ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାରନାମା-୩ : ଏତେ ଅନୁକମ୍ପା !

ଦୁଇ ଜଣ ପ୍ର‌ଫେସରଙ୍କୁ ତିନିଟି ଲେଖାଏ ଦାୟିତ୍ବ, କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ହୋଇପାରୁନି

ଉଚ୍ଚଶିକ୍ଷା ବିଭାଗର ନିରବତାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଶତାଧିକ ପ୍ରଫେସର। ବରିଷ୍ଠଙ୍କ ସହ କନିଷ୍ଠ ବି ଅଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଉତ୍କଳକୁ ଶିକ୍ଷାର ଶୀର୍ଷରେ ପହଞ୍ଚାଇବାକୁ ସ୍ବପ୍ନ ଦେଖାଇଥିଲେ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ। କାର୍ଯ୍ୟରେ ଯୋଗଦେବା ପରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ସ୍ବଚ୍ଛତାର ବାର୍ତା ଦେଇ ଗୋଟିଏ ଦିନ ଅନଶନରେ ବସିଥିଲେ। ଲାଗୁଥିଲା ବିଶ୍ବବିଦ୍ୟାଳୟ ପାଇଁ କୁଳପତି ଯେଉଁ ନିଷ୍ପତ୍ତି ନେବେ ସେଥିରେ ସ୍ବଚ୍ଛତା ରହିବ। ଅନୁକମ୍ପା ଦେଖାଇବେନି କି ବାଛବିଚାର କରିବେନି। ତେବେ ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ କୁଳପତିଙ୍କ କାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କେଉଁ ଅନଭିଜ୍ଞ ପ୍ରଫେସରଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ତ ଆଉ କେଉଁ ଅଭିଜ୍ଞ ପ୍ରଫେସରଙ୍କୁ ଅଣଦେଖା କରିଚାଲିଛନ୍ତି। ଯୋଗ୍ୟତା ଥାଇ ମଧ୍ୟ କିଛି ପ୍ରଫେସରଙ୍କୁ ବିଶ୍ବବିଦ୍ୟାଳୟର କୌଣସି ଦାୟିତ୍ବ ଦେଉନାହାନ୍ତି। ବରଂ ଦୁଇ ଜଣ ପ୍ରଫେସରଙ୍କ କାନ୍ଧରେ ବିଶ୍ବବିଦ୍ୟାଳୟର ତିନୋଟି ଲେଖାଏ ପ୍ରମୁଖ ପଦକୁ ଲଦି ଦେଇଛନ୍ତି। ପିଜି କାଉସିଲ୍‌ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କଥା ବିଚାରକୁ ନିଆଯାଇପାରେ। ୨୦୧୯ ମେ’ ମାସରେ ପିଜି କାଉନସିଲ୍‌ ଅଧ୍ୟକ୍ଷା ପଦରେ ଅଧିଷ୍ଠିତ ହୋଇଥିଲେ ପ୍ରଫେସର ଆଚାର୍ଯ୍ୟ। ଯୋଗ୍ୟତା ଭିତ୍ତିରେ ଚୟନକୁ ନେଇ ବିଶ୍ବବିଦ୍ୟାଳୟର ଅନ୍ୟ ଦୁଇ ଜଣ ମହିଳା ପ୍ରଫେସରଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା। କିଏ ବରିଷ୍ଠ ତାହାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଚାଲିବା ପରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରଫେସର ଆଚାର୍ଯ୍ୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ।

ଏହାର କିଛି ଦିନ ଯାଇଛି କି ନାହିଁ ବିଶ୍ବବିଦ୍ୟାଳୟର କଲେଜ ଉନ୍ନୟନ ପରିଷଦ(ସିଡିସି) ନିର୍ଦେଶକ ପଦରୁ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ହଟାଇଥିଲେ କୁଳପତି ପ୍ରଫେସର ପଟ୍ଟନାୟକ। ସିଡିସି ନିର୍ଦେଶକ ଏକ ପ୍ରମୁଖ ପଦ। କାରଣ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୩୨୦ରୁ ଅଧିକ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜର ବୁଝାବୁଝି ଦାୟିତ୍ବ ସିଡିସିଙ୍କ ଉପରେ ନ୍ୟସ୍ତ ରହିଥାଏ। ନିୟମିତ ବ୍ୟବଧାନରେ କଲେଜକୁ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିଥାନ୍ତି। ପାଠପଢ଼ା ହେଉଛି କି ନାହିଁ? ଶିକ୍ଷକ ଓ କର୍ମଚାରୀଙ୍କ କିଛି ସମସ୍ୟା ରହିଛି କି? କଲେଜରେ ନୂଆ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେବା ଭଳି କାର୍ଯ୍ୟ ସିଡିସି ନିର୍ଦେଶକଙ୍କ ଉପରେ ନ୍ୟସ୍ତ ରହିଥାଏ। ଏଭଳି ଏକ ପଦରେ ଆଉ କୌଣସି ପ୍ରଫେସରଙ୍କୁ ଦାୟିତ୍ବ ନ ଦେଇ କୁଳପତି ପ୍ରଫେସର ପଟ୍ଟନାୟକ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ଆଚାର୍ଯ୍ୟଙ୍କୁ ମେ’ ୧୦ରେ ବସାଇଥିଲେ। ସେବେ‌ଠାରୁ ପ୍ରଫେସର ଆଚାର୍ଯ୍ୟ ଦାୟିତ୍ବରେ ରହିଛନ୍ତି ଯେ ଆଉ ବଦଳୁ ନାହାନ୍ତି। ପ୍ରଫେସର ଆଚାର୍ଯ୍ୟଙ୍କୁ ଇତି ମଧ୍ୟରେ ଇଣ୍ଟରନ୍ୟାସନାଲ ସେଲ୍‌ର କୋର୍ଡିନେଟର କରାଯାଇଛି। ତିନୋଟି ପଦରେ ଥିବା ପ୍ରଫେସର ଆଚାର୍ଯ୍ୟ କଲେଜର ଭିତ୍ତିଭୂମି କିଭଳି ଯାଞ୍ଚ କରୁଥିବେ ଏଥିରେ ସ୍ପଷ୍ଟ ଅନୁମେୟ। କେବଳ ଏତିକିରେ ସରିନି କୁଳପତିଙ୍କ କାରନାମା। ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କୁ ବି ତିନୋଟି ପଦ ଦାୟିତ୍ବରେ ରଖାଯାଇଛି। ‌ସେ ହଷ୍ଟେଲ ୱା‌ଡେର୍ନ ସମେତ ଛାତ୍ର ସଂସଦର ଉପଦେଷ୍ଟା, ସେଣ୍ଟର ଫର୍‌ ସୋସିଆଲ ଇନ୍‌କ୍ଲୁଜନର ନିର୍ଦେଶକ ଦାୟିତ୍ବରେ ବି ଅଛନ୍ତି। ବିଶ୍ବବିଦ୍ୟାଳୟରେ ଆହୁରି ଅନେକ ପ୍ରଫେସର ରହିଥିଲେ ଉକ୍ତ ଦୁଇ ପ୍ରଫେସରଙ୍କ ପ୍ରତି କୁଳପତିଙ୍କ ଏଭଳି ଅନୁକମ୍ପାକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଆରମ୍ଭ ହୋଇଛି। କ’ଣ ପାଇଁ ଦୁଇ ଜଣ ପ୍ରଫେସରଙ୍କ କାନ୍ଧରେ ତିନୋଟି ଲେଖାଏ ପଦ ଲଗାଯାଇଛି? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି ବୋଲି ପ୍ରଶ୍ନ ଉଠିଲାଣି। ବିଭାଗୀୟ ମୁଖ୍ୟ ଥିବା ୪ ଜଣ ମହିଳା ପ୍ରଫେସରଙ୍କୁ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦରେ ଅବସ୍ଥାପିତ କରାଯାଇଛି। ଏଭଳି ନିଯୁକ୍ତି ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ଜାଣିବା ପାଇଁ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଯୋଗା‌ଯୋଗ କରିବାରୁ ଉତ୍ତର ଦେଇ ନଥିଲେ। ସବୁଠାରୁ ଆଚାର୍ଯ୍ୟର ବିଷୟ ହେଉଛି ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏତେ ସବୁ କେଳେଙ୍କାରି ଚାଲିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଚୁପ୍‌ ବସିଛି। ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ କେହି ବି ମୁହଁ ଖୋଲୁନାହାନ୍ତି। କେଉଁଥିପାଇଁ ସମସ୍ତେ ନିରବ ରହିଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର

Comments are closed.