ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅପାରଗତା-୮ : ଦ୍ୱିତୀୟ କ୍ୟାମ୍ପସ୍‌ରେ ଇଟା ଖଣ୍ଡେ ପଡ଼ିଲାନି

୨୦୧୭ରେ ପଡ଼ିଥିଲା ଭିତ୍ତିପ୍ରସ୍ତର
୩ ବର୍ଷ ତଳୁ ଜମି ଅଧିଗ୍ରହଣ ସରିଲାଣି
ହାତ ଟେକି ଦେଲେଣି ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ

ଭୁବନେଶ୍ବର : ୨୦୧୭ ମସିହା ଜୁଲାଇ ୩୧ ତାରିଖ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସିହାଠାରେ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ତଥା ଗ୍ରାମୀଣ କ୍ୟାମ୍ପସ ପାଇଁ ପଡ଼ିଥିଲା ଭିତ୍ତିପ୍ରସ୍ତର। କ୍ୟାମ୍ପସ ସ୍ଥଳରେ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ସାଂସଦ, ଜିଲ୍ଲାର ଅଧିକାଂଶ ବିଧାୟକ, ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ସୌମେନ୍ଦ୍ରମୋହନ ପଟ୍ଟନାୟକ, ଯାଜପୁର ଜିଲ୍ଲପାଳ ପ୍ରମୁଖ ଉପସ୍ଥିତ ଥିଲେ। ଲକ୍ଷ୍ୟ ଥିଲା ୩ ବର୍ଷ ମଧ୍ୟରେ କ୍ୟାମ୍ପସର ବିଲଡିଂ ନିର୍ମାଣ କାର୍ଯ୍ୟ ଶେଷ ହେବ। ୨୦୨୧-୨୨ ଶିକ୍ଷାବର୍ଷରୁ ସ୍ଥାୟୀ କ୍ୟାମ୍ପସରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ସେପର୍ଯ୍ୟନ୍ତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ କ୍ୟାମ୍ପସରେ ଗ୍ରାମୀଣ କ୍ୟାମ୍ପସ ଚାଲିବ। ସେହି ଅନୁଯାୟୀ, ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ରାଜିନାମା ବି ହୋଇଥିଲା। ଇତି ମଧ୍ୟରେ ୩ ବର୍ଷ ବିତିବାକୁ ବସିଲାଣି। ବିଲଡିଂ ତ ଦୂରର କଥା, ଏପର୍ଯ୍ୟନ୍ତ ପାଚେରି ବୁଲା କାର୍ଯ୍ୟ ବି ଶେଷ ହୋଇନି। ସ୍ଥାନୀୟ ଲୋକ ଓ ପ୍ରାଶାସନିକ ଅଧିକାରୀଙ୍କୁ କେବଳ ଦେଖାଇବା ପାଇଁ କ୍ୟାମ୍ପସ ପ୍ରବେଶପଥର କିଛି ଅଂଶ ପାଚେରି ନିର୍ମାଣ ହୋଇଛି। ବାକି ଅଞ୍ଚଳ ସେଭଳି ମୁକୁଳା ପଡ଼ିଥିବା ‘ସମ୍ବାଦ’ ପକ୍ଷରୁ ଅନୁଧ୍ୟାନ ବେଳେ ଦେଖିବାକୁ ମିଳିଛି।

୬୭ ଏକର ପରିମିତ ଜମିରେ ନିର୍ମାଣ ହେଉଥିବା ଏହି କ୍ୟାମ୍ପସକୁ ପ୍ରଥମେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ଉକ୍ତ ସରକାରୀ ଜମିରେ ଗଢ଼ି ଉଠିଥିବା ହଜାର ହଜାର କାଜୁ ଗଛ କାଟିବାକୁ ସ୍ଥାନୀୟ ଲୋକେ ବି ବିରୋଧ କରିଥିଲେ। ତେ‌ବେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ହସ୍ତ‌କ୍ଷେପ ପରେ କାର୍ଯ୍ୟ ଆଗେଇଥିଲା। କ୍ୟାମ୍ପସରେ ବିଲଡିଂ ନିର୍ମାଣ ପାଇଁ ଯେପରି ଗୋଟିଏ ବି ଗଛ କଟା ନଯିବ, ସେନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ସିହା ଗ୍ରାମବାସୀ କହିଛନ୍ତି।

