ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩(ସ୍ନାତକ) କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିସହ ବିଜ୍ଞାନ, ବାଣିଜ୍ୟ ବିଭାଗର ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍ ପେପର୍ ଫଳ ମଧ୍ୟ ପ୍ରକାଶ କରାଯାଇଛି। ବିଶ୍ବବିଦ୍ୟାଳୟର UUeMS ପୋର୍ଟାଲ୍ରୁ ଛାତ୍ରଛାତ୍ରୀ ସେମାନଙ୍କ ଫଳ ଜାଣିପାରିବେ। ପରୀକ୍ଷା ଫଳ ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀଙ୍କ ପ୍ରୋଭିଜନାଲ ସାର୍ଟିଫିକେଟ୍ ଓ ମାର୍କସିଟ୍ ସମସ୍ତ ମହାବିଦ୍ୟାଳୟରୁ ଅନ୍ଲାଇନ୍ ମାଧ୍ୟମରେ ପଠାଇ ଦିଆଯାଇଛି। ଛାତ୍ରଛାତ୍ରୀ ନିଜ କଲେଜରୁ ସାର୍ଟିଫିକେଟ୍ ଗ୍ରହଣ କରିପାରିବେ।
ଯୁକ୍ତ୩ ୬ଷ୍ଠ ସେମିଷ୍ଟର ବାଣିଜ୍ୟ ବିଭାଗରେ ୪୯୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୭୪୪ ଜଣ ପାସ୍ କରିଛନ୍ତି। ପାସ୍ହାର ୯୬.୭୧% ହୋଇଛି। ବିଜ୍ଞାନ ବିଭାଗରେ ୧୩ ହଜାର ୬୮୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୫୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ହାର ୯୮.୭୫% ହୋଇଛି। ବିଜ୍ଞାନ ବିଭାଗରେ କଟକସ୍ଥିତ ଷ୍ଟୁଆର୍ଟ ସାଇନ୍ସ କଲେଜର ଭୂତତ୍ତ୍ବ ବିଜ୍ଞାନ ବିଷୟର ଛାତ୍ରୀ ସାଗରିକା ଦାସ ସିଜିପିଏ ୯.୬୬ ନମ୍ବର ରଖି ଟପର୍ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ଭୁବନେଶ୍ବରସ୍ଥିତ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜ୍ମେଣ୍ଟର ଛାତ୍ରୀ ଇପ୍ସା ବଳିୟାରସିଂ ସିଜିପିଏ ୯.୫୫ ନମ୍ବର ରଖି ଟପର୍ ହୋଇଥିବା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ସୂଚନା ଦେଇଛନ୍ତି।
ଯୁକ୍ତ୩ ଚତୁର୍ଥ ସେମିଷ୍ଟର ବ୍ୟାକ୍(୨୦୧୭ ନାମଲେଖା ବ୍ୟାଚ୍) ପରୀକ୍ଷାରେ ବିଜ୍ଞାନ(ଅନର୍ସ)ରେ ୭୫୩ ଜଣ ପରୀକ୍ଷା ଦେଇଥିବା ବେଳେ ୬୮୬ ଜଣ ପାସ୍ କରିଛନ୍ତି। ପାସ୍ହାର ୯୧.୧୦% ରହିଛି। ବିଜ୍ଞାନ(ଜେନେରାଲ୍)ରେ ପରୀକ୍ଷା ଦେଇଥିବା ୬୮ ଜଣଙ୍କ ମଧ୍ୟରୁ ୬୩ ଜଣ ପାସ୍ କରିଛନ୍ତି। ପାସ୍ହାର ୯୨.୬୫% ହୋଇଛି। ବାଣିଜ୍ୟ(ଅନର୍ସ)ରେ ପରୀକ୍ଷା ଦେଇଥିବା ୩୬୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୪ ଜଣ ପାସ୍ କରିଛନ୍ତି। ପାସ୍ହାର ୮୬.୭୪% ହୋଇଛି। ବାଣିଜ୍ୟ(ଜେନେରାଲ)ରେ ୩୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ଜଣ ପାସ୍ କରିଛନ୍ତି। ଦ୍ବିତୀୟ ସେମିଷ୍ଟର ବ୍ୟାକ୍(୨୦୧୭ ନାମଲେଖା ବ୍ୟାଚ୍) ପରୀକ୍ଷାରେ ବିଜ୍ଞାନରେ ମୋଟ ୩୫୪ ଜଣ ପରୀକ୍ଷା ଦେଇଥିବା ବେଳେ ୩୧୬ ଜଣ ପାସ୍ କରିଛନ୍ତି। ପାସ୍ହାର ୮୯.୨୭% ହୋଇଛି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୨୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯୦ ଜଣ ପାସ୍ କରିଛନ୍ତି। ପାସ୍ହାର ୮୮.୩୭% ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଫଳ ପ୍ରକାଶ ପାଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ମାଝି କହିଛନ୍ତି।