‘ମୋ ସରକାର’ରେ ସାମିଲ ହେବ ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ‘ମୋ ସରକାର’ରେ ସାମିଲ ହେବ ଉତ୍କଳ ବିଶ୍ବବିଦ୍ୟାଳୟ। ଏନେଇ ଆଜି ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ସାମିଲ ହେବାକୁ ଯାଉଥିବାରୁ ତାହାକୁ ଆଖିରେ ରଖି ଏହି ବୈଠକ କରାଯାଇଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୁଳସଚିବ ଦୟାନିଧି ନାୟକ, ଅର୍ଥ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉପରେ କୁଳସଚିବ ଗୁରୁତ୍ବାରୋପ କରିଥିବା ବେଳେ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଓ ସ୍ୱଚ୍ଛତା ଆଣିବା ଉପରେ ଶ୍ରୀ ମାଝି ଗୁରୁତ୍ବ ଦେଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏମ୍‌କେସିଜି ଅଡିଟୋରିୟମ୍‌ରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ଓ କର୍ମଚାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର