ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ନାମଲେଖା ଲାଗି ନଭେମ୍ବର ୬ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପ୍ରବେଶିକାରେ କୋଭିଡ୍‌-୧୯ ନିୟମକୁ ସଠିକ୍‌ ଭାବେ ଅନୁପାଳନ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ଦେବାକୁ ଆସିବା ସମୟରେ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ ସହ ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସାନିଟାଇଜର ଆଣିବେ। ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବ।

Advertisment

ବି.ଏଡ୍‌ ପାଠ୍ୟକ୍ରମରେ ସର୍ବାଧିକ ୧୫୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ଏମ୍‌ଟେକ୍‌(ସିଏସ୍‌ଇ), ଏମ୍‌ଏଡ୍‌, ଏମ୍‌ଟେକ୍‌, ଆଇଏମ୍‌ବିଏ ଭଳି ପାଠ୍ୟକ୍ରମ ପାଇଁ ପ୍ରାୟ ୧୨୦୦ ଶହ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏହି ପ୍ରବେଶିକା ପରୀକ୍ଷା ୯ ତାରିଖରେ ଶେଷ ହେବ। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଏକକ ପିଜି ପ୍ରବେଶିକା ପରୀକ୍ଷା ସରିଛି। ସେଲ୍ଫ ଫାଇନାନନ୍ସିଂ ପାଠ୍ୟକ୍ରମର ପ୍ରବେଶିକା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଭିନ୍ନ କାରଣ ଲାଗି ପୂର୍ବରୁ ଧାର୍ଯ୍ୟ ତାରିଖରେ ପ୍ରବେଶିକା ପରୀକ୍ଷା ହୋଇ ନଥିଲା।