୨୦୧୭ ଜୁଲାଇ ୩୧ରେ କୁଳପତି ଭାବେ କାର୍ଯ୍ୟରେ ଯୋଗ ଦେବା କ୍ଷଣି ପ୍ରଫେସର୍‌ ପଟ୍ଟନାୟକ ଏହାର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ଯେତେଶୀଘ୍ର ସମ୍ଭବ ଛାତ୍ରଛାତ୍ରୀଙ୍କ ଲାଗି ଏହି କ୍ୟାମ୍ପସକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରଫେସର ପଟ୍ଟନାୟକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ପ୍ରଫେସର ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିବାକୁ (ଆଉ ୪ମାସ) ବସିଥିବା ବେଳେ କ୍ୟାମ୍ପସରେ କୋଠା ନିର୍ମାଣ ତ ଦୂରର କଥା, ୩ବର୍ଷ ମଧ୍ୟରେ ଇଟା ଖଣ୍ଡେ ନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏହି ଗୋଟିଏ ଘଟଣାରୁ ବିଶ୍ବବିଦ୍ୟାଳୟକୁ ଆଗକୁ ନେବା କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ କିଭଳି ଆନ୍ତରିକତା ରହିଛି ତାହା ଜଳଜଳ ହୋଇ ଦିଶୁଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ଏକ ସ୍ବୟଂଶାସିତ ସଂସ୍ଥା ହୋଇଥିବାରୁ ଉଚ୍ଚଶିକ୍ଷା ବିଭାଗ ବି ହସ୍ତକ୍ଷେପ କରିପାରୁନି। ପରିଣାମ ସ୍ବରୂପ, ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏବେ ନିଜ ମର୍ଜିରେ କାର୍ଯ୍ୟ କରୁଛନ୍ତି। ଏହି କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ୨୩କୋଟି ଟଙ୍କା ପ୍ରଦାନ କରିସାରିଲେଣି। ହେଲେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିର୍ମାଣ ଦିଗରେ ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଏମିତିକି କ୍ୟାମ୍ପସ ନିର୍ମାଣ ହେବାର ବିଳମ୍ବକୁ ନେଇ ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ଗତ ବିଧାନସଭା ଅଧିବେଶନ ସମୟରେ ପ୍ରଶ୍ନ ଉଠାଇଥିଲେ। ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ ଯେ ଜମି ଅଧିଗ୍ରହଣ ୩ ବର୍ଷ ତଳୁ ହୋଇସାରିଛି। ଗତବର୍ଷଠାରୁ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଅନ୍ୟ କାମ ବିଶେଷ ଆଗେଇ ପାରି ନାହିଁ। ସିକ୍ୟୁରିଟି ଘର ନିର୍ମାଣ କାର୍ଯ୍ୟ ଚାଲିଛି। ମନ୍ତ୍ରୀ ଶ୍ରୀ ସାହୁଙ୍କ ଏଭଳି ଉତ୍ତର ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉତ୍କଳ ବିଶ୍ବବିଦ୍ୟାଳୟ ଉପରେ ଉଚ୍ଚଶିକ୍ଷା ବିଭାଗର କର୍ତ୍ତୃତ୍ବ ନାହିଁ କି? ନା କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଚାପି ହୋଇଯାଉଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ।

ଭଡ଼ା ଘରେ ଆଉ କେତେ ଦିନ?
୨୦୧୮ ମେ’ ମାସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ତଥା ଅସ୍ଥାୟୀ କ୍ୟାମ୍ପସର ଶୁଭ ଦେଇଥିଲେ। ମହାବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ନିର୍ମାଣ ହୋଇଥିବା ତିନି ମହଲା ବିଶିଷ୍ଟ ଏକ କୋଠାରେ ପାଠପଢ଼ା ଆରମ୍ଭ ହୋଇଥିଲା। ପ୍ରଥମେ ଏମ୍ଏ ଇନ୍ ପବ୍ଲିକ ହେଲ୍‌ଥ ଓ ଏମ୍‌ଏ ଇନ୍‌ ରୁରାଲ ମ୍ୟାନେଜ୍‌ମେଣ୍ଟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିଲା। ଉଭୟ ବିଭାଗରେ ୨୪ ଜଣ ଲେଖାଏ ଛାତ୍ରଛାତ୍ରୀ ନାମ ଲେଖାଇବା ସହ ଶିକ୍ଷାଗ୍ରହଣ କରିଥିଲେ। ଚଳିତବର୍ଷଠାରୁ ନର୍ସିଂ ବିଭାଗ ଖୋଲିଛି। ତେବେ ଏଥିରେ ଯେତିକି ଛାତ୍ରଛାତ୍ରୀଙ୍କ ନାମଲେଖା ହେବା କଥା, ତାହା ହୋଇ ନାହିଁ। କ୍ଲାସ ରୁମ୍ ସହ ଏଠାରେ ପାଠ‌ାଗାର ରହିଛି। ତେବେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ନାହିଁ। ସେମାନେ କ୍ୟାମ୍ପସ ବାହାରେ ରହୁଛନ୍ତି। ରାଜିନାମା ଅନୁଯାୟୀ, ତିନିବର୍ଷ ପାଇଁ ଏଠାରେ ବିଶ୍ବବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଚାଲିବ। ଏହାପରେ ସ୍ଥାୟୀ କ୍ୟାମ୍ପସକୁ ଯିବ। ତେବେ ଏ ପର୍ଯ୍ୟନ୍ତ ସ୍ଥାୟୀ କ୍ୟାମ୍ପସ କାମ ଆରମ୍ଭ ହୋଇ ନ ଥିବାରୁ ଭଡ଼ା ଘରେ ବିଶ୍ବବିଦ୍ୟାଳୟ ଆଉ କେତେ ଦିନ ଚାଲିବ ବୋଲି ପ୍ରଶ୍ନ ଉଠିଛି।

କ୍ୟାମ୍ପସ ନିର୍ମାଣ ବିଳମ୍ବ ହୋଇଛି
ଯେଉଁ ଉଦ୍ଦେଶ୍ୟ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ନିର୍ମାଣ ହେଉଥିଲା ସେଥିରେ ବିଳମ୍ବ ହୋଇଛି। ରାଜ୍ୟ ସରକାର ଅର୍ଥ ଦେଇଛନ୍ତି। ହେଲେ କାର୍ଯ୍ୟ କରିବା ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ତତ୍ପରତା ପ୍ରକାଶ କରୁନାହାନ୍ତି। ଜମି ବାବଦରେ ଗ୍ରାମବାସୀଙ୍କ ସହ ଯେଉଁ ବିବାଦ ରହିଥିଲା ତାହାର ସମାଧାନ ବି ହୋଇଛି। ବିଲଡିଂ ନିର୍ମାଣ ପାଇଁ ଗୋଟିଏ ବି ଗଛ କଟିବନି। ବରଂ ପରିବେଶକୁ ଗୁରୁତ୍ବ ଦିଆଯାଇ ଆଗକୁ ନୂଆ ଗଛ ଲଗାଯିବ। ଯେତେବେଳେ ଏହି ନୂଆ ସ୍ଥାୟୀ କ୍ୟାମ୍ପସରେ ଛାତ୍ରଛାତ୍ରୀ ପାଠ ପଢ଼ି‌ବେ, ସେତେବେଳେ ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ତୁରନ୍ତ ପଦ‌କ୍ଷେପ ନିଅନ୍ତୁ।
-ଅମର ପ୍ରସାଦ ଶତପଥୀ, ବିଧାୟକ, ବଡ଼ଚଣା

ସମ୍ବନ୍ଧିତ ଖବର