ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ ପିଜି କାଉନସିଲ୍ ଅଧ୍ୟକ୍ଷ କିଏ ହେବେ? ବରିଷ୍ଠତା ଭିତ୍ତିରେ ଏହି ପଦବି ପୂରଣ ହେବ ନା କନିଷ୍ଠ ପ୍ରଫେସରଙ୍କୁ ବସାଯିବ? ପୁଣିଥରେ ଏହି ପ୍ରମୁଖ ପଦବିରେ ଜଣେ ମହିଳା ପ୍ରଫେସର ବସିବେ କି? ଯଦି ସେମିତି ହୁଏ ତେବେ ମହିଳା ପ୍ରଫେସର ଜଣକ କିଏ? ପ୍ରଫେସର ମିତାଲି ଚିନ୍ନାରା, ପ୍ରଫେସର ଜୟନ୍ତୀ ଦୋରା, ପ୍ରଫେସର ଭାସ୍ବତୀ ପଟ୍ଟନାୟକ, ଏମାନଙ୍କ ମଧ୍ୟରୁ କିଏ ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିବେ?। ବିଭିନ୍ନ ସମୟରେ ଭାରପ୍ରାପ୍ତ ଦାୟିତ୍ବରେ ରହୁଥିବା ଏବଂ ବରିଷ୍ଠତା ଭିତ୍ତିରେ ଆଗରେ ରହିଥିବା ଭୂତତ୍ତ୍ବ ବିଜ୍ଞାନ ବିଭାଗ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକଙ୍କ ନା ମଧ୍ୟ ପିଜି କାଉନସିଲ୍ ଅଧ୍ୟକ୍ଷ ପାଇଁ ଚର୍ଚ୍ଚାରେ ରହିଛି।
ଶନିବାର ବିଶ୍ବବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ନବନିତା ରଥ ଅବସର ଗ୍ରହଣ କରୁଛନ୍ତି। ଏହା ପୂର୍ବରୁ ପିଜି କାଉନସିଲ୍ ଅଧ୍ୟକ୍ଷ ପଦକୁ ନେଇ ଏଭଳି ଆକଳନ ଆରମ୍ଭ ହୋଇଯାଇଛି। ବରିଷ୍ଠତା ଭିତ୍ତିରେ ଏହି ପଦବି ଲାଗି କିଏ ଯୋଗ୍ୟ, ତାହାକୁ ନେଇ ବିବାଦ ଚାଲିଛି। ବରିଷ୍ଠତା ଦୃଷ୍ଟିରୁ ଭୂତତ୍ତ୍ବ ବିଜ୍ଞାନ ବିଭାଗର ପ୍ରଫେସର ଦୁର୍ଗା ପଟ୍ଟନାୟକ ଆଗରେ ରହିଛନ୍ତି। ତାଙ୍କ ତଳକୁ ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନ୍ନାର, ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ, ଭୂଗୋଳ ବିଭାଗର ପ୍ରଫେସର କବୀରମୋହନ ସେଠୀ, ଇଂରାଜୀ ବିଭାଗର ପ୍ରଫେସର ଅସିମ ପାଢ଼ୀ ପ୍ରମୁଖ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରଫେସର ଦଣ୍ଡପାଟ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି। ଏହାବ୍ୟତୀତ ସେ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ, କଲେଜ ଉନ୍ନୟନ ପରିଷଦ(ସିଡିସି) ନିର୍ଦ୍ଦେଶକ ଓ ବିଶ୍ବବ୍ୟାଙ୍କ ସଂଯୋଜକ ମଧ୍ୟ ରହିଛନ୍ତି। ୪ଟି ଯାକ ପ୍ରମୁଖ ପଦବିରେ ପ୍ରଫେସର ଦଣ୍ଡପାଟ ରହିଛନ୍ତି। ତା’ପରେ ମଧ୍ୟ ପିଜି କାଉନସିଲ୍ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇ ଏଭଳି ଗୁରୁତ୍ବପୂର୍ଣ୍ଣ ପଦବିକୁ ନିଜ କବଜାରେ ରଖିପାରନ୍ତି।
ନିୟମ ଅନୁଯାୟୀ ନିୟମିତ କୁଳପତି ଦାୟିତ୍ବରେ ରହିଲେ ଜଣେ ପ୍ରଫେସର ଅନ୍ୟ କୌଣସି ପ୍ରମୁଖ ପଦବିରେ ରହିବା କଥା ନୁହେଁ। ମାତ୍ର ଭାରପ୍ରାପ୍ତ କୁଳପତିଙ୍କ କ୍ଷେତ୍ରରେ ନିୟମ କ’ଣ ହେବ ତାହାକୁ ନେଇ ସମୀକ୍ଷା ଚାଲିଛି। ଏହି ପଦବି ବର୍ତ୍ତମାନ ସମୟରେ ବହୁତ ଗୁରୁତ୍ବପୂର୍ଣ୍ଣ। ଆଗକୁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ବରିଷ୍ଠତା ସହ ପ୍ରଫେସରଙ୍କ ଦକ୍ଷତାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଛାତ୍ର ସଂସଦ ନିର୍ବାଚନ ପରିଚାଳନା ସହ ପିଲାଙ୍କ ପାଠପଢ଼ା, ନୂତନ ପାଠ୍ୟକ୍ରମ ପ୍ରଚଳନ, ଠିକ୍ ସମୟରେ ପରୀକ୍ଷା ଓ ଫଳ ପ୍ରକାଶ ପରି ବିଭିନ୍ନ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେହିଦୃଷ୍ଟିରୁ ଭାରପ୍ରାପ୍ତ କୁଳପତି କାହାକୁ ଏଭଳି ଏକ ସମ୍ବେଦନଶୀଳ ପଦବିରେ ବସାଇବେ ତାହା ଦେଖିବାକୁ ବାକି ରହିଲା। ସେପଟେ ବରିଷ୍ଠତାକୁ ଅଗ୍ରାଧିକାର ନ ଦେଇ ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପିଜି କାଉସିଲ୍ ଅଧ୍ୟକ୍ଷ ଚୟନ କରିବାକୁ କେତେଜଣ ପ୍ରଫେସର ଲବି ଆରମ୍ଭ କରିଦେଇଛନ୍ତି।