିବେ।

୨୦୧୯ ଡିସେମ୍ବର ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଏହି ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ୨୦୨୦ ନଭେମ୍ବର ୫ରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ରୁସା ଭବନର ଉଦ୍‌ଘାଟନ କରିଥିଲେ। କରୋନା ସମୟରେ ଭର୍ଚୁଆଲ୍‌ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏଥିସହ ନୂତନ ଗବେଷଣା କେନ୍ଦ୍ର ‘ବିଦ୍ୟାନିଧି ରୁସା ଭବନ’ ଓ ଧର୍ମପଦ ସମ୍ମିଳନୀ କକ୍ଷ ଉଦ୍‌ଘାଟିତ ହୋଇଥିଲା। ସେବେଠାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ବିଲଡିଂର ଅଧିକାଂଶ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ବିଳମ୍ବ ହୋଇଥିଲା। ଏବେ ବିଲଡିଂ ପ୍ରାୟ ଚୂଡ଼ାନ୍ତ ରୂପ ନେଇଥିବାରୁ ଜାନୁଆରି ୨୬ରୁ ଏହି ବିଲଡିଂରେ କୁଳପତି, କୁଳସଚିବଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଓଆରଟିପିଏସ୍‌ ଆକ୍ଟରେ ଅନେକ ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି। ମାଇଗ୍ରେସନ୍‌, ରେଜିଷ୍ଟ୍ରେସନ୍‌, ସିଏଲ୍‌ସି ଆଦି ବ୍ୟବସ୍ଥା ସେଥିରେ ଉପଲବ୍ଧ ହେବ। ଏବେ ମାଇଗ୍ରେସନ ଓ ରେଜିଷ୍ଟ୍ରେସନ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ବିବିଏ ଓ ବିସିଏ ପାଠ୍ୟକ୍ରମକୁ ଅନ୍‌ଲାଇନ୍‌ ପ୍ଲାଟଫର୍ମକୁ ଅଣାଯିବ। ଉକ୍ତ ଦୁଇ ପାଠ୍ୟକ୍ରମର ଫର୍ମ ପୂରଣ, ଆଡମିଟ୍‌ କାର୍ଡ, ମାର୍କ ଅପଡେଟ୍‌, ମାର୍କସିଟ୍‌ ଆଦି ଅନ୍‌ଲାଇନ୍‌ରେ କରାଯିବ। ଏହାଦ୍ବାରା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର