ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ପ୍ରତିଶ୍ରୁତିକୁ ମାସେ: କଥା ବେଶି, କାମ କମ୍‌

ଭୁବନେଶ୍ବର: ଭୁଶୁଡ଼ୁଥିବା ଉତ୍କଳ ବିଶ୍ବବିଦ୍ୟାଳୟର ସୁରକ୍ଷା ପାଇଁ ଗତ ସେପ୍ଟେମ୍ବର ୧୬ରେ ଦଳମତ ନିର୍ବିଶେଷରେ ୪ଟି ଛତ୍ର ସଙ୍ଗଠନର ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। କୁଳପତିଙ୍କୁ ୫ ଘଣ୍ଟା ଘେରାଉ କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ପାର୍କ କରାଇ ଦିଆଯିବ ନାହିଁ ବୋଲି ଅଡ଼ି ବସିଥିଲେ। ସ୍ଥିତି ଜଟିଳ ହେବାରୁ ପୁଲିସର ହସ୍ତକ୍ଷେପ ସାଙ୍ଗକୁ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ ୧୩ଟି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ। ମାସେ ଭିତରେ ଦାବି ପୂରଣ ହୋଇଯିବ କହିଥିଲେ। ଆସନ୍ତାକାଲି(ବୁଧବାର) କୁଳପତି ପ୍ରଫେସର ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ ମାସେ ପୂରିବ। ହେଲେ କୁଳପତିଙ୍କ ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରୁ କମ୍‌ ପୂରଣ ହୋଇଥିବା ବେଳେ ଅଧିକାଂଶ ଘୋଷଣାରେ ରହିଯାଇଛି।

କୁଳପତିଙ୍କ ପ୍ରତିଶ୍ରୁତି ଉପରେ ନଜର ପକାଇଲେ ୩ଟି ଦାବି ପୂରଣ ଦିଗରେ ପଦକ୍ଷେପ ନେଇଛନ୍ତି। ମୁଖ୍ୟ ପ୍ରବେଶ ପଥ ସ୍ଥାନାନ୍ତର ଲାଗି ୩ ଦିନ ମଧ୍ୟରେ ବିଏମ୍‌ସି ଓ ପୁଲିସ କମିସନରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁଯାୟୀ ଚିଠି ଲେଖି ଦେଇଛନ୍ତି ସତ ହେଲେ କାମ କେମିତି ଆଗେଇ ସେଦିଗରେ ଆଉ ପଦକ୍ଷେପ ନେଇନାହାନ୍ତି। ସେପ୍ଟେମ୍ବର ସୁଦ୍ଧା ଲାଙ୍ଗୁଏଜ୍‌ ବ୍ଲକ, ଅକ୍ଟୋବର ସୁଦ୍ଧା ଇ-ଲାଇବ୍ରେରି ନୂତନ କୋଠା କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ତେବେ ଓଡ଼ିଆ ଓ ଇଂରାଜୀ ବିଭାଗର କିଛି ଅଂଶ ଲାଙ୍ଗୁଏଜ୍‌ ବ୍ଲକକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁବ୍ୟବସ୍ଥିତ ହୋଇପାରି ନାହିଁ। ୭ ଦିନ ମଧ୍ୟରେ ସବୁ ହଷ୍ଟେଲରେ ବଡ଼ ଆକ୍ବାଗାର୍ଡ ଲଗାଇବା ଦିଗରେ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ବାକି ଦାବିଗୁଡ଼ିକ ପୂର୍ବଭଳି ଏବେ ବି ପ୍ରତିଶ୍ରୁତିରେ ରହିଯାଇଛି। ସେପ୍ଟେମ୍ବର ସରି ଅକ୍ଟୋବର ପୂରିବାକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ିପାରି ନାହିଁ। ୧୪ ଦିନ ଭିତରେ କ୍ୟାମ୍ପସରୁ ବସ୍ତି ଉଚ୍ଛେଦ ହୋଇନି କି ସିସିଟିଭି ଲାଗିପାରି ନାହିଁ। ଏକ ମାସ ମଧ୍ୟରେ ଇନ୍‌ଷ୍ଟ୍ରୁମେଣ୍ଟେସନ ସେଣ୍ଟର କାମ ସରିଲା ନାହିଁ। ଦୁଇ ଦିନ ଯାଇ ଏକ ମାସ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୭ ନମ୍ବର ହଷ୍ଟେଲ ସମସ୍ୟାର ସମାଧାନ ହୋଇନି। ୧୫ ଦିନରେ ହଷ୍ଟେଲ ଓ ଶୌଚାଳୟ ମରାମତି, ଖଟ ପରିବର୍ତନ କେବଳ ଘୋଷଣାରେ ରହିଛି। ୭ ଦିନ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର ନିଯୁକ୍ତି ହୋଇନାହାନ୍ତି କି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ପବ୍ଲିକ ଆଡମିନିଷ୍ଟେସନ ଓ ଜର୍ଣ୍ଣାଲିଜିମ୍‌ ବିଭାଗର ସମସ୍ୟା ନେଇ ଆଲୋଚନା ବି ହୋଇନି। ସେପ୍ଟେମ୍ବର ୨୨ ସୁଦ୍ଧା ଜିମ୍‌, ଇନ୍‌ଡୋର ଷ୍ଟାଡିୟମ ମରାମତି, ପାଚେରି ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ କିଛି ବି ଆଗେଇନି। ପ୍ରତିଶ୍ରୁ୍ତିଗୁଡ଼ିକ ପୂରଣ ହେବା ନେଇ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର