ଭୁବନେଶ୍ବର: ହଷ୍ଟେଲ ରି-ଆଡମିସନ୍ ଫି’କୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ମୁଣ୍ଡ ନୁଆଁଇଲେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ହଷ୍ଟେଲ ରି-ଆଡମିସନ୍ ଫି’କୁ ହ୍ରାସ କରାଯାଇଛି। ଛାତ୍ରଙ୍କ ଲାଗି ହଷ୍ଟେଲ ଫି’ ୩୯୦୦ ଟଙ୍କା ଥିବା ବେଳେ ଛାତ୍ରୀଙ୍କ ପାଇଁ ୨୯୦୦ ଟଙ୍କା ରହିଥିଲା। ଏବେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଫି’କୁ ୧୨୫୦ ଟଙ୍କାକୁ ହ୍ରାସ କରାଯାଇଛି। ହ୍ରାସ କରାଯାଇଥିବା ଫି’ କେବଳ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ହିଁ ଲାଗୁ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀଙ୍କଠାରୁ ସମୁଦାୟ ହଷ୍ଟେଲ ଫି’ ଆଦାୟ ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଗତ ୩ ଦିନ ଧରି କ୍ୟାମ୍ପସରେ ଆନ୍ଦୋଳନ ଜାରି ରଖିଥିଲେ। ହଷ୍ଟେଲଠାରୁ ଆରମ୍ଭ କରି ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ସବୁଠି ଘେରାଉ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ତା’ ପରେ ବି ଜୋରଜବରଦସ୍ତ ରି-ଆଡମିସନ୍ ଫି’ ଆଦାୟ କରାଯାଉଛି। କରୋନା ପାଇଁ ୯ ମାସ ଧରି ହଷ୍ଟେଲ ବନ୍ଦ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ବାଦ୍ ନ ଦେଇ ବର୍ଷ ଯାକର ଫି’ ଆଦାୟ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ତେଣୁ କର୍ତୃପକ୍ଷ ତୁରନ୍ତ ଫି’ ଛାଡ଼ ନକଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏପରିକି ଆଜି ଶତାଧିକ ଛାତ୍ରୀ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଧାରଣାରେ ବସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ସହ ଆଲୋଚନା କରିଥିଲେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ, ୱାଡେନ୍ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଫି’ କମାଇବା ସମ୍ପର୍କରେ ଘୋଷଣା କରିଥିଲେ। ଛାତ୍ରୀ ସିମରନ୍ ସିଂ ରାଜପୁତ, ଶାଶ୍ୱତୀ ପରିଡ଼ା, ରଶ୍ମିତା ବେହେରା, ରୁନିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସାମଲ, ଛାତ୍ର ନେତା ମିର ଅବଦୁଲ ମହମ୍ମଦ, ଉମର ଶେଖ ମହମ୍ମଦ ହାନିଫ, ଗଙ୍ଗାରାମ ତାନି, ଭବରଞ୍ଜନ ବେହେରା, ରାଜେଶ ପରିଡ଼ା, ସୁଧାଂଶୁ ସାହୁ, ସ୍ବାଗତିକା ଜେନା, ଅନନ୍ୟା ବେହେରା, ଶୁଭଦର୍ଶିନୀ ଦାସ ମହାପାତ୍ର, ସନ୍ଧ୍ୟାରାଣୀ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।