ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ ବିବାଦ: ଓହରିଗଲେ ରିଟର୍ଣ୍ଣିଂ ଅଫିସର

୨୩ରେ ଲୋହିଆ ଏକାଡେମିରେ ନିର୍ବାଚନ ହେବାର ଥିଲା, ନିର୍ବାଚନ ନ କରିବାକୁ ନିର୍ଦେଶ ଦେଲେ କୁଳସଚିବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବା ନାଁ ଧରୁନି। ଶିକ୍ଷକ ସଂଘ ନିର୍ବାଚନ କରିବାକୁ ଗୋଟିଏ ଶିକ୍ଷକଗୋଷ୍ଠୀ ଅଡ଼ି ବସିଥିବା ବେଳେ ଅନ୍ୟ ଗୋଷ୍ଠୀ ବେନିୟମ ଭାବେ ନିର୍ବାଚନ କରିବା ସପକ୍ଷରେ ନାହିଁ। ଦେଢ଼ ମାସ ହେଲା ଏହାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ କୁଳସଚିବଙ୍କ ନାଲିଆଖି, କଡ଼ା କାର୍ଯ୍ୟାନୁଷ୍ଠାନ ଭୟ ପ୍ରଫେସରମାନଙ୍କ ନିଦ ହଜାଇ ଦେଇଛି। ଏପରିକି ଶିକ୍ଷକ ସଂଘ ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସରମାନେ ବାରମ୍ବାର ପଦ ଛାଡ଼ୁଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର କିଛି ଦିନ ପରେ ସେତେବେଳର ରିଟର୍ଣ୍ଣିଂ ଅଫିସର ପଦ ଛାଡ଼ିଥିଲେ। ଏହାପରେ ନିଯୁକ୍ତ ହୋଇଥିବା ଅନ୍ୟ ଜଣେ ରିଟର୍ଣ୍ଣିଂ ଅଫିସର ଗତକାଲି ରାତିରେ ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ତେଣୁ ୨୩ ତାରିଖରେ ହେବାକୁ ଥିବା ନିର୍ବାଚନକୁ ପୁଣିଥରେ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ବହୁ ବାଧାବିଘ୍ନ ମଧ୍ୟରେ ଶିକ୍ଷକ ସଂଘ ନିର୍ବାଚନ ଲାଗି ପ୍ରକ୍ରିୟା ଜାରି ରହିଥିଲା। ଡିସେମ୍ବର ମାସରେ ନିର୍ବାଚନ ହୋଇ ନ ପାରିବାରୁ ଜାନୁଆରି ୨୦ ଭିତରେ କରିବାକୁ ଅଣ୍ଟା ଭିଡ଼ିଥିଲେ ଗୋଟିଏ ଗୋଷ୍ଠୀର ଶିକ୍ଷକ। ଘନ ଘନ ବୈଠକ କରିଥିଲେ। ନିର୍ବାଚନ ପାଇଁ ନୂତନ ରିଟର୍ଣ୍ଣିଂ ଅଫିସର୍‌ଙ୍କୁ ନିଯୁକ୍ତି କରିଥିଲେ। କିନ୍ତୁ କ୍ୟାମ୍ପସ ଭିତରେ ନିର୍ବାଚନ ନ କରିବାକୁ କୁଳସଚିବ ନୋଟିସ୍‌ ଜାରି କରିଥିଲେ। ଯଦି ବି ନିର୍ବାଚନ କରି ଶିକ୍ଷକ ସଂଘ ଗଠନ କରାଯାଏ, ତାହାକୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ଶିକ୍ଷକ ଗୋଷ୍ଠୀ ବିଚଳିତ ହୋଇପଡ଼ିଥିଲେ। କ୍ୟାମ୍ପସ ବାହାରେ ନିର୍ବାଚନ କରିବାକୁ ବି ନିଷ୍ପତ୍ତି ନେଇଥିଲେ। ୨୩ ତାରିଖରେ ୟୁନିଟ୍‌-୯ସ୍ଥିତ ଲୋହିଆ ଏକାଡେମିରେ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ ହେଇଥିଲା। ଏଭଳି ପ୍ରକ୍ରିୟାରେ ନିର୍ବାଚନକୁ ବିରୋଧ କରି ଜଣେ ସଭାପତି ଆଶାୟୀ ପ୍ରାର୍ଥୀ କୁଳସଚିବଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତ ୧୧ତାରିଖରେ କୁଳସଚିବ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ୧୯ ତାରିଖରେ ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ପଠାଇଥିଲେ। ଏଥିରେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ା ଯାଇଥିଲା। ବର୍ତମାନ ଯେଉଁ ପଦ୍ଧତିରେ ନିର୍ବାଚନ କରାଯାଉଛି, ତାହା ବେନିୟମ। ଯଦି ନିର୍ବାଚନ କରାଯାଏ ତାହାକୁ ବୈଧ ଘୋଷଣା କରାଯିବ ନାହିଁ। ନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରହଣ କରାଯିବ ନାହିଁ। ନିର୍ବାଚନ ଦ୍ବାରା କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଥିଲେ। ଏହାପରେ ଗତକାଲି ରିଟର୍ଣ୍ଣିଂ ଅଫିସରଜଣକ ପ୍ରକ୍ରିୟାରୁ ଓହରି ଯାଇଥିବା ନେଇ ସଂଘର ସମସ୍ତ ସଦସ୍ୟଙ୍କୁ ଜଣାଇଛନ୍ତି। ଏହାପରେ ନିର୍ବାଚନ ହେବ କି ନ ହେବ, ସେ‌ନେଇ କେହି ବି ମୁହଁ ‌ଖୋଲୁନାହାନ୍ତି। ରିଟର୍ଣ୍ଣିଂ ଅଫିସର ପ୍ରକ୍ରିୟାରୁ ଓହରି ଯାଇଥିବାରୁ ନିର୍ବାଚନ ଏକପ୍ରକାର ବାତିଲ୍‌ ହୋଇଥିବା ସଂଘର ଜଣେ ସଦସ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର