ଭୁବନେଶ୍ବର: ପୁନର୍ଗଠିତ ହେବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ୍ଟଙ୍କ ଅଧ୍ୟକ୍ଷତାରେ ସିଣ୍ଡିକେଟ୍‌ ହଲ୍‌ରେ ଅନୁଷ୍ଠିତ ବୈଠକରେ ୧୭ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିବା ବୈଠକରେ ସଦସ୍ୟମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ପରେ ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା। ପୂର୍ବ ସିଣ୍ଡିକେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା, ସମାବର୍ତ୍ତନ ଉତ୍ସବ ଆୟୋଜନ ପରି ବିଷୟ ଉପରେ ବ୍ୟାପକ ଆଲୋଚନା କରାଯାଇଛି। ନୂତନ କୁଳପତି ନିଯୁକ୍ତ ହେବା ପରେ ସେପ୍ଟେମ୍ବର ମାସରେ ସମାବର୍ତ୍ତନ ଉତ୍ସବ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ‌ହୋଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କୁଳପତି ଚୟନ ପାଇଁ ଗଠିତ ହେବାକୁ ଥିବା ୩ ଜଣିଆ ଚୟନ କମିଟିରେ ଜଣେ ସିଣ୍ଡିକେଟ୍‌ ପ୍ରତିନିଧି ରହିବେ। ସେହି ବିଷୟରେ ଆଲୋଚନା ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସିଣ୍ଡିକେଟ୍‌ ସଦସ୍ୟ ଥିବା ୧୭ଜଣଙ୍କ ମଧ୍ୟରୁ ଭାରପ୍ରାପ୍ତ କୁଳପତିଙ୍କ ସମେତ ୫ଜଣ ପ୍ରଫେସର ଏହି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ରହିଛନ୍ତି। ତେଣୁ ଏବିଷୟରେ ଆଲୋଚନା ସମୟରେ କୁଳପତି ଦଣ୍ଡପାଟ୍ଟଙ୍କ ସମେତ ପିଜି କାଉନସିଲ୍‌ ଅଧ୍ୟକ୍ଷ ମିତାଲି ଚିନ୍ନାରା, ସିଡିସି କବୀର ମୋହନ ସେଠୀ, ପ୍ରଫେସର ଅସୀମା ସାହୁ, ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ବୈଠକରୁ ଉଠି ଚାଲିଯାଇଥିଲେ। ଉପସ୍ଥିତ ଥିବା ୧୨ଜଣ ସଦସ୍ୟ ସିଣ୍ଡିକେଟ୍‌ ପ୍ରତିନିଧି ଚୟନ ନେଇ ଆଲୋଚନା କରିଥିଲେ।  ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଓ କୁଳପତିଙ୍କ ନାମକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ସମସ୍ତଙ୍କ ପରାମର୍ଶ ଗ୍ରହଣ ପରେ ଗୋଟିଏ ନାଁରେ ମୋହର ବାଜିଛି। ସିଣ୍ଡିକେଟ୍‌ ସଦସ୍ୟ ଥିବା ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ଉକ୍ତ ନାଁକୁ ଜଉମୁଦ ଲଫାପାରେ ନେଇ ଯାଇଛନ୍ତି ଏବଂ ତାହାକୁ ରାଜଭବନକୁ ପଠାଇବେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।