ବାଣୀବିହାରରେ ଚାଲୁନି ଓ୍ଵାଇଫାଇ : ଟାୟାର ଜାଳି ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଦେଖାଦେଇଛି ଛାତ୍ର ଅଶାନ୍ତି। କ୍ୟାମ୍ପସ୍‌ରେ ଲାଗିଥିବା ୱାଇ ଫାଇ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଅଭିଯୋଗରେ କେତେଜଣ ଛାତ୍ର କ୍ୟାମ୍ପସରେ ଥିବା କମ୍ପ୍ୟୁଟର ସେଣ୍ଟରରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଧାରଣାରେ ବସିବା ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ଖବରପାଇ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଉପଦେଷ୍ଟା ଡ. ଜୟନ୍ତ କୁମାର ପରିଡ଼ା ଓ ୱାର୍ଡେନ୍‌ ପ୍ରଫେସର କିଶୋର କୁମାର ବାସା ପହଞ୍ଚି ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗ ସମ୍ପର୍କରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଧାରଣାରୁ ହଟିଥିଲେ।

ଛାତ୍ରନେତା ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ସାମିଲ ହୋଇଥିବା ଛାତ୍ରମାନେ କହିଛନ୍ତି ଯେ ବର୍ତମାନ ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀ ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଛନ୍ତି। ଏଭଳି ସମୟରେ ବିଭିନ୍ନ ହଷ୍ଟେଲ୍‌ରେ ଇଣ୍ଟରନେଟ୍‌ କାମ କରୁନି। ୱାଇଫାଇ ଠିକ୍‌ ଭାବେ ଚାଲୁନି। ଯେଉଁଥି ପାଇଁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିଜା ପାଠାଗାରରେ ବି ଓ୍ଵାଇ ଫାଇ ଠିକ୍‌ରେ କାର୍ଯ୍ୟ କରୁନି। ଯୁଦ୍ଧକାଳୀନ ଭିିତ୍ତିରେ ଏଗୁଡ଼ିକୁ ମରାମତି କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସୌମ୍ୟରଞ୍ଜନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର