ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଶାନ୍ତ କରୁଛି କିଏ?। କେଉଁ ଛାତ୍ର ସଙ୍ଗଠନର ସଦସ୍ୟମାନେ ଛାତ୍ରାବାସରେ କୋଠରି ମାଡ଼ି ବସିଛନ୍ତି ତାହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି। ଗତ ସପ୍ତାହରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆଜି ବିଜୁ ଛାତ୍ର ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଅଣଛାତ୍ରଙ୍କ ପ୍ରବେଶ ଓ ଅସାମାଜିକଙ୍କ କାର୍ଯ୍ୟକଳାପ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛି। ସଙ୍ଗଠନର ଛାତ୍ରନେତାମାନେ କହିଛନ୍ତି ଯେ ସନ୍ଧ୍ୟା ହେଲେ କ୍ୟାମ୍ପସ୍ରେ ଥିବା ବିଡିଏ ପାର୍କ, ଫାର୍ମାସି ଗ୍ରାଉଣ୍ଡ, ସେଣ୍ଟ୍ରାଲ କ୍ୟାଣ୍ଟିନ୍, ତାଳପଦେଶ୍ବରୀ ପୋଖରୀ, ବ୍ୟାଙ୍କ ସମ୍ମୁଖରେ ଅଣଛାତ୍ରଙ୍କ ଆଡ଼ା ଜମୁଛି। ନିଶା ସେବନ କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବାରୁ ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ଅଶାନ୍ତ ସୃଷ୍ଟି କରୁଥିବା ଅଣଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଛାତ୍ର ଜନତା ଦଳ ଦାବି କରିଛି।
ଅଣଛାତ୍ରଙ୍କୁ ତଡ଼ିବା, ସିସିଟିଭି ସଜାଡ଼ିବାକୁ ଦାବି
ଛାତ୍ରନେତା ସମ୍ବିତ କୁମାର ସାହୁ, ଅଭିଷେକ ଦାସ, ବିଶ୍ବରଞ୍ଜନ ଭୋଇ ଓ ଦିବ୍ୟରଞ୍ଜନ ଜେନା ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ସରକାରୀ କ୍ବାର୍ଟର୍ସକୁ ଜବରଦଖଲ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ। ବିଶ୍ବବିଦ୍ୟାଳୟ ପରିସରରେ ଥିବା ସମସ୍ତ ବସ୍ତି ଉଚ୍ଛେଦ, ନିୟୋଜିତ ହୋଇଥିବା ଆର୍ମି ସିକ୍ୟୁରିଟି ସଂଖ୍ୟା ବଢ଼ାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ। ବିଶ୍ବବିଦ୍ୟାଳୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବା ସହ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ କର୍ମଚାରୀ ନିୟୋଜିତ ଦିଗରେ ପଦକ୍ଷେପ ନିଆଯାଉ। କ୍ୟାମ୍ପସ ପରିସରରେ ଥିବା ସମସ୍ତ ସିସିଟିଭି ଓ ଲାଇଟ୍ କାର୍ଯ୍ୟକ୍ଷମ କରିବା, ଛାତ୍ରାବାସ ଓ ଛାତ୍ରୀନିବାସରେ ସ୍ବଚ୍ଛତା ବଜାୟ ରଖିବା, ଜରୁରୀକାଳିନ ସେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା, ବିଶ୍ବବିଦ୍ୟାଳୟ ଚାରିପାଖରେ ପାଚେରି ନିର୍ମାଣ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ଏଥିସହ ୪୦୦ ଏକର ଜମିରେ ଛିଡ଼ା ହୋଇଥିବା ବିଶ୍ବବିଦ୍ୟାଳୟରେ ଏକ ସ୍ଥାୟୀ ପୁଲିସ ଫାଣ୍ଡି ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଜେଡି ବିଧାୟକ ଅରୁଣ ସାହୁ ଶାଣିତ ସ୍ବରରେ କ୍ୟାମ୍ପସ୍ ଅଶାନ୍ତିଙ୍କୁ ନିନ୍ଦା କରିଛନ୍ତି। ଗଣମାଧ୍ୟମରେ କହିଛନ୍ତି ଯେ ଏଭଳି ଘଟଣା ଦ୍ବାରା କ୍ୟାମ୍ପସ୍ର ପବିତ୍ରତା ନଷ୍ଟ ହେଉଛି। ରାଜ୍ୟ ସରକାର ଏଥିପ୍ରତି ସଜାଗ ହେବା ଦରକାର। ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ସମୟରେ ମୁଁ ବାରମ୍ବାର କ୍ୟାମ୍ପସକୁ ଗସ୍ତ କରିଛି। ପିଲାଙ୍କ ସହ ଆଲୋଚନା କରି ଅଣଛାତ୍ର କାଢ଼ିବା ଦିଗରେ ପଦକ୍ଷେପ ନିଆଯାଇଥିଲା। ଯଦି ରାଜ୍ୟ ସରକାରଙ୍କ ଉପର ସ୍ତରର ଲୋକେ କ୍ୟାମ୍ପସ୍କୁ ଗସ୍ତ କରିବେ ତେବେ ତଳସ୍ତରର ଲୋକେ ତତ୍ପରତା ପ୍ରକାଶ କରିବେ। ମାତ୍ର ତାହା ଏବେ ହୋଇପାରୁ ନାହିଁ। ଏବେ ଯାହା କିଛି ଅଘଟଣ ହେଉଛି ସେଥିପାଇଁ ସରକାର ହିଁ ଦାୟୀ। ଯିଏ ବି ହଷ୍ଟେଲ କୋଠରି ମାଡ଼ି ବସିଛି ତାହାକୁ ବାହାର କରାଯାଉ। ଆମ ପିଲା ହୋଇଥିଲେ ସେମାନଙ୍କୁ ବି ବାନ୍ଧିକି ଭିତରେ ପୂରାଅ ବୋଲି ସେ କହିଛନ୍ତି